ଯାଜପୁର ଠାରେ ରାଜ୍ୟ ଦକ୍ଷତା ବିକାଶ ତଥା ନିୟୋଜନ ନିର୍ଦ୍ଦେଶିକା ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା।

ଯାଜପୁର,୧୯/୧୦(ପିପିଟି) : ରାଜ୍ୟ ଦକ୍ଷତା ବିକାଶ ତଥା ନିୟୋଜନ ନିର୍ଦ୍ଦେଶିକା ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ କର୍ତ୍ତୃପକ୍ଷ ତଥା ଯାଜପୁର ଜିଲ୍ଲାର ନୋଡାଲ ଅଧିକାରୀ ରଶ୍ମିତା ପଣ୍ଡା ଦୁଇଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ପ୍ରଥମ ଦିନରେ ନଗଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଆମ କଳିକା କେନ୍ଦ୍ରରେ ଶିଶୁମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ଦେଓଗାଁ ଆଶ୍ରମ ବିଦ୍ୟାଳୟ, ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲ୍, କଙ୍କଡା ପାଳ ବାଇଓ ଫ୍ଲକ୍, କାଳିଆପାଣି ବାଇଓ ଡ଼ାଇଭରସିଟି ପାର୍କ,ସୁକିନ୍ଦା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ,ବ୍ୟାସନଗର ସ୍କିଲ ଡେଭଲପମେଣ୍ଟ ସେଣ୍ଟର୍ ପରିଦର୍ଶନ କରିଥିଲେ । ଦ୍ଵିତୀୟ ଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀମାନଙ୍କ କରି ରୋଗୀମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ମାଗଣା ଔଷଧ ବିତରଣ କେନ୍ଦ୍ର, ଓପିଡି ଇତ୍ୟାଦି ପରିଦର୍ଶନ କରିଥିଲେ। ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡାଙ୍କ ସହ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ସି.ଡି.ଏମ.ଓ ଡ଼ା. ଶିବାଶିଷ ମହାରଣା, ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ା. ସିତାରାମ ମହାପାତ୍ର ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ। ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହଠାରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସମୀକ୍ଷା ବୈଠକରେ ଉପସ୍ଥିତ ରହି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା,ପ୍ରକଳ୍ପ ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ନିର୍ଦ୍ଦେଶିକାଙ୍କୁ ଅବଗତ କରାଇଥିଲେ। ଏହି ବୈଠକରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ସେତୁବନ୍ଧନ ଯୋଜନା, ପଞ୍ଚସଖା ଶିକ୍ଷାସେତୁ,ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପି.ଏମ ସ୍କୁଲସ୍ ଫର୍ ରାଇଜିଂ ଇଣ୍ଡିଆ, ସୁଭଦ୍ରା ଯୋଜନା, ପୋଷଣ ଅଭିଯାନ, ଅନୁସୂଚିତ ଜନଜାତି ହଷ୍ଟେଲ, ସ୍ଵତନ୍ତ୍ର ୟୁବା ଉଦ୍ୟମ (ସ୍ୱୟଂ), ଅମୃତ ପ୍ରୋଜେକ୍ଟ, ଚାଷୀମାନଙ୍କଠାରୁ ଧାନ ସଂଗ୍ରହ,ମଣ୍ଡି ଭିତ୍ତିଭୂମି,ସାଧାରଣ ବଣ୍ଟନ ବ୍ୟବସ୍ଥା, ଜାତୀୟ ସାମାଜିକ ସୁରକ୍ଷା ଯୋଜନା, ମଧୁବାବୁ ପେନସନ ଯୋଜନା, କୃଷକମାନଙ୍କ ପାଇଁ ରିହାତି ଦରରେ ସୁଧ,ଗ୍ରାମ୍ୟ ବିଦ୍ୟୁତିକରଣ, ଗ୍ରାମ୍ୟ ଶିଳ୍ପ ପାର୍କ, ଜିଲ୍ଲାସ୍ତର ଏବଂ ଉପ ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣି, ଜନ ଶୁଣାଣି ପୋର୍ଟାଲ ରେ ଶୁଣାଣି ହୋଇନଥିବା ଅଭିଯୋଗ,ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସୁଭଦ୍ରା ଯୋଜନାରେ ଆଜି ସୁଦ୍ଧା ୪୭୩୭୪୫ ଟି ଆବେଦନ ପଞ୍ଜିକରଣ ହୋଇଥିବାବେଳେ ୭୯୭୬ ଆବେଦନ ଖାରଜ ହୋଇଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୂଚନା ଦେଇଥିଲେ। ଖାରଜ ଆବେଦନ ଗୁଡ଼ିକ ବ୍ଲକ ସ୍ତରରେ ତନ୍ନଖି କରାଯିବ। ଚଳିତ ବର୍ଷ ଧାନକ୍ରୟ ନିମନ୍ତେ ୫୩,୧୭୭ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ୧୨୭ ଟି କୃଷି ସମବାୟ ସମିତି ଜରୀଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ। ଧାନ ମଣ୍ଡିରେ ନୋଡାଲ ଅଧିକାରୀ ଓ ୪/୫ ଟି ମଣ୍ଡିକୁ ନେଇ ସୁପରଭାଇଜର ନିୟୋଜିତ ହେବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ନୋଡାଲ ଅଧିକାରୀମାନେ ପ୍ରଚାର ପ୍ରସାର ମାଧ୍ୟମରେ ଚାଷୀମାନଙ୍କୁ ସଚେତନ କରାଇବେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା,ଶୁଭେନ୍ଦ୍ର କୁମାର ସାମଲ,ସପନ କୁମାର ନନ୍ଦ,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶୋକ କୁମାର ଵେହୁରିଆ, ଉପ ଜିଲ୍ଲାପାଳ ଅଂଶୁମାନ ଶତପଥୀ, ଜିଲ୍ଲା ସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅପରାହ୍ନରେ ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡା ବରୁଆଁ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଗୁଡିକର ଏଚ.ଆର. ଏବଂ ସି.ଏସ. ଆର ମୁଖ୍ୟ ମାନଙ୍କ ସହ ଜିଲ୍ଲାରେ ଦକ୍ଷତା ବିକାଶ ସମ୍ବନ୍ଧୀୟ ଆଲୋଚନା କରିଥିଲେ ।

(ରିପୋର୍ଟ- ଅକ୍ଷୟ କୁମାର ରାଉତ।)

Comments (0)
Add Comment