ରସ୍ତାରେ ବୁଲୁଥିବା ଗୃହପାଳିତ ପଶୁଙ୍କ ଥଇଥାନ ପାଇଁ କାଞ୍ଜିଆହୁଦା ନିର୍ମାଣ ଜରୁରୀ ।

ବ୍ରହ୍ମପୁର:୧୮/୦୭(ପିପିଟି): ଗୃହପାଳିତ ଗାଈଗୋରୁଙ୍କ ନିରାପଦ ଆଶ୍ରୟ ସ୍ଥଳୀ ପାଲଟିଛି ରାଜରାସ୍ତା ଓ ଗଳିକନ୍ଦି। ବ୍ରହ୍ମପୁର ସହରର ବିଭିନ୍ନ ସମସ୍ୟା ମଧ୍ୟରେ ରାସ୍ତାରେ ଗୃହପାଳିତ ଗାଈଗୋରୁଙ୍କ ସମସ୍ୟା ସବୁ ଠାରୁ ଅଧିକ। ସହରରେ ଯୁଆଡ଼େ ଚାହିଁବ ଖାଲି ଗୃହପାଳିତ ଗାଈ। ଗାଈ ମାଲିକମାନେ ନିଜ ଗାଈ ଠାରୁ କ୍ଷୀର ଆଦାୟ କଲା ପରେ ଗାଈ ଗୁଡ଼ିକୁ ରାସ୍ତା କଡ଼ରେ ଛାଡ ଦିଅନ୍ତି। ଫଳରେ କେତେ ବେଳେ ଗାଈ ତ ଆଉ କେତେବେଳେ ଗାଡ଼ି ଚାଲକ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି। ବ୍ରହ୍ମପୁର ସହରର ବହୁ ବ୍ୟକ୍ତି ଗୋପାଳନ କରୁଛନ୍ତି। କିଛି ବ୍ୟକ୍ତିଙ୍କ ଗୁହାଳ ରହିଥିବା ବେଳେ ଅଧିକାଂଶ ବ୍ୟକ୍ତି ରାସ୍ତାକୁ ଗୁହାଳ କରି ଦେଇଥିବା ଦେଖାଦେଇଛି। ଗର୍ଭିଣୀ ଗାଈକୁ ମଧ୍ୟ ଗୁହାଳରେ ନରଖି ରାସ୍ତାରେ ଛାଡ଼ି ଦିଅନ୍ତି ଗୋପାଳକମାନେ। ଯାହାଫଳରେ ଟ୍ରାଫିକ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଘଟୁଛି।

ବେଳେ ବେଳେ ଷଣ୍ଢମାନଙ୍କ ମଧ୍ୟରେ ହେଉଥିବା ଯୁଦ୍ଧରେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ତାହାର ଶିକାର ହୋଇ ଆହାତ କିମ୍ବା ମୃତ୍ୟୁ ବରଣ କରୁଛନ୍ତି ତ ଆଉ କେତେବେଳେ ଦୋକାନ ଭାଙ୍ଗି ଯାଉଛି। ଏଥିପାଇଁ ଦୋକାନୀଙ୍କ କ୍ଷତି ଘଟୁଛି।

ବର୍ତ୍ତମାନ ନିଗମ ଅଞ୍ଚଳରେ ଗୃହପାଳିତ ଗୋରୁଗାଈ ଓ ବୁଲା କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜୀବନ ପ୍ରଭାବିତ କରୁଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜାନୁଆରୀ ୧୦ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ତତଫରୁ ମେୟର ସଙ୍ଘମିତ୍ରା ଦଳାଇଙ୍କ ସଭାପତିତ୍ବରେ ତାଙ୍କ କାର୍ଯ୍ୟାଳୟ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଆହୁତ ହୋଇଥିଲା। ଏହି ବୈଠକରେ ଗୃହପାଳିତ ପଶୁଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ଏଥି ମଧ୍ୟରେ ଗୃହପାଳିତ ଗାଈଗୋରୁଙ୍କ ଦ୍ୱାରା ରାସ୍ତା ଅବରୋଧ, ବୁଲା କୁକୁରଙ୍କ ପ୍ରାଦୁର୍ଭାବ, ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯିବା ସହ କାଞ୍ଜିଆହୁଦା ପାଇଁ ଆହୁତ ବୈଠକରେ ସହମତି ପ୍ରକାଶ ପାଇଥିଲା। ତିନି ମାସ ଭିତରେ ଗୋଷାଣୀନୂଆଗାଁ, ୱାର୍ଡ ନମ୍ବର -୨୭ ଅନ୍ତର୍ଗତ ଶ୍ମଶାନ ପଛପଟ ସ୍ଥାନରେ ସ୍ଥାୟି କାଞ୍ଜିଆହୁଦା ନିର୍ମିତ ହେବ ବୋଲି ପ୍ରକାଶ କରିଥିଲେ। ସେଠାରେ ପ୍ରାୟ ୬୦ ଗୋରୁଗାଈଙ୍କ ସମେତ ୫୦ରୁ ଉର୍ଦ୍ଧ କୁକୁର ରହିବା ବ୍ୟବସ୍ଥା ରହିବ ବୋଲି ପ୍ରତିଶୃତି ଦେଇଥିଲେ। ପଶୁପ୍ରେମୀ ଓ ବୁଦ୍ଧିଜୀବୀ ଏହି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ। କିନ୍ତୁ ପରିତାପ ଓ କ୍ଷୋଭ ବିଷୟ, ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ହୋଇନଥିବା ଜଣାପଡିଛି। ସେହିପରି କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ହୁଗୁଲାପେଟା ଗ୍ରାମରେ ୮୧ ଲକ୍ଷ ଟଙ୍କା ବ୍ୟୟରେ କାଞ୍ଜିଆହୁଦା କରିବାକୁ ଯୋଜନା କରିଥିଲା ମହାନଗର ନିଗମ । ୨୦୨୩ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଢେଇ ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଶେଷ ହେବାର ନା ‘ବି ଧରୁନି । ବର୍ତ୍ତମାନ ଅଧାପନ୍ତରିଆରେ।

ଷଣ୍ଢ,ଗାଈ,ମଇଁଷି, ଛେଳି ଓ ମେଣ୍ଢା ଆଦି ପ୍ରାଣୀଙ୍କ ପ୍ରାଦୁର୍ଭାବରେ ଲୋକଙ୍କ ଧନଜୀବନ ଓ ଫସଲହାନୀ ରୋକିବା ପାଇ କେଉଁ ଆବାହନ କାଳରୁ କାଞ୍ଜିଆହୁଦାର ପରିକଳ୍ପନା କରାଯାଇଥିଲା। ଗୃହପାଳିତ ଗାଈଗୋରୁଙ୍କୁ ସର୍ବସାଧାରଣ ସ୍ଥାନରେ ଖୋଲା ଛାଡିଦେଲେ ତାହାକୁ ଧରି କାଞ୍ଜିଆହୁଦାରେ ରଖା ଯାଉଥିଲା। ମାଲିକ ସେମାନଙ୍କ ଗାଈଗୋରୁଙ୍କୁ ନେବା ପାଇଁ ଆସିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଥିଲା। କାଞ୍ଜିଆହୁଦା ଯୋଗୁ ବାସ୍ତବରେ ଅନେକ ଉପକାର ହେଉଥିଲା। ଲୋକେ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ଖୋଲାରେ ଛାଡ଼ିବାକୁ ଡରୁଥିଲେ। ଅନ୍ୟପକ୍ଷରେ କାଞ୍ଜିଆହୁଦାରେ ସରକାର ଏହି ପ୍ରାଣୀମାନଙ୍କ ରହିବା, ଖାଇବା,ପିଇବା ପାଇଁ ବନ୍ଦୋବସ୍ତ କରୁଥିଲେ। କିନ୍ତୁ ଆଜି ଏହି ଯୋଜନା ପାଣିରେ ଗାର ସଦୃଶ୍ୟ।

ରାଜ୍ୟର ଅଧିକାଂଶ ସ୍ଥାନରେ କାଞ୍ଜିଆହୁଦା ଆଉ ଦେଖିବାକୁ ମିଳୁନାହିଁ। ଯେଉଁଥିରେ ଗଞ୍ଜାମ ଜିଲ୍ଲା ଅନ୍ୟତମ। କାଞ୍ଜିଆହୁଦା ଓ ଗୋଶାଳା ଅଭାବରୁ ଜିଲ୍ଲାରେ ଗୃହପାଳିତ ଗାଈଗୋରୁଙ୍କ ସର୍ବସାଧାରଣ ସ୍ଥାନରେ ବିଚରଣ କରିବା ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ନିରୀହ ପଶୁମାନେ ରାସ୍ତା ଘାଟରେ ବୁଲି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କର ଜୀବନ ବଞ୍ଚାଇବା ପାଇଁ କାଞ୍ଜିଆହୁଦା ଯଦି କାର୍ଯ୍ୟକ୍ରମ ହୋଇ ପାରିଥାନ୍ତା ତେବେ ସେମାନେ ତାଙ୍କ ଜୀବନ ବଞ୍ଚାଇ ପାରିଥାନ୍ତେ ଆଉ ମାଲିକମାନେ ମଧ୍ୟ ସେମାନଙ୍କ ଗୃହପାଳିତ ପଶୁଙ୍କୁ କାଞ୍ଜିଆହୁଦାରୁ ମୁକୁଳେଇବା ପାଇଁ ଜରିମାନା ଦେଇ ସାବାଡ଼଼ ହୋଇ ପାରିଥାନ୍ତେ।

ଏହି ବିଷୟ ନେଇ ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଗଞ୍ଜାମ ଜିଲ୍ଲା ପ୍ରାଣୀ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ମଧ୍ୟ ଏହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୁତି ଦେଇଛନ୍ତି ।

Comments (0)
Add Comment