୨୯ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ।

ଭଞ୍ଜନଗର, ୦୯/୧୨(ପିପିଟି):ଦୀର୍ଘ ୪୦ବର୍ଷ ପରେ ଆସନ୍ତା ୨୯ ଓ ୩୦ତାରିଖ ଦୁଇ ଦିନ ଧରି ଭଞ୍ଜନଗର ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ଅଲ ଓଡିଶା ଆଇନଜୀବୀ ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଦିବସରେ ଭଞ୍ଜନଗର ଗସ୍ତରେ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି।ଏଥିସହ ଅଧିବେଶନରେ ଓଡ଼ିଶା ହାଇକୋର୍ଟର ଅନେକ ବିଚାରପତି, ମନ୍ତ୍ରୀ, ଏମପି, ବିଧାୟକଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଓକିଲ ସଂଘ ପକ୍ଷରୁ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିଜ ନିଜର ଦାୟିତ୍ୱ ସମ୍ପର୍କରେ ଅବଗତ କରାଯାଇଥିଲା।ଏଥିସହ ଅପରାହ୍ନରେ କୋର୍ଟ ପରିସରରେ ଥିବା ସୁବର୍ଣ୍ଣ ଜୟନ୍ତୀ ପାଠାଗାର ଠାରେ ଭଞ୍ଜନଗର ଓକିଲ ସଂଘ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସଂଘର ସଦସ୍ୟ ମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯାଇ ସେମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଭଞ୍ଜନଗର ଠାରେ ଗତ ୧୯୮୪ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ଆଇନଜୀବି ସଂଘର ୧୩ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏବେ ପୁଣି ଥରେ ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଉଥିବାରୁ ସମସ୍ତେ ଆଶାବାଦୀ ଅଛନ୍ତି।ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘର ସଭାପତିଙ୍କ ସମେତ ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ,ସହ ସମ୍ପାଦକ ଅଶ୍ୱିନୀ କୁମାର ଦାସ, ସନ୍ତୋଷ ନାୟକ, ଧବଳେଶ୍ବର ମାଝୀ, ସନ୍ତୋଷ ତିଆଡ଼ି, ବିଷ୍ଣୁ ପ୍ରସାଦ ପ୍ରଧାନ,ରଜତ କୁମାର ଦାସ,ଚନ୍ଦ୍ରମଣି ମହାପାତ୍ର,ସୁଧିର କୁମାର ଦାସ, ଖରା°ଶୁ ଦାସଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment