ନୀଳଗିରି,୨୯/୧୨: ସମ୍ପ୍ରତି ଯୁବପିଢ଼ିଙ୍କୁ ରିଲ୍ସ ନିଶା ବାୟା କରିଛି । ଏକାଧିକ ଯୁବକ/ଯୁବତୀ ସରକାରୀ ନୀତି ନିୟମକୁ ଉଲଙ୍ଘନ କରି ରିଲ୍ସ ବନାଇ ଚାଲିଛନ୍ତି । ରିଲ୍ସକୁ ଅନୁକରଣ କରି ବାଲେଶ୍ୱର ପରିବହନ ବିଭାଗ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି । ନୀଳଗିରି ଥାନା ଧୋବଶିଳା ଅଞ୍ଚଳର ହରିଶ ଚନ୍ଦ୍ର ଗନ୍ତାୟତ ନାମକ ଜଣେ ଯୁବକ ତାଙ୍କ ଓଡି ୦୧ଏଏମ ୪୪୨୩ନମ୍ବର ବିଶିଷ୍ଟ ବାଇକରେ ବସି ଯୁଆଡ଼େ ଯାଉଛି..ତୁ ଖାଲି ବାସୁଛୁ ନାମକ ଏକ ଗୀତରେ ରିଲ୍ସ ବନାଇ ଇନଷ୍ଟାଗ୍ରାମରେ ଛାଡ଼ିଥିଲେ । ସେହିପରି ବାଲେଶ୍ୱର ସହରର ଅନ୍ୟ ଜଣେ ଯୁବକ ମଧ୍ୟ ମିସ୍ତରିମା ଗୀତରେ ଓଡି ୦୧ଏଜି ୨୪୧୭ବାଇକରେ ବସି ରିଲ୍ସ ବନାଇ ଜନଗହଳି ରାସ୍ତାରେ ଯାଉଥିବା ଭିଡ଼ିଓଟିକୁ ପୋଷ୍ଟ କରିଥିଲେ । ଉଭୟ ଯୁବକ ବିନା ହେଲମେଟ୍ରେ ବେପରୁଆ ଗାଡ଼ି ଚାଳନା କରି ରିଲ୍ସ ବନାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସେମାନଙ୍କୁ ମହଙ୍ଗା ପଡ଼ିଛି । ଏଥିରେ ସଡ଼କ ସୁରକ୍ଷା ନିୟମକୁ ଉଲଙ୍ଘନ କରାଯିବା ସହ ଲୋକଙ୍କୁ ହଇରାଣ କରାଯାଉଥିବା ନେଇ ଅଭିଯୋଗ ଉଠିଥିଲା । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ବାଲେଶ୍ୱର ପରିବହନ ବିଭାଗ ଇନ୍ସପେକ୍ଟର ସମରେନ୍ଦ୍ର ମହାପାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରିଲ୍ସରେ ଥିବା ବାଇକ ନମ୍ବରକୁ ଅନୁକରଣ କରି ସେ ଧୋବଶିଳା ଅଞ୍ଚଳରେ ପହଞ୍ଚି ବାଇକକୁ ଜବତ କରିବା ପରେ ନୀଳଗିରି ଥାନାରେ ଜିମା ଦେଇଥିଲେ । ସେହିପରି ବାଲେଶ୍ୱର ପରିବହନ ଅଫିସ କାର୍ଯ୍ୟାଳୟ ପରିସରରେ ଅନ୍ୟ ବାଇକକୁ ଜବତ କରି ରଖିଥିଲେ । ଉଭୟ ବାଇକଠାରୁ ୧୧ହଜାର ଲେଖାଏଁ କରି ୨୨ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ତେବେ କେବଳ ଉପରୋକ୍ତ ୨ଜଣ ନୁହଁନ୍ତି ବରଂ ବହୁ ଲୋକଙ୍କ ଭିଡ଼ିଓ ଉପରେ ସେ ତଦନ୍ତ କରିବା ଆରମ୍ଭ କରିଛନ୍ତି ଏବଂ ଆଗକୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇନ୍ସପେକ୍ଟର ଶ୍ରୀ ମହାପାତ୍ର କହିଛନ୍ତି ।