ଲଗାଣ ବର୍ଷାରେ ଘର ଭୁଶୂଡିଲା ।

ମାଲକାନଗିରି,୦୯/୦୮(ପିପିଟି): ମାଲକାନଗିରି ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଅବ୍ଯାହତ ଲାଗି ରହିଥିବା ବେଳେ କାଲିମେଳା ବ୍ଲକର ଭେଜାଙ୍ଗିୱାଡ଼ା ଗ୍ରାମ ପଞ୍ଚାୟତର ମାଳିଗୁଡା ଗ୍ରାମର ଗୋଟିଏ ଘରର କାନ୍ଥ ଭୁଶୂଡି ପଡ଼ିଛି ‌। ସେହି ସମୟରେ ଘର ଭିତରେ ତିନି ଜଣ ଛୋଟଛୋଟ ଶିଶୁ ରହିଥିଲେ । ଘରଟିରେ ଆଜବେଷ୍ଟସ ଛପର ହୋଇଥିଲା ବେଳେ ଇଟାରେ କାନ୍ଥ ନିର୍ମିତ ହୋଇଛି । ବର୍ଷା ଯୋଗୁଁ ଘରର ଗୋଟିଏ ପାର୍ଶ୍ଵ କାନ୍ଥ ବାହାରକୁ ପଡିଯାଇଛି। ଫଳରେ ଘର ଭିତରେ ଥିବା ତିନିଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଯଦି ଘର ଭିତରକୁ କାନ୍ଥ ଭୁଶୂଡିଥାନ୍ତା,ତେବେ ୩ ଜଣ ଶିଶୁଙ୍କ ଅବସ୍ଥା କ’ଣ ହୋଇଥାନ୍ତା, ଈଶ୍ବର ଜାଣନ୍ତି । ତେବେ ରଖେ ହରି ମାରେ କିଏ ଏବଂ ମାରେ ହରି ରଖେ କିଏ ନ୍ଯାୟରେ ତିନି ଶିଶୁଙ୍କୁ ହରି ରକ୍ଷା କରିଛନ୍ତି । ବାପା ଲଚୁ ମାଳି ଓ ମା ପାନ ମାଳି ଦୁହେଁ ଆଜି ସକାଳେ ଜମିକୁ ଚାଷ କରିବାକୁ ଯାଇଥିବା ବେଳେ ଏପଟେ ଘର କାନ୍ଥ ପଡିଯାଇଥିଲା । ଖବର ପାଇ ଶିଶୁଙ୍କ ବାପା ଓ ମା’ ଜମିରୁ ତୁରନ୍ତ ଘରକୁ ଦୌଡିଆସିଥିଲେ ।ବର୍ତ୍ତମାନ ସେମାନେ ସେହି ଭଙ୍ଗା ଘରେ ଆଶ୍ରୟ ନେଉଥିବା ଜଣାପଡିଛି । ଭେଜାଙ୍ଗିୱାଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର କବାସି ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment