ଯୋଗର ଯୁଗଦ୍ରଷ୍ଟା ପୂଜ୍ୟ ପ୍ରକାଶ ଲାଲ ଜୀଙ୍କ ୧୭ତମ ପୁଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।

ଭୁବନେଶ୍ୱର,୩୦/୦୭(ପିପିଟି):ଯୋଗର ଯୁଗଦ୍ରଷ୍ଟା, ଭାରତୀୟ ଯୋଗ ସଂସ୍ଥାନର ପ୍ରତିଷ୍ଠାତା , ପୂଜ୍ୟ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ୧୭ତମ ପୁଣ୍ୟତିଥି (ସ୍ମୃତି ଦିବସ) ଅବସରରେ ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶାର ନୟାପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ ଜିଲ୍ଲା ଗଭର୍ଣ୍ଣର ତଥା ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ର ଅବସର ପ୍ରାପ୍ତ ବୈଜ୍ଞାନିକ ଡାକ୍ତର ହେମନ୍ତ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ଉପକାରିତା ଉପରେ ପ୍ରେରଣାଦାୟକ ଉଦବୋଧନ ଦେଇଥିଲେ । ଭଜନ ପରିବେଷଣ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପରେ ପ୍ରଦୀପ ପ୍ରଜ୍ୱଳନ ସହ ସମବେତ ସ୍ୱରରେ ଗାୟତ୍ରୀ ମନ୍ତ୍ର ଓ ସରସ୍ୱତୀ ବନ୍ଦନା ପରିବେଷଣ କରାଯାଇଥିଲା । ଏହାପରେ ଉପସ୍ଥିତ ସଦସ୍ୟ ସଦସ୍ୟାମାନଙ୍କ ଦ୍ୱାରା କେତେକ ଯୋଗାସନ ଓ ପ୍ରାଣାୟାମର ଅଭ୍ୟାସ କରାଯାଇଥିଲା ।

ସଭାରେ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ଜୀବନୀ, ଯୋଗ କ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ, ସମାଜ ପ୍ରତି ତାଙ୍କର ନିଃସ୍ୱାର୍ଥ ସେବା, ଭାରତୀୟ ସଂସ୍କୃତି ଓ ଐତିହ୍ୟ ପ୍ରତି ତାଙ୍କର ଗଭୀର ଆସ୍ଥା ଏବଂ ଉଚ୍ଚକୋଟୀର ଆଦର୍ଶ ଗୁଣାବଳୀ ସମ୍ପର୍କରେ ବକ୍ତାମାନେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ନୟାପଲ୍ଲୀ ଜିଲ୍ଲାର ସଂଗଠନ ମନ୍ତ୍ରୀ ମମତା ଦାଶ ପ୍ରକାଶ ଲାଲ ଜୀ ଙ୍କ ଜୀବନ ଓ ଆଦର୍ଶକୁ ଆଧାର କରି ରଚିତ ଏକ ସ୍ୱରଚିତ କବିତା ପାଠ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା ।
ଏହି ଶ୍ରଦ୍ଧାଞ୍ଜଳି ସଭା ମାଧ୍ୟମରେ ଉପସ୍ଥିତ ସଦସ୍ୟମାନେ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ଆଦର୍ଶମୟ ଜୀବନରୁ ପ୍ରେରଣା ଗ୍ରହଣ କରିବା ସହ ଯୋଗକୁ ଘରେ ଘରେ ପହଞ୍ଚାଇ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାର ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ଏଭଳି ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶ ଓ ସ୍ମୃତି ସମାଜକୁ ସୁସ୍ଥ, ସୁନ୍ଦର ଓ ସଂସ୍କାରମୟ ଜୀବନ ଦିଗରେ ଅଗ୍ରସର କରିବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ । ଏହି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ସଭାରେ ନୟାପଲ୍ଲୀ ଯୋଗ ଜିଲ୍ଲାର ପ୍ରଧାନ ଶ୍ରୀ ଜ୍ୟୋତିର୍ମୟ ରଥ, ଜିଲ୍ଲା ମନ୍ତ୍ରୀ ଶ୍ରୀ ରାମ କିଶୋର ଶର୍ମା, ଜିଲ୍ଲା ସଂଗଠନ ମନ୍ତ୍ରୀ  ମମତା ଦାଶ ଏବଂ କ୍ଷେତ୍ର ପ୍ରଧାନ  ପୁଷ୍ପିତା ପଣ୍ଡା ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ସୁନ୍ଦର ଓ ସୁଚାରୁ ଭାବେ ସଞ୍ଚାଳନ କରିଥିଲେ ।

ଶେଷରେ ସମସ୍ତ ଉପସ୍ଥିତ ସଦସ୍ୟ ସଦସ୍ୟା, ରାମଧୂନ୍ ପରିବେଷଣ ପୂର୍ବକ ଶ୍ରଦ୍ଧେୟ ପ୍ରକାଶ ଲାଲ ଜୀଙ୍କ ପବିତ୍ର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଆଦର୍ଶକୁ ଅନୁସରଣ କରି ସୁସ୍ଥ, ସଚେତନ ଓ ଯୋଗମୟ ସମାଜ ଗଠନ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ ।

Comments (0)
Add Comment