***ଯୁବଗୋଷ୍ଠୀ ଓ ରାଜନୀତି***

ଆମ ଦେଶ ବା ରାଜ୍ୟର ସମ୍ବଳ ଯୁବ ଗୋଷ୍ଠୀ। ଏମାନଙ୍କ ହାତରେ ସମାଜର ଭବିଷ୍ୟତ ନିର୍ଭର କରେ ।ଏମାନଙ୍କୁ ଶିକ୍ଷା ଦେବା ବାପା ମାଆଙ୍କ ଯେତିକି ଦାୟିତ୍ଵ, ସରକାରଙ୍କ ମଧ୍ୟ ସେତିକି ଦାୟିତ୍ଵ। ବେଳେ ବେଳେ ଆର୍ଥିକ ଦୁର୍ବଳତା ହେତୁ ଅଧିକାଂଶ ଗରିବ ପିଲାମାନେ ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି। ଏଣୁ ରାଷ୍ଟ୍ର ବା ରାଜ୍ୟ ସରକାର ଶତ ପ୍ରତିଶତ ଶିକ୍ଷିତ କରିବାରେ ବିଫଳ ହୋଇଛି।ଏହା ସମାଜର ଉନ୍ନତି ଦିଗରେ ଘୋର ପ୍ରତିବନ୍ଧକ। ବର୍ତ୍ତମାନ ଶିକ୍ଷାକୁ ଦୁଇ ଭାଗରେ ବିଭକ୍ତ କରି ପାରିବା। ଗୋଟିଏ ସରକାରୀ ସ୍ତରରେ ପ୍ରଦାନ କରାଯାଉନଥିବା ଶିକ୍ଷା ଦାନ ଅନ୍ଯଟି ଘରୋଇ ଶିକ୍ଷା ଦାନ।ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପରିବାରଙ୍କ ପିଲାମାନେ ସରକାରୀ ସ୍କୁଲ କଲେଜରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ଧନୀକ ପରିବାରଙ୍କ ପିଲାମାନେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ମୋଟା ଅଙ୍କର ଫିସ୍ ଦେଇ ବିଦ୍ଯାଧ୍ଯୟନ କରିଥାନ୍ତି। ଏଠାରେ ଶିକ୍ଷାର ଗୁଣାତ୍ମକ ମାନରେ ପ୍ରଭେଦ ଦେଖାଦେଇଥାଏ। ସରକାରୀ ସ୍କୁଲ କଲେଜରେ ଯେଉଁ ଶିକ୍ଷା ଦାନ କରା ଯାଇଥାଏ, ବେସରକାରୀ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ତୁଳନାରେ ଭଲ ଉତ୍ତୀର୍ଣ୍ଣ ଫଳାଫଳ ସନ୍ତୋଷ ଜନକ ହୋଇ ନଥାଏ । ଏହାର ଏକମାତ୍ର କାରଣ ହେଲା ସରକାରୀ ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ସରକାର କୁଆଡେ ଶିକ୍ଷା ବ୍ୟତିତ ଅନ୍ୟାନ୍ୟ କାର୍ଯ୍ଯ ନରେ ନିୟୋଜନ କରିଥାନ୍ତି। ଫଳରେ ଶିକ୍ଷା ପ୍ରଦାନରେ ବାଧା ସୃଷ୍ଟି ହୋଇଥାଏ। ଅନ୍ୟ ପକ୍ଷରେ ଅଧିକାଂଶ ସମୟରେ ଦରମା ବୃଦ୍ଧି କୁ ନେଇ ସରକାରୀ ଶିକ୍ଷକ ଅଧ୍ୟାପକମାନେ ରାଜରାସ୍ତାରେ ଧର୍ମଘଟ କରିବାର ନଜିର ରହିଅଛି। ଘରୋଇ ଶିକ୍ଷାନୁଷ୍ଠାନରେ ନିଯୁକ୍ତ ଶିକ୍ଷକ, ଅଧ୍ୟାପକ ମାନଙ୍କ ଦରମା ବୃଦ୍ଧି ନିମନ୍ତେ କସ୍ପିନ କାଳେ ଆନ୍ଦୋଳନ କି ଧର୍ମଘଟ ହେବା ନାହିଁ। ସେମାନେ ଗୁଣାତ୍ମକ ଶିକ୍ଷାଦାନ କରୁଥିଲେ ମଧ୍ୟ ସ୍ୱଳ୍ପ ଦରମା ଏବଂ ଅନିଶ୍ଚିତ ଭବିଷ୍ୟତ ନେଇ ଜୀବନ ନିର୍ବାହ କରନ୍ତି। ଅଧିକାଂଶ ବ୍ୟକ୍ତି ସରକାରୀ ଚାକିରି ଖଣ୍ଡେ ହାତେଇବା ପାଇଁ ବ୍ୟାକୁଳ। ଦୁର୍ଭାଗ୍ୟ କଥା ଏହି କି ଯେ ଯେ ଯେଉଁ ସରକାରୀ ଶିକ୍ଷକ ଏବଂ ଅଧ୍ୟାପକମାନେ ସରକାରୀ ଶିକ୍ଷାନୁଷ୍ଠାନରେ ଚାକରୀ କରିଥାନ୍ତି, ସେମାନ ସନ୍ତାନ ମାନଙ୍କୁ ସରକାରୀ ସ୍କୁଲ କଲେଜରେ ନ ପାଠ ପଢାଇ ଘରୋଇ ଶିକ୍ଷାନୁଷ୍ଠାନରେ ବିଦ୍ଯାଧ୍ଯୟନ ପାଇଁ ଭର୍ତ୍ତି କରିଥାନ୍ତି।ଏଥିରୁ ଅନୁମେୟ ଯେ ସରକାରୀ ଶିକ୍ଷାନୁଷ୍ଠାନରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉ ନାହିଁ। ସରକାରୀ ସ୍କୁଲରେ ମାଗଣା ମଧ୍ୟାହ୍ନ ଭୋଜନ, ମାଗଣା ପୋଷାକ ଓ ଅନ୍ୟାନ୍ୟ ସୁବିଧା ସତ୍ତ୍ୱେ ସରକାରୀ ଚାକିରିଆ ଙ୍କ ପିଲାମାନେ ସେଠାରେ ପାଠ ପଢନ୍ତି ନାହିଁ।ଶିକ୍ଷା କ୍ଷେତ୍ରରେ ସଂସ୍କାର ଆସିବା ଦରକାର। ଯଦି ସରକାରୀ ସ୍କୁଲ କଲେଜରେ ସରକାରୀ ଚାକିରିଆ ଙ୍କ ପିଲାମାନେ ଅଧ୍ୟୟନ କରନ୍ତି, ତେବେ ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି ପାଇଥାନ୍ତା । ରାଜ୍ୟ ସରକାର ଏଥି ପ୍ରତି ଧ୍ଯାନ ଦେବା ଆବଶ୍ୟକ। ଯେଉଁ ଜିଲ୍ଲାର ସର୍ବୋଚ୍ଚ ସରକାରୀ ପଦବୀରେ ଆସୀନ ଯଥା ଜିଲ୍ଲା ପାଳ ଏବଂ ଏସପିଙ୍କ ପିଲାମାନେ ସରକାରୀ ସ୍କୁଲ କଲେଜରେ ପାଠପଢିବା ଉଚିତ୍। ତାହା ହେଲେ ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାର ଗୁଣାତ୍ମକ ମାନ ରହିଥାନ୍ତା । ସରକାରୀ ଶିକ୍ଷାନୁଷ୍ଠାନରେ ଯେଉଁ ଶିକ୍ଷା ଦାନ କରାଯାଉଛି, ସେହି ଛାତ୍ରଛାତ୍ରୀମାନେ କେବଳ ସାକ୍ଷାତା ହାର ବୃଦ୍ଧିରେ ସହାୟକ ହେବା ବ୍ୟତୀତ, ସେମାନଙ୍କୁ କୌଣସି ସରକାରୀ ବା ବେସରକାରୀ ସଂସ୍ଥାରେ ନିଯୁକ୍ତି ମିଳିବା କଠିନ। ଫଳରେ ସରକାରୀ ଶିକ୍ଷା ଗ୍ରହଣ କରି ଯେନତେନ ଉତ୍ତୀର୍ଣ୍ଣ ହୋଇଥିବା ଯୁବକର ଭବିଷ୍ୟତ ଅନ୍ଧକାର ମୟ ହୋଇ ଥାଏ। ନିଯୁକ୍ତି ଆଶାରେ ଧାଇଁ ଧାଇଁ ନୈରାଶ୍ୟ ହେଲା ପରେ ବାଧ୍ଯ ହୋଇ ଯୁବକ ମାନେ ଦାଦନ ଖଟିବାକୁ ପ୍ରସ୍ତୁତ ହୋଇଥାନ୍ତି। ଯେଉଁ ଶିକ୍ଷା ଦ୍ବାରା ଭବିଷ୍ୟତରେ ଜୀବିକାର୍ଜନରେ ସହାୟକ ହୋଇ ନଥାଏ ସେପରି ଶିକ୍ଷାର ମହତ୍ତ୍ଵ କ’ଣ ? ତେଣୁ ସରକାର ଏଥି ପାଇଁ ଚିନ୍ତାକରିବା ଆବଶ୍ୟକ।
ରାଜତନ୍ତ୍ର ପରେ ମୋଗଲ ଓ ଇଂରେଜୀ ଶାସନ ଯୋଗୁଁ ଭାରତ
ଜନତା ସବୁ ଦିଗରୁ ନିସ୍ପେଷିତ ଓ ଶୋଷଣର ଶିକାର ହଲା ପରେ ଆମେ ୧୯୪୭ ଅଗଷ୍ଟ ୧୫ ରେ ସ୍ବାଧୀନତା ପାଇ ଏକ ଗଣତନ୍ତ୍ର ଶାସନ ପାଇଲୁ । ଆମେ ସମସ୍ତେ ସ୍ବପ୍ନ ଦେଖିଥିଲୁ ସ୍ବାଧୀନତା ପରେ ଏକ ଶୋଷଣ ମୁକ୍ତ ସୁଶାସନ ପାଇବୁ । କିନ୍ତୁ ଆଜି ମଧ୍ୟ ବସ୍ତ୍ର, ବାସଗୃହ ଏବଂ ଖାଦ୍ୟ ଯାହା କି ଗୋଟିଏ ବ୍ୟକ୍ତିର ବଞ୍ଚିବାର ମୌଳିକ ଅଧିକାର ରହିଛି, ପୂରଣ କରିବା ରେ ସରକାର ବିଫଳ।ସମଜରେ ହତ୍ୟା,ଅପରାଧର, ଯୌନ ଉତ୍ପୀଡନ, ଶୋଷଣ, ଚୋରୀ, ଡକାୟତ, ଅଶାନ୍ତ, ଅସ୍ଥିରତା, ଜାତି,ଧର୍ମକୁ ନେଇ ସାଂପ୍ରଦାୟିକ ହିଂସାକାଣ୍ଡ କ୍ରମଶଃ ବୃଦ୍ଧି ପାଇଛି। ସରକାରୀ କଳଗୁଡିକ ଲାଞ୍ଚ, ଦୁର୍ନୀତିରେ କଳଙ୍କିତ।ସବୁଠି ଭ୍ରଷ୍ଟାଚାରର କାୟା ବିସ୍ତାର କରିଛି। ବେଳେ ଆମ ଶାସନରେ ଅଣ ନିଃଶ୍ବାସୀ ହୋଇ ପଡ଼ୁଥିବା ଜନତା ବ୍ରିଟିଶ ଶାସନ ଏହା ଠାରୁ ସର୍ବୋତ୍ତମ ବୋଲି ବିବେଚନା କରିଥାନ୍ତି।
ଭାରତରେ ଗଣତନ୍ତ୍ର ଶାସନ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରୁ ଲାଗୁ ହେଲା ପରେ ୧୯୫୧ ମସିହାରେ ପ୍ରଥମ ନିର୍ବାଚନ ପ୍ରକ୍ରିୟାରେ ଆମେ ଲୋକ ପ୍ରତିନିଧିମାନଙ୍କୁ ବାଛିଲି । ଆଜକୁ ଆମେ ୭୩ ବର୍ଷ ହେଲା ନେତାଙ୍କ ଦ୍ବାରା ଶାସିତ। କିନ୍ତୁ
ସାଧାରଣତଃ ଯୁବଗୋଷ୍ଠୀ ହାତରେ କାମ ନାହିଁ। ଉତ୍କଟ ବେକରୀ ସମସ୍ୟା ଧୀର ଧୀରେ କାୟା ବିସ୍ଥାର କରୁଛି। ଯୁବଗୋଷ୍ଠୀ ବାଧ୍ୟ ହୋଇ ପଥ ଭ୍ରଷ୍ଟ ହେଉଛି। ଗାଁ ଗାଁରେ ସରକାର ରାଜସ୍ବ ବୃଦ୍ଧି ପାଇଁ ଦେଶୀ ବିଦେଶୀ ମଦ ଦୋକାନ ଖୋଲିବା ଯୋଗୁଁ ଯୁବକମାନେ ମଦ୍ୟ ପାନ କରି ଗଣ୍ଡଗୋଳ, ହତ୍ୟା ଅପରାଧରେ ସଂପୃକ୍ତ ରହି ଥାନ୍ତି। ଯୁବଗୋଷ୍ଠୀ କର୍ମ ସଂସ୍ଥାନ ଅଭାବରେ ବିଭିନ୍ନ ରାଜନୈତିକ ଦଳ ଆଡକୁ ଆକୃଷ୍ଟ ହୋଇ ଅସାଜିକ କାର୍ଯ୍ୟକଳାପକୁ ବହୁଗୁଣିତ କରିଥାନ୍ତି। ଯେଉଁ ଗାଁ ଗୁଡ଼ିକ ଦିନେ ସ୍ବର୍ଗୀୟ ଭୂଖଣ୍ଡ ବୋଲି ବିବେଚନା କରାଯାଉଥିଲା, ଆଜି ନର୍କରେ ପରିଣତ ହେବାରେ ଲାଗିଛି।
ଯେଉଁ ଗାଁରେ ଦନେ ମଦ୍ଯ ପଦ୍ଯପକୁ ଘୃଣା କରାଯାଉଥିଲା, ଆଜି ମଦ ବିକ୍ରି ଅବାଧରେ ଚାଲିଛି। ମଦ୍ଯପ ପ୍ରାୟ ପ୍ରତ୍ୟେକ ଘରେ ଦୃଷ୍ଟି ଗୋଚର ହେଉଛି। ମଦ୍ୟପାନ କରି ଯଦୁ ବଂଶ ନାଶ ହେଲା ପରି ଗାଁ ଗୁଡିକର ଅବସ୍ଥା ସେୟା । ଗାଁ ଗୁଡିକରେ ସୁଖ ଶାନ୍ତି କିଛି ନାହିଁ। ଦାରିଦ୍ର୍ୟ ସାଙ୍ଗକୁ ପରଶ୍ରୀକାତ୍ତରତା ଗାଁ ଗାଁରେ
ସୀମା ଲଙ୍ଘିଛି। ଏହାର ଏକମାତ୍ର କାରଣ କର୍ମନିଯୁକ୍ତି ଘୋର ଅଭାବ। ଗାଁ ରେ ରାଜନୈତିକ ଦଳଗୁଡ଼ିକରେ ଯୁବଗୋଷ୍ଠୀକୁ ଭାଗ ଭାଗ କରି ରାଜନୀତିର ନିଶାରେ ବୁଡାଇ ଦିଆଯାଉଛି । ଏଥିରୁ ରାଜନୈତିକ ଦଳଗୁଡ଼ିକ ଫାଇଦା ଉଠାଇଥାନ୍ତି। ନିର୍ବାଚନ ବେଳେ ଯୁବଗୋଷ୍ଠୀଙ୍କୁ ମଦ ଓ ଅର୍ଥ ଦେଇ କିଛି ଦିନ ପାଇଁ ଆପଣର କରି ନେଇଥାନ୍ତି। ସେହି ସମୟରେ ନେତାଙ୍କ ଇଙ୍ଗିତରେ ଯୁବଗୋଷ୍ଠୀ ପରିଚାଳିତ ହୋଇଥାନ୍ତି। ନେତାଙ୍କ ନିର୍ଦ୍ଦେଶରେ ଯୁବଗୋଷ୍ଠୀ ହିଂସାକାଣ୍ଡ ଘଟାଇବା ପାଇଁ ପଶ୍ଚାତ ପଦ ହୋଇ ନଥାନ୍ତି। ଓଡ଼ିଶାରେ ଅଧିକାଂଶ ଅପରଧ ରାଜନୈତିକ ନେତାମାନଙ୍କ ନିର୍ଦ୍ଦେଶନାରେ ହୋଇ ଥାଏ। ଯେଉଁ ମାନେ ନେତାଙ୍କ ସମର୍ଥନ ରେ ଅପରାଧ କରିଥାନ୍ତି, ସେହି ଅପରାଧୀମାନଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରିଥାଏ ଏବଂ ଅଭିଯୋଗକାରୀ ଓଲଟି ଧମକ ଚମକ ପାଇଁ କାନ ମୁଣ୍ଡ ଆଉଁସି
ନିରବ ରୁହେ । ବହୁ ଅଭିଯୋଗକୁ ପୋଲିସ ଅଗ୍ରାହ୍ୟ କରି ଦିଏ । ନ୍ୟାୟ ପାଇବା ଆଶାରେ ସାଧାରଣ ଜନତା ଏ ଦପ୍ତର ସେ ଦପ୍ତର ବୁଲି ବୁଲି ଶେଷରେ ହତାଶ ହୁଏ।
ଆଜି ଓଡ଼ିଶାରେ ସ୍ଥାୟୀ ସରକାର ଥିଲେ ମଧ୍ୟ ଉତ୍କଟ ବେକରୀ ସମସ୍ୟା ବୃଦ୍ଧି ପାଇଛି। ଓଡ଼ିଶାରୁ ଲକ୍ଷ ଲକ୍ଷ ବେକରୀ ଅନ୍ୟ ରାଜ୍ୟରେ ଦାଦନ।ସୁରାଟର ସୂତାକଳ, ଲୁଗା କାଳରେ ଓଡ଼ିଶାର ସବୁ ଜିଲ୍ଲାର ଯୁବଗୋଷ୍ଠୀ ମିଳିବେ । ତେବେ ଯେଉଁ ସ୍ବଭିମାନୀ ଓଡ଼ିଶାର କଳିଙ୍ଗ ଷଣ୍ଢ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କର ସ୍ଵପ୍ନ ଥିଲା ପ୍ରାକୃତିକ ସଂପଦରେ ଭରପୂର ଓଡ଼ିଶାରେ କଳକବଜା ସ୍ଥାପନ କରି ଓଡ଼ିଆ ଯୁବକମାନଙ୍କୁ କର୍ମ ନିଯୁକ୍ତି ଦେବେ, ଓଡ଼ିଆ ପୁଅ କେବେ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବେ, ଓଡ଼ିଶାର ସ୍ବାଭିମାନକୁ ପଦ ଦଳିତ କରିବେ, ଯଦି ବିଜୁବାବୁ ଜୀବିତ ରହିଥାନ୍ତେ, କଦାପି ସହ୍ୟ କରିପାରି ନଥାନ୍ତେ । ଆଜି ୨୫ ବର୍ଷର ସ୍ଥାୟୀ ସରକାର କଳକବଜା ତ ଛାଡ ଛୁଞ୍ଚି କାରଖାନା କରିବାର ଦୃଷ୍ଟାନ୍ତ ନାହିଁ। ତଥାପି ଗୋଟିଏ
ଅପାର ସରକାରକୁ ଜନତା ବାରମ୍ବାର ଚୟନ କରିବା ବିଶ୍ବରେ ବିରଳ ଘଟଣା।
କିଛି ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କୁ କର୍ମ ନିଯୁକ୍ତି ନକରି ମାଗଣା ଚାଉଳ ଏବଂ ଅନ୍ୟାନ୍ୟ ମାଗଣା ବଣ୍ଟନ କରି
ଦରିଦ୍ର ଜନତାଙ୍କ ହୃଦୟରେ ରାଜ କରିବା ଏକ ପ୍ରକାର ନିର୍ବାଚନ ଜିତିବାର ସହଜ ସରଳ କୌଶଳ। ମାଗଣା ଖାଇବା
ଲୋକମାନେ ବି ସେମିତି ସରକାରଙ୍କୁ ଭୋଟ ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଚିର ଦରିଦ୍ର ରହି ମାଗଣା ଖାଇ ବଞ୍ଚୁଥିବାରେ ଆନନ୍ଦ ଉପଲବ୍ଧି କରନ୍ତି। ଯେମିତି ପଶୁ।ଖାଇ ପିଇ ଛୁଆ ଜନ୍ମ ଦେଇ, ଶେଷରେ ମରେ । ଏମିତି ଦରିଦ୍ରତା ମଧ୍ୟରେ
ଜନ୍ମ ନେଇଥିବା ଯୁବଗୋଷ୍ଠୀ ସବୁଠି ପଥଭ୍ରଷ୍ଟ। ମହାତ୍ମାଗାନ୍ଧୀ ରାମ ରାଜ୍ୟର ସ୍ବପ୍ନ ଦେଖିଥିଲେ । ସମସ୍ତେ ସୁଖ ଶାନ୍ତିରେ ରହିବା, ସମସ୍ତଙ୍କୁ ସମାନ ନ୍ୟାୟ ମିଳିବା ଥିଲା, ରାମରାଜ୍ୟ ପରିକଳ୍ପନା। କିନ୍ତୁ ରାମଙ୍କୁ ନେଇ ହିଂସା କାଣ୍ଡ, ଗୋଷ୍ଠୀ ସଂଘର୍ଷକୁ ବର୍ତ୍ତମାନ ପ୍ରାଧାନ୍ୟ ଦିଆଯାଉଛି ।ଏହା କି ପ୍ରକାରର ରାମ ରାଜ୍ୟ ?କି ପ୍ରକାରର ରାଜନୀତି? ବହୁ ଯୁବଗୋଷ୍ଠୀଙ୍କୁ ଧର୍ମ ନାଁରେ ଉନ୍ମାଦନାର ବୀଜ ବପନ କରାଯାଉଛି। ଧର୍ମାନ୍ଧତା
ମଣିଷ ପଶୁ ସ୍ତରକୁ ଖସି ଆସୁଛି । କିଛି ରାଜନୈତିକ ଦଳଗୁଡ଼ିକ ଏବେ ଧର୍ମ ଆଢ଼ୁଆଳରେ ରାଜନୀତିକୁ ପ୍ରୋତ୍ସାହନ କରୁଛନ୍ତି। ଯେହେତୁ ଧର୍ମ ଏକ ମଣିଷର ଭାବାବେଗ। ଏହି ଭାବାବେଗକୁ ନେଇ ରାଜନୈତିକ ଦଳଗୁଡ଼ିକ ଜନତାଙ୍କ ମୁଣ୍ଡରେ ଆଶାନ୍ତିର ବିଷ ପ୍ରୟୋଗ କରି ସଫଳତା ଅର୍ଜନ କରନ୍ତି । ଯେଉଁ ସଂବିଧାନରେ ପ୍ରସ୍ତାବନାରେ ଉଲ୍ଲେଖ କରାଯାଇଛି ଯେ…”ଆମେ ଭାରତ ଲୋକେ ଭାରତକୁ ଏକ ସଂପୂର୍ଣ୍ଣ ପ୍ରଭୂତା ସଂପନ୍ନ ସମାଜବାଦୀ, ଧର୍ମ ନିରପେକ୍ଷ,ଲୋକତନ୍ତ୍ରାତ୍ମକ ଗଣରାଜ୍ୟ ଗଠନ କରିବା ନିମିତ୍ତ ଏବଂ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ, ତଥା ବିଚାର, ଅଭିବ୍ୟକ୍ତି, ବିଶ୍ବାସ, ଧର୍ମ ଏବଂ ଉପାସନାର ସ୍ବାଧୀନତା ଏବଂ ପ୍ରତିଷ୍ଠା ଓ ସୁଯୋଗ ର ସମାନତା ପ୍ରାପ୍ତ କରିବା ନିମିତ୍ତ,ତଥା ସେମାନଙ୍କ ମଧ୍ୟରେ ବ୍ୟକ୍ତି ର ଗରିମା ଓ ରାଷ୍ଟ୍ର ର ଏକତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରୁଥିବା ଭାତୃତ୍ବ ବର୍ଦ୍ଧନ କରିବା ନିମିତ୍ତ ଦୃଢ଼ ସଂକଳ୍ପ ହୋଇ ଆମ୍ଭମାନଙ୍କର ଏହି ସଂବିଧାନ ସଭାରେ ଅଦ୍ଯ ୧୯୪୯ ମସିହା ନଭେମ୍ବର ମାସ ଷଡବିଂଶ ଦିବସ ରେ ଏହି ସଂବିଧାନକୁ ଏତଦ୍ୱାରା ଅଙ୍ଗୀକୃତ ଅଧିନିୟମିତ ଏବଂ ଆତ୍ମାର୍ପିତ କରୁଅଛୁ.. “।
ତେବେ ଏହା କେତେ ଦୂର ଆମ ନେତାମାନେ ପାଳନ କରି ଆସୁଛନ୍ତି, ଶିକ୍ଷିତ ବର୍ଗ ଚିନ୍ତା କରି ରବି ଉଚିତ୍। ସଂବିଧାନକୁ ଅବମାନନା କରି ବହୁ ନେତା ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଯେଉଁ ରାଜନୈତିକ ନେତାମାନେ ବା ଦଳ ସଂବିଧାନକୁ ଅବମାନନା କରି ସେମାନଙ୍କ ସ୍ବେଛାକୃତ ଶାସନକୁ ରାଷ୍ଟ୍ର ଏବଂ ରାଜ୍ୟ ଉପରେ ନ୍ୟସ୍ତ କରିବାକୁ ଚାପ ପ୍ରୟୋଗ କରୁଛନ୍ତି, ସେମାନଙ୍କୁ ନିର୍ବାଚନ ସମୟରେ ପ୍ରତ୍ୟାଖାନ କରିବା ଉଚିତ୍।
ଆମକୁ ବଞ୍ଚିବା ପାଇଁ ପ୍ରଥମେ ରୋଜଗାର ଆବଶ୍ୟକ। ଏଥି ପାଇଁ ନିର୍ବାଚିତ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଯେଉଁ ସରକାର ଜନତା କଲ୍ୟାଣ ନକରି ନିଜ ସ୍ବାର୍ଥ ସାଧନରେ ଜଡ଼ିତ, ସେହି ଦଳ ବା ସରକାରଙ୍କୁ ପରିତ୍ୟାଗ କରିବା ବିଧେୟ। ଆଜି ଦରଦାମ ନିୟନ୍ତ୍ରଣ, ବେକରୀ ସମସ୍ୟା ବୃଦ୍ଧି, ଧର୍ମ ନାଁରେ ସାଂପ୍ରଦାୟିକ ହିଂସା, ଦାଦନ ଦୁଃଖ,ଗୁଣ୍ଡା ରାଜ, ଦୁର୍ନୀତି, ଭ୍ରଷ୍ଟାଚାର, ଶୋଷଣ, ଅତ୍ୟାଚାର ସର୍ବତ୍ର ବିରାଟ ସମସ୍ୟା ହୋଇ ସମାଜ ସମୁଖରେ ଦଣ୍ତାୟମାନ। ଏଣୁ ଯେଉଁ ଯୁବଗୋଷ୍ଠୀ ଏ ସମାଜର ଏକ ଶକ୍ତି, ସାମର୍ଥ୍ୟ ଏବଂ ପ୍ରଗତିର ପ୍ରତୀକ, ସେମାନେ ପଥଭ୍ରଷ୍ଟ ନ ହୋଇ ସୁନ୍ଦର ରାଷ୍ଟ୍ର ନିର୍ମାଣରେ ନିଜକୁ ଉତ୍ସର୍ଗ କଲେ , ଆମ ସଂବିଧାନ ର ମହତ୍ ଉଦ୍ଦେଶ୍ୟ ସାଧିତ ହେବ ।

(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ, ଏମ୍ଏ, ସମାଜ ବିଜ୍ଞାନ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Comments (0)
Add Comment