ଯାଜପୁର,୦୮/୦୫(ପିପିଟି) : ଆଜି ଯାଜପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ରେଡକ୍ରସ ଶାଖା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା ରେଡକ୍ରସ ଦିବସର ପାଳନ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ରେଡକ୍ରସର ମୂଳ ମନ୍ତ୍ର ହେଉଛି ମାନବ ସେବା ହିଁ ମାଧବ ସେବା । ରେଡକ୍ରସ୍ ଏକ ଗୁରୁତ୍ବପୂର୍ଣ୍ଣ ମାନବିକ ସଂଗଠନ ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ମାନବ ସେବା। ଏହା ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନକୁ ମନେ ପକାଏ । ଏହି ଦିବସରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ତଥା ଉପାଧ୍ୟକ୍ଷ ଜିଲ୍ଲା ରେଡକ୍ରସ ଶାଖା ଯୁଧିଷ୍ଠିର ନାୟକ କହିଲେ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ୧୮୨୮ ମସିହା ମଇ ୮ ତାରିଖରେ ସୁଇଜରଲ୍ୟାଣ୍ଡର ଜେନେଭା ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମଇ ୮ ତାରିଖକୁ ରେଡକ୍ରସ ଦିବସ ଭାବେ ପାଳନ କରାଯାଏ। ହେନେରୀ ଡୁନାଣ୍ଟ ଇଣ୍ଟରନେସନାଲ୍ କମିଟି ଅଫ ଦି ରେଡକ୍ରସର ପ୍ରତିଷ୍ଠାତା ଥିଲେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୧୯୦୧ ମସିହାରେ ନୋବେଲ ପିସ୍ ପ୍ରାଇଜରେ ପୁରସ୍କୃତ କରାଯାଇଥିଲା। ମୁଖ୍ୟତଃ ଯୁଦ୍ଧରେ ଆହତ ମାନଙ୍କ ଚିକିତ୍ସା ଓ ସେବା ସୁଶ୍ରୁଶା ନିମନ୍ତେ ରେଡକ୍ରସର ସୃଷ୍ଟି ହୋଇଥିଲା । ଜରୁରୀ କାଳୀନ ପରିସ୍ଥିତି ଅବସ୍ଥା ତଥା ଯୁଦ୍ଧରେ ଆହତ ମାନଙ୍କୁ ଚିକିତ୍ସା ଯୋଗାଇବା କ୍ଷେତ୍ରରେ ରେଡକ୍ରସ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏହି ଦିବସରେ ଉପସ୍ଥିତ ରହି ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ କହିଲେ ରେଡକ୍ରସ ସଂଗଠନର ପ୍ରତିଷ୍ଠାତା ହେଉଛନ୍ତି ହେନେରୀ ଡୁନାଣ୍ଟ । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ୧୯୦୧ ମସିହାରେ ପ୍ରଥମେ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ କରିଥଲେ ଏବଂ ପରେ ରେଡକ୍ରସକୁ ପୁନରାୟ ୨ ଥର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ରେଡକ୍ରସ ଶାଖାର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ ଦିଗମ୍ବର କର ଓ ରମାକାନ୍ତ ଜେନା ଯୋଗଦେଇ ରେଡକ୍ରସ ମେମ୍ବର ସଂଖ୍ୟା ବୃଦ୍ଧି କରିବା,ବିଭାଗୀୟ ଅଧିକାରୀ ମାନେ ରେଡକ୍ରସ ପାଣ୍ଠି ବୃଦ୍ଧି ପାଇଁ ସହଯୋଗ କରିବା, ସ୍ବାସ୍ଥ୍ୟ ଶିବିର ଆୟୋଜନ,ବି.ଡି.ଓ ଓ ତହସିଲଦାର ମାନଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ରେଡକ୍ରସର ମୌଳିକ ନୀତି ଆଦର୍ଶ ଉପରେ ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ରେଡକ୍ରସ ଶାଖାର ସମ୍ପାଦକ କୁଳମଣି ନାୟକ ଅତିଥି ପରିଚୟ ଏବଂ ସ୍ବାଗତ ଅଭିଭାଷଣ ରଖିଥିଲେ । ଜିଲ୍ଲା ରେଡକ୍ରସ ଶାଖାର ବାର୍ଷିକ ବିବରଣୀ ପାଠ କରିଥିଲେ । ଗତ ଆର୍ଥିକ ବର୍ଷରେ ୫୬,୯୪,୧୭୭ ଟଙ୍କା ରେଡକ୍ରସ ପାଣ୍ଠିରେ ଆଦାୟ ହୋଇଥିବା ବେଳେ ୪୨,୫୭,୦୯୪ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରକାଶ କରିଥିଲେ। ପଚାଶ ହଜ଼ାର ଟଙ୍କାରୁ ଉର୍ଦ୍ଧ୍ୱ ପାଣ୍ଠି ପ୍ରଦାନ କରିଥିବା ବିଭାଗୀୟ ଅଧିକାରୀଙ୍କୁ ଅତିଥି ମାନେ ଉପଢୌକନ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅବକାରୀ ଅଧିକ୍ଷ, ଉପନିର୍ଦ୍ଦେଶକ ଖଣି,ଯାଜପୁରରୋଡ଼ ଓ ତହସିଲଦାର ଧର୍ମଶାଳା ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ସମ୍ମାନିତ ହୋଇଥିଲେ । ଏହି ଦିବସ ଅବସରରେ ଅଧ୍ୟକ୍ଷା, ଯାଜପୁର ମୁନିସିପାଲିଟି ରଞ୍ଜୁଲତା ହୋତା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ,ବିଭିନ୍ନ ବିଦ୍ୟାଳୟର ଜୁନିଅର ରେଡକ୍ରସ,ୟୁଥ ରେଡକ୍ରସ ଛାତ୍ର ଛାତ୍ରୀ ଏବଂ ମହାବିଦ୍ୟାଳୟର ଅଧ୍ୟାପକ, ସ୍ବେଛାସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।