ଭୁବନେଶ୍ବର, ୨୩/୧୧ : ଗତ ରାତିରେ ଓଡିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ପତ୍ନୀ ତଥା ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀଙ୍କ ଦେହାନ୍ତ ହୋଇଯାଇଛି। କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇ ସେ ଗତ ନଭେମ୍ବର ୧ ତାରିଖ ଠାରୁ ଡାକ୍ତରଖାନାରେ ଚିକିତ୍ସିତ ଥିଲେ।ସୁଶୀଳା ଦେବୀଙ୍କ ଚାରି ଝିଅ ଓ ତିନିଜଣ ପୁଅ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ସେ ଜଣେ ଅମାୟିକା ଏବଂ ଧର୍ମ ପରାୟଣ ମହିଳା ଥିଲେ। ମୁଖ୍ୟମନ୍ତ୍ରୀ ଶୋକଭିଭୂତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରି ନିଜର ଟୁଇଟରରେ ଲେଖିଛନ୍ତି, ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ଧର୍ମ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ଦୁଃଖ ସମୟରେ ଶୋକ ସନ୍ତପ୍ତ ପରିବାର ବର୍ଗକୁ ଅସୀମ ଧୈର୍ଯ୍ଯ ଓ ସାହାସ ଦିଅନ୍ତୁ। ବିଧାନସଭାରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ କରାଯାଇ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।