***ଯାହା ଥିଲା ହସ***

***ଯାହା ଥିଲା ହସ***

ଯାହା ଥିଲା ହସ ଓଠରେ ମୋହର
ସବୁ ତ ଛଡାଇ ନେଲୁ…..
ଯାହା ଥିଲା ସୁଖ ଶିରୀ ଥିଲା ମୋ ଜୀବନେ
ଲୁହରେ ଭସାଇ ଦେଲୁ ରେ କାଳିଆ
ଦାଣ୍ଡର ଭିକାରୀ କଲୁ….(ଘୋଷା)
ଜାଣି ମୁଁ ନଥିଲି କପଟିଆ ବୋଲି
ଭଗାରି ହସା ତୁ କଲୁ….
ମିଛେ ସିନା ତତେ ଆପଣାର କଲି
ସାଗରକୁ ଠେଲି ଦେଲୁ ରେ କାଳିଆ
ଏଡେ ନିଷ୍ଠୁର ତୁ ହେଲୁ……!୧!
ଜନମ ଦେଲୁ ତୁ ମଣିଷ ଭାବରେ
ଭାବ ବିନୋଦିଆ ହରି….
ଜାଣିନ ପାରିଲି ଅତୀତ ଜନମ
ଭବିଷ୍ୟତ ମାୟା ପରିରେ କାଳାଆ
ଭେଳିକି ରେ ଅଛି ପୂରି…….!୨!
ଜପି ତୋର ନାମ ଦିନ ମୋ କଟଇ
ତୋ ପାଦପଦ୍ମକୁ ପୂଜି….
ଟଳୁ ନାହିଁ କାଳ ଦଣ୍ଡ ଦୁରୁ ଦଣ୍ଡ
ଖଣ୍ତୁନି ବିପଦ ହେଜିରେ କାଳିଆ
କାନ୍ଦି ଗଣ୍ଡ ଯାଏ ଭିଜି….!୩!
ଚକାନୟନକୁ ସ୍ମରଣ କରି ମୋ
କତରାରେ ଅଛି ପଡ଼ି…..
ଯାଇନ ପାରୁଛି ବଡ ଦେଉଳକୁ
ଡାକେ ଘରୁ କର ଯୋଡ଼ି ରେ କାଳିଆ
ନେବୁ କେବେ ପ୍ରାଣ କାଢି….!୪!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment