ଭୁବନେଶ୍ୱର,୧୮/୦୫ : ଜୁନ ୧ ତାରିଖ ସକାଳ ୫ ଟା ଯାଏଁ ରାଜ୍ୟ ସରକାର ଲକ୍ ଡାଉନ୍ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଯାଏଁ ତାଲାବନ୍ଦ ଅବଧିକୁ ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି ସୂଚନା ଦେଇଛନ୍ତି। ଦୈନିକ ସଂକ୍ରମିତ ସଂଖ୍ଯା ୧୦ ହଜାର ଉପରେ ରହୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେହିପରି ପୂର୍ବରୁ ଥିବା ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଜାରି ରହିବ। ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମ କରାଯାଇଛି। ଦୈନିକ ୬ ଘଣ୍ଟା ବଦଳରେ ଏହାକୁ ୪ ଘଣ୍ଟା କୋହଳ ସମୟ ନିର୍ଦ୍ଧାରିତ କରାଯାଇଛି। ସକାଳ ୭ ରୁ ୧୧ଟା ଯାଏଁ ପରିବାପତ୍ର କିଣିବାକୁ ଅନୁମତି ପ୍ରଦାନ କରାଯାଇଛି। ଲୋକେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିବେ। ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟ ପାଇଁ ମଧ୍ୟ କଟକଣା ବୃଦ୍ଧି କରାଯାଇଛି। ବାହାଘରରେ ଏଣିକି ୫୦ ବଦଳରେ ୨୫ ଏକାଠି ହେବେ । ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତ ସମ୍ପୂର୍ଣ୍ଣ ମନା। ଘରକୁ ଡ଼ାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ଅତିଥିଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯିବ। ଏହାସହ ଅତି ଆବଶ୍ୟକ ନହେଲେ ଲୋକେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଇଣ୍ଡୋର ସିନେମା କିମ୍ବା ଫିଲ୍ମ ସୁଟିଂ ବନ୍ଦ ରହିବ। ଯାତ୍ରା,ମୁକ୍ତ ଆକାଶ ରଙ୍ଗ ମଞ୍ଚକୁ ମନା । ସଂକ୍ରମଣକୁ ଏଡ଼ାଇବାକୁ କଟକଣା ଲାଗୁ କରାଯିବା ସହ ନିୟମର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।