ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ।

ଯାଜପୁର,୧୬/୧୧(ପିପିଟି): ଆଜି ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ – ୨୦୨୫ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା କହିଲେ ଗଣମାଧ୍ୟମ ବନ୍ଧୁ ମାନଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ଦିନ। ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠିତ ହୋଇଥିଲା। ଏହି ଦିବସ କୁ ସ୍ମରଣୀୟ ରଖିବା ପାଇଁ ଜାତୀୟ ପ୍ରେସ ଦିବସ ସାରା ଭାରତ ବର୍ଷରେ ପାଳିତ ହୋଇ ଆସୁଛି। ବାତ୍ୟା ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ପୂର୍ବରୁ ଗଣମାଧ୍ୟମ ଦ୍ୱାରା ଆମେ ସଚେତନ ଓ ସଜାଗ ହୋଇପାରୁଛୁ। ସମାଜର ବିକାଶ ପଥରେ ଗଣମାଧ୍ୟମର ଅବଦାନ ରହିଛି। ସତ୍ୟର ଅନୁସନ୍ଧାନ ପୂର୍ବକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଦିବସରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମିଡିଆ ର ସମସ୍ତ ପ୍ରତିନିଧିଙ୍କୁ ପ୍ରେସ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କହିଲେ ସମ୍ବାଦ ପରିବେଷଣରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ସତ୍ୟ ଓ ମତାମତ ଆଧାରିତ ସକାରାତ୍ମକ ସମ୍ବାଦ ପରିବେଷଣ ଉପରେ ମତ ବ୍ୟକ୍ତ କରିଥିଲେ। ସାମାଜିକ ଗଣମାଧ୍ୟମ ଆସିଲା ପରେ ମୋବାଇଲ ଥିବା ଯେକୌଣସି ବ୍ୟକ୍ତି ଖବରର ସଠିକ୍ ବିଶ୍ଳେଷଣ ନ କରି ସମ୍ବାଦ ପରିବେଷଣ କରୁଛନ୍ତି ଯାହାକି ସମାଜ ପାଇଁ କ୍ଷତିକାରକ। ଗଣମାଧ୍ୟମର ଦାୟିତ୍ଵ ଓ କର୍ତ୍ତବ୍ୟବୋଧ ରହିଛି। ଉକ୍ତ ଦିବସ ଅବସରରେ ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଗଣ ମାଧ୍ୟମର ସହଯୋଗରେ ଜିଲ୍ଲା, ରାଜ୍ୟ ଓ ଦେଶର ଉନ୍ନତି ହୋଇପାରିବ। ନିର୍ଭୀକ ଓ ସତ୍ୟ ସମ୍ବାଦ ଉପସ୍ଥାପନ କରିବାକୁ ମତ ରଖିଥିଲେ। ଅତିରିକ୍ତ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଗଣମାଧ୍ୟମ ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ — ଏକ ସେହି ସଂସ୍ଥା, ଯାହା ଜନମତକୁ ଗଢ଼ିଥାଏ, ଜନମନକୁ ଜାଗରୁକ କରିଥାଏ ଓ ଶାସନକୁ ଜବାବଦେହୀ ରଖିଥାଏ। ସତ୍ୟ, ନିଷ୍ପକ୍ଷତା ଓ ନୈତିକତା ହେଉଛି ଗଣମାଧ୍ୟମର ମୂଳ ଆଧାର। ଏହି ମୂଲ୍ୟଗୁଡ଼ିକ ଅବିଚଳ ରହିଲେ ମାତ୍ର ଗଣମାଧ୍ୟମ ଜନମନରେ ଭରସା ସୃଷ୍ଟି କରିପାରିବ। ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ସମ୍ବାଦ ପରିବେଷଣର ପ୍ରତିଯୋଗିତା ବଢ଼ି ଯାଇଛି। ଜାତୀୟ ପ୍ରେସ ଦିବସ ଅବସରରେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ “ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତାର ସଂରକ୍ଷଣ”ପ୍ରସଙ୍ଗରେ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର,ପ୍ରମାଣ ପତ୍ର ପ୍ରଦାନ ଓ ଫଳ ଚାରା ବଣ୍ଟନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକମାନେ ନିଜ ନିଜର ଅଭିବ୍ୟକ୍ତି ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସଭା ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment