ରାୟଗଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ।

ରାୟଗଡା,ତା.୧୧/୦୧(ପିପିଟି); ରାୟଗଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନ ୧୦:୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଦାୟୀ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ନୂତନ ଜିଲ୍ଲାପାଳ ସରୋଜ ମିଶ୍ର ଏହା ପୂର୍ଵରୁ ଜଗତସିଂହପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଜିଲ୍ଲାପାଳ ସରୋଜ ମିଶ୍ର ଏହି ଜିଲ୍ଲାରେ ପୂର୍ବରୁ ବହୁତ ଦିନ ଧରି କାର୍ଯ୍ୟ କରିଥିଲେ ଏବଂ ପ୍ରଶାସନିକ ଅଧିକାରୀ ଭାବରେ ଜିଲ୍ଲା ବିଷୟରେ ଅଭିଜ୍ଞତା ଅଛି । ଏହି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଦାୟିତ୍ୱ ସହ ପୌରପରିଷଦର ନିର୍ବାହୀ ଅଧିକାରୀ ଭାବରେ ମଧ୍ୟ ଦାୟିତ୍ୱରେ ଥିଲେ । ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ ପାଇଁ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷl ଓ ଜନଜାତିଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ । ନୂତନ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟର କର୍ମଚାରୀ, ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱାଗତ କରିଥିଲେ । ଏହାପରେ ଜିଲ୍ଲାପାଳ ରାଜସ୍ୱ ଅଧିକାରୀ ମାନଙ୍କୁ ନେଇ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ଗୁଣପୁର ସୋନାଲ ଜେନା, ଉପଜିଲ୍ଲାପାଳ ରାୟଗଡ଼ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାର ସମସ୍ତ ତହସିଲଦାର ମାନେ ଯୋଗଦେଇଥଲେ । ଏହାପରେ ସ୍ୱାସ୍ଥ୍ୟବିଭାଗର ବିଶେଷ କରି କୋଭିଡ୍ -୧୯ ମହାମାରୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା, ଶିକ୍ଷା ଓ ମଙ୍ଗଳବିଭାଗର ବିଦ୍ୟାଳୟ ଖୋଲିବା ଉପରେ ସମୀକ୍ଷl କରିଥିଲେ । ଗ୍ରାମ୍ୟ ନିର୍ମାଣ ବିଭାଗ ଉପରେ ଆଲୋଚନା କରି ଜିଲ୍ଲାର ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସମୀକ୍ଷା କରିଥିଲେ । ସେହିପରି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା କାର୍ଯ୍ୟକ୍ରମ ବିଶେଷ କରି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶ୍ରମଭିତିକ କାର୍ଯ୍ୟକ୍ରମ, ଓଡିଶା ଜୀବିକା ମିଶନ ଆଦି ଉପରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ସଭାଗୃହରେ ସମୀକ୍ଷା କରିଥିଲେ । ସେହିପରି ସହରାଞ୍ଚଳ ବିକାଶ ଉପରେ ନିର୍ବାହୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲା ଯୋଗାଣ ବିଭାଗ, ପୂର୍ତ୍ତ ବିଭାଗ ଓ ଅନ୍ୟାନ୍ୟ ବିଭାଗ ଉପରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment