ଯାଜପୁର,୨୧/୦୩(ପିପିଟି) : ଯାଜପୁର ଜିଲ୍ଲା ସଦର ମହକୁମାରେ ଓଡ଼ିଶା ଦିବସ – ୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ସୁଚାରୁରୂପେ ଓଡ଼ିଶା ଦିବସ – ୨୦୨୫ ପାଳନ କରାଯିବ। ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦିଆଯିବ। ଏହି ଦିବସରେ ଯୁବପିଢି ମାନେ ଓଡ଼ିଶାର ଏବଂ ଯାଜପୁର ଜିଲ୍ଲାର ଐତିହାସିକ, ପରମ୍ପରା ଏବଂ ରାଜ୍ୟର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବିଷୟରେ ଜାଣିପାରିବେ । ଓଡ଼ିଆ ଲୋକମାନେ କିପରି ଓଡ଼ିଆ ଭାଷାକୁ ଓଡ଼ିଆ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଆହୁରି ଆଗକୁ ନେଇ ପାରିବେ ଏହି ଉଦ୍ଦେଶ୍ୟରେ ଓଡ଼ିଶା ଦିବସ ପ୍ରତିବର୍ଷ ପାଳନ କରାଯାଉଛି। ଆମ ଓଡ଼ିଆ ଭାଷା, ସଂସ୍କୃତି ପରମ୍ପରା ପାଇଁ ଆମେ ସମସ୍ତେ ଗର୍ବିତ। ଉକ୍ତ ବୈଠକରେ ଜିଲ୍ଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, ଉପ ସଭାପତି,ଜିଲ୍ଲା ପରିଷଦ ଗଣେଶ୍ୱର ବରାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ନବକ୍ରିଷ୍ଣ ଜେନା,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ବାଇଁ, ନିର୍ବାହୀ ଅଧିକାରୀ, ପୌର ପରିଷଦ ଲକ୍ଷ୍ମୀଧର ରାଉତ ଏବଂ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଓଡ଼ିଶା ଦିବସକୁ ଓଡ଼ିଶାର ଗର୍ବ ଓ ଗୌରବ ଭାବେ ପାଳନ କରିବା ନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ବୈଠକର ନିଷ୍ପତି କ୍ରମେ ଓଡ଼ିଶା ଦିବସ ଦିନ ପ୍ରତ୍ୟୁଷରୁ ସହରରେ ଉତ୍କଳ ବନ୍ଦନା ଗାନ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପରିବେଷଣ କରାଯିବ। ସକାଳେ ଯାଜପୁର ପୌରାଞ୍ଚଳ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଉତ୍କଳର ବରପୁତ୍ର ମାନଙ୍କ ଜୟଗାନ ପୂର୍ବକ ପ୍ରଭାତଫେରୀରେ ନିଜ ନିଜ ଅଞ୍ଚଳରେ ପରିକ୍ରମା କରିବେ। ସେହିପରି ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀ,ସଂସ୍କୃତି ଭବନ ଓ ଜିଲ୍ଲା ସ୍କୁଲ୍ ପରିସରରେ ଥିବା ଉତ୍କଳର ବରପୁତ୍ର, ଜାତୀୟ ବରପୁତ୍ର ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ଵାରା ଘ. ୭.୩୦ ମିନିଟ ସମୟରେ ମାଲ୍ୟାର୍ପଣ କରାଯିବ। ପରେ ଜେଲ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ, ଉତ୍କଳ ବାଳାଶ୍ରମ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ । ଜିଲ୍ଲା କାର୍ଯ୍ୟାଳୟ,ଗୌତମ ବୁଦ୍ଧ ସଂସ୍କୃତି ଭବନ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ପୌର ପରିଷଦ କାର୍ଯ୍ୟାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଉପ କାରାଗାର,ଜିଲ୍ଲା ସ୍କୁଲ୍,ଉତ୍କଳ ବାଳାଶ୍ରମ,ମୁଖ୍ୟ ଡାକ କାର୍ଯ୍ୟାଳୟ ଷ୍ଟେଟ ବ୍ୟାଙ୍କ ଆଦି ସଦର ମହକୁମାରେ ଥିବା ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ନିଜସ୍ଵ ଖର୍ଚ୍ଚରେ ଆଲୋକମାଳାରେ ସୁସଜ୍ଜିତ କରିବେ। ଜିଲ୍ଲାର ୫ ଜଣ ଅଗ୍ରଣୀ କୃଷକଙ୍କୁ ଜଗନ୍ନାଥ ମଲ୍ଲିକ କୃଷକ ସମ୍ମାନରେ ସମ୍ମାନିତ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ପ୍ରାଥମିକ,ମଧ୍ୟ ଇଂରାଜୀ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା,ସଙ୍ଗୀତ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନିମନ୍ତେ ବିବରଣୀ ପାଠ କରିବା ସହ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସକୁ ଏକତ୍ରିତ ହୋଇ ପାଳନ କରିବା ନିମନ୍ତେ ସୂଚନା ପ୍ରଦାନ କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ,ବୁଦ୍ଧିଜୀବୀ,ଶିକ୍ଷକ ଶିକ୍ଷୟତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।