ରାସ୍ତା ପାର୍ଶ୍ବକୁ ଓଲଟିଲା କୁକୁଡ଼ା ବୋଝେଇ ପିକଅପ୍ ।

ଅମର୍ଦ୍ଦାରୋଡ଼,୨୮/୧୦: ରବିବାର ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା,ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ବାଇପାସ ନିକଟରେ ଏକ କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟିବା ଫଳରେ ପିକଅପଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିବା ବେଳେ ଚାଳକ ଓ ଖଲାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଡ଼ବ୍ଲ୍ୟୁବି ୩୧ଏ ୧୯୨୭ ନମ୍ବର ବିଶିଷ୍ଟ ଏକ ପିକଅପ ଭ୍ୟାନ୍ କୁକୁଡ଼ା ଭର୍ତ୍ତି କରି ବାଲେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଯାଉଥିଲା।ଏହି ସମୟରେ ଭୀଷଣ କୁହୁଡ଼ି ହୋଇଥିବାରୁ ପିକଅପଟି ବାଲେଶ୍ବର-ଜଳେଶ୍ବର ଜାତୀୟ ରାଜପଥର ଭେଲୋରା ନିକଟରେ ଥିବା ଡ଼ାଇଭର୍ସନଟିକୁ ପୂର୍ବାନୁମାନ କରି ନପାରି ସିଧା ରାସ୍ତାରେ ପଳାଇ ଯିବାରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବକୁ ଓଲଟି ପଡ଼ିଥିଲା। ଚାଳକ ଓ ଖଲାସୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗାଡ଼ିରେ ଥିବା ବ୍ରୟେଲର କୁକୁଡ଼ା ଟ୍ରେ ସବୁ ରାସ୍ତାରେ ବିଛାଇ ହୋଇପଡ଼ିଯାଇଥିଲା । ଖବର ପାଇ ଜାତୀୟ ରାଜପଥ ପହରା ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ।ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁର ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକଅପଟିକୁ ଜବତ୍ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Comments (0)
Add Comment