ରିଲ୍ସର ଚମକ ନୁହେଁ, ଦୁର୍ଗାର ଶକ୍ତିରେ ଜାଗ୍ରତ ହେଉ ଆମ ଝିଅ ।

ବୋଲଗଡ଼, ୧୧/୧୦ (ପିପିଟି): ଆସୁଛି ଶାରଦୀୟ ଦଶହରା। ଚାରିଆଡେ ମା’ ଦୁର୍ଗାଙ୍କ ଆଗମନର ଉଲ୍ଲାସ। ଆମେ ମଣ୍ଡପରେ ମା’ଙ୍କୁ ଶକ୍ତି ରୂପେ ପୂଜା କରୁଛୁ, କିନ୍ତୁ ଆମ ଘରର ଝିଅକୁ ସେହି ଶକ୍ତି ରୂପେ ଗଢିବାକୁ ଚେଷ୍ଟା କରୁଛୁ କି,ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆରେ ରିଲ୍ସର ପ୍ରଭାବ ବଢୁଛି। ଲାଇକ୍ ଓ ଭ୍ୟୁଜ୍ ପାଇବା ପାଇଁ ଅନେକ ସମୟରେ ଯୁବପିଢି ନିଜର ପ୍ରକୃତ ପ୍ରତିଭାକୁ ଭୁଲି ଯାଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ, ପ୍ରତି ଝିଅ ଭିତରେ ଜଣେ ଦୁର୍ଗା ଲୁଚି ରହିଛି।

ପୁରାଣ କହେ, ଯେତେବେଳେ ସମସ୍ତ ଦେବତା ମହିଷାସୁର ଆଗରେ ହାରିଗଲେ, ସେତେବେଳେ ସମସ୍ତ ଦେବତାଙ୍କ ତେଜକୁ ଏକାଠି କରି ଜନ୍ମ ହେଲେ ମା’ ଦୁର୍ଗା। ଶିବ ଦେଲେ ତ୍ରିଶୂଳ, ବିଷ୍ଣୁ ଦେଲେ ଚକ୍ର, ଇନ୍ଦ୍ର ଦେଲେ ବଜ୍ର। ସେ କେବଳ ରୂପସୀ ନଥିଲେ, ସେ ଥିଲେ ରଣରଙ୍ଗିଣୀ, ସାହସର ପ୍ରତୀକ।

ଆଜି ସମୟ ଆସିଛି ଆମ ଝିଅମାନଙ୍କୁ ରିଲ୍ସର ଚମକ ନୁହେଁ, ସାହସ ଓ ଆତ୍ମରକ୍ଷା ଶିଖାଇବାର। ଯେଉଁଦିନ ଆମ ଝିଅମାନେ ନିଜ ଭିତରେ ସୁପ୍ତ ଅବସ୍ଥାରେ ଥିବା ଦୁର୍ଗା ସ୍ୱରୂପକୁ ଜାଗ୍ରତ କରିବେ, ନିଜ ପାଠପଢା, ସଂସ୍କାର ଓ ଆତ୍ମବିଶ୍ୱାସ ରୂପକ ଅସ୍ତ୍ର ଧାରଣ କରିବେ, ସେଦିନ ତାଙ୍କୁ କୌଣସି ସୁରକ୍ଷାର ଆବଶ୍ୟକତା ପଡିବ ନାହିଁ। ଯିଏ ନିଜେ ଦୁର୍ଗା, ତାକୁ କୌଣସି ଅସୁର ଛୁଇଁ ପାରିବନାହିଁ। ଏହି ଦଶହରାରେ ଆସନ୍ତୁ ଶପଥ ନେବା – ଝିଅକୁ କେବଳ ରୂପରେ ନୁହେଁ, ଶକ୍ତି ରୂପେ ଗଢିବା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment