ଭଞ୍ଜନଗର,୧୦/୦୫(ପିପିଟି):ଭଞ୍ଜନଗର ଏଡିଜେ କୋର୍ଟରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ତାଲୁକା ଆଇନ ସେବା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଅତିରିକ୍ତ ଜିଲା ବିଚାରପତି ତଥା ତାଲୁକା ଆଇନ ସେବା କମିଟି ଅଧ୍ୟକ୍ଷ ଶେଖ ମହମ୍ମଦ କଏସ, ବରିଷ୍ଠ ଦେୱାନି ବିଚାରପତି ଦେବାଶିଷ ବିଷୋୟୀ ,ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟ ରଞ୍ଜନ ପୃଷ୍ଟି ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭିଏନା ନାୟକ ଲୋକ ଅଦାଲତରେ ଯୋଗଦେଇ ମାମଲା ଗୁଡିକର ଫଇସଲା କରିଥିଲେ।ସର୍ବମୋଟ ୨୧୪୫ ମାମଲା ଲୋକ ଅଦାଲତରେ ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୨ଟି ମାମଲା ଫଇସଲା କରାଯାଇ ୧୬ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ବାବଦକୁ ହିତାଧିକାରୀଙ୍କୁ ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଦୁଇଟି ଚେକ ବାଉନ୍ସ ମାମଲା ଫଇସଲା କରି ୯ ଲକ୍ଷ ୨୦ ହଜାର ଟଙ୍କା ହିତାଧିକାରୀଙ୍କୁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ବ ମାମଲା ୨୦୯୬ ଟି ଫଇସଲା କରାଯାଇଛି । ବ୍ୟାଙ୍କ ସଂପର୍କିତ ୨ ଟି ମାମଲା ଫଇସଲା କରାଯାଇ ୪ ଲକ୍ଷ ୯୧ ହଜାର ୮୬୬ ଟଙ୍କା ଆଦାୟ କରାଯାଇଛି। ଏଥିସହ ବୈବାହିକ ମାମଲା ୩ଟି ମଧ୍ୟ ଫଇସଲା କରାଯାଇଛି । ଏହିଭଳି ସର୍ବମୋଟ ୨୧୪୫ ଟି ମାମଲା ଫଇସଲା କରାଯାଇଛି। ଲୋକ ଅଦାଲତ ବେଞ୍ଚ ସଦସ୍ୟ କୃତିବାସ ବିଶାଳ, ଓକିଲ ରମେଶ ଚନ୍ଦ୍ର ପଣ୍ଡା, ତାଲୁକ ଆଇନ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ବାର୍ ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ଆଇନଜୀବି ବଂଶୀଧର ପ୍ରଧାନ,ସନ୍ତୋଷ କୁମାର ତିଆଡି, ସୁଧିର ରଞ୍ଜନ ମହାପାତ୍ର, ଡଃ. ସୁଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ମାମଲା ଗୁଡିକୁ ଫଇସଲା କରିବାରେ ସହଯୋଗ କରିଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ, ସୁନୀଲ ମୁଦୁଲି, ପବିତ୍ର ପ୍ରଧାନ, ପ୍ରଦୀପ କୁମାର ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)