ରାଷ୍ଟ୍ରୀୟ ପେନସନ୍ ଯୋଜନାକୁ ନେଇ ଦକ୍ଷତା ବିକାଶ ଏବଂ ସଚେତନତା କାର୍ଯ୍ୟକ୍ରମ ।

ଭୁବନେଶ୍ୱର,୧୦/୦୨(ପିପିଟି):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅଧୀନସ୍ଥ କୋଷାଗାର ନିର୍ଦ୍ଦେଶାଳୟର ଭୁବନେଶ୍ୱର ସ୍ଵତନ୍ତ୍ର କୋଷାଗାର ନଂ-୧ ପକ୍ଷରୁ ଅର୍ଥନୀତି ଓ ପରିସଂଖ୍ୟାନ ଭବନର ସଭାଗୃହରେ ଦକ୍ଷତା ବିକାଶ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼ ବିଜୟ ଭୂଷଣ ନନ୍ଦ ଉଦଘାଟନ କରି କହିଲେ ଯେ,ଏପରି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରାଇବା ସହ ଏନପିଏସକୁ ନେଇ ଅଧିକ ସଚେତନତା ସୃଷ୍ଟି କରିବ । ଏହାଦ୍ଵାରା ପ୍ରତ୍ୟେକ କାର୍ଯ୍ୟାଳୟରେ ଅଧିକାରୀ ଏବଂ କର୍ମଚାରୀମାନେ ପରୋକ୍ଷରେ ଉପକୃତ ହେବେ । ଏହି ସଚେତନତା କାର୍ଯ୍ୟକ୍ରମରେ ରାଜକୋଷ ଓ ପରିଦର୍ଶନ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ପ୍ରାଣବନ୍ଧୁ ବିମଲ୍ ଏବଂ ଆକାଉଣ୍ଟସ ଅଫିସର୍ ଅଭୟ କୁମାର ବେହେରା ଏନପିଏସ୍ ସମ୍ପର୍କିତ ବିଭିନ୍ନ ତଥ୍ୟ ପ୍ରଦାନ ସହ ଆଲୋଚନା କରିଥିଲେ । ଭୁବନେଶ୍ୱର ସ୍ଵତନ୍ତ୍ର କୋଷାଗାର ନଂ – ୧ର ଟ୍ରେଜେରୀ ଅଫିସର ଜ୍ୟୋତିର୍ମୟ ନାୟକ, ଅତିରିକ୍ତ ଟ୍ରେଜେରୀ ଅଫିସର୍ ମଧୁସୂଦନ ରାଉତ,ତନ୍ମୟା ଦାଶ ପ୍ରମୁଖ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭୁବନେଶ୍ବରର ସ୍ଵତନ୍ତ୍ର କୋଷାଗାର ନଂ – ୧ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟର ୧୬୫ ଜଣ ଡିଡିଓ ଏଥିରେ ଅଂଶଗ୍ରହଣ କରିଥିଲେ ।

ରାଷ୍ଟ୍ରୀୟ ପେନ୍‌ସନ୍ ଯୋଜନା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ସବୁର ସରଳ ସମାଧାନ ସମ୍ପର୍କିତ ଏକ ମାର୍ଗଦର୍ଶିକା ସଭିଙ୍କୁ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରୀୟ ପେନ୍‌ସନ୍ ଯୋଜନା (ଏନପିଏସ୍) ରେ ଅନୁର୍ଭୁକ୍ତ ଓଡିଶା ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ସଂଲଗ୍ନ ଉଠାଣ ଓ ବିତରଣ ଅଧିକାରୀ (ଡିଡିଓ)ଙ୍କ ନିମନ୍ତେ ତା୦୯.୦୨.୨୦୨୬ରିଖ ଠାରୁ ତା୧୩. ୦୨.୨୦୨୬ରିଖ ପର୍ଯ୍ୟନ୍ତ ଏନପିଏସର ରାଜ୍ୟବ୍ୟାପୀ ସେବା ସପ୍ତାହ ପାଳନ ହେଉଛି । ଏହି ଅବସରରେ ରାଜ୍ୟରେ ଥିବା ସମସ୍ତ କୋଷାଗାରମାନଙ୍କରେ ହେଲ୍ପଡେସ୍କ୍ ଖୋଲାଯାଇଛି । ଏଥିରେ ରାଷ୍ଟ୍ରୀୟ ପେନସନ୍ ଯୋଜନା ସମ୍ବନ୍ଧୀୟ ସମସ୍ତ ସନ୍ଦେହ ଦୂର କରାଯିବା ସହ ଏହା ସହ ସମ୍ପର୍କିତ ବିଭିନ୍ନ ସମସ୍ୟାର ତ୍ଵରିତ ସମାଧାନ ମଧ୍ଯ କରାଯିବ । ଏହି ସେବା ସପ୍ତାହ ପାଳନ ଅବସରରେ ଏନପିଏସରେ ଅନ୍ତର୍ଭୁକ୍ତ ଓଡିଶା ସରକାରଙ୍କ ସମସ୍ତ କର୍ମଚାରୀ ଏବଂ ଡିଡିଓମାନଙ୍କୁ ହେଲ୍ପ୍ ଡେସ୍କ ମାଧ୍ୟମରେ ଏହି ସେବାର ସୁଯୋଗ ନେବାକୁ ଅନୁରୋଧ କରାଯାଇଛି ।

 

 

.

Comments (0)
Add Comment