ଯାଜପୁର ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ।

ଯାଜପୁର, ୨୧/୦୯(ପିପିଟି): ଗଣତନ୍ତ୍ରର ମହାପର୍ବରେ ପ୍ରତ୍ୟେକ ଭୋଟରଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ, ଯାଜପୁର ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅମ୍ବର କୁମାର କର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି।

ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ସମୟରେ ଯାଜପୁର ଜିଲ୍ଲାରେ ମୋଟ ୧୫,୩୭,୧୦୧ ଜଣ ଭୋଟର ଥିଲେ। ସଂଶୋଧନ ପ୍ରକ୍ରିୟା ସମୟରେ ୧୨,୮୫୭ ଜଣ ନୂତନ ଭୋଟରଙ୍କ ନାମ ତାଲିକାରେ ସାମିଲ ହୋଇଥିବା ବେଳେ ୧,୦୬,୩୧୩ ଜଣଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି। ଏହା ପରେ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା ୧୪,୪୩,୬୪୫ ଜଣ ହୋଇଛି।

ତନ୍ମଧ୍ୟରୁ ୪୮-ବିଂଝାରପୁର (ଏସ୍‌ସି) ନିର୍ବାଚନମଣ୍ଡଳୀରେ ମୋଟ ୨,୧୪,୫୨୯ ଜଣ, ୪୯-ବରୀ ନିର୍ବାଚନମଣ୍ଡଳୀରେ ମୋଟ ୨,୧୩,୭୪୨ ଜଣ, ୫୦-ବଡ଼ଚଣା ନିର୍ବାଚନମଣ୍ଡଳୀରେ ମୋଟ ୧,୭୬,୨୯୦ ଜଣ, ୫୧-ଧର୍ମଶାଳା ନିର୍ବାଚନମଣ୍ଡଳୀରେ ମୋଟ ୨,୧୯,୫୭୦ ଜଣ, ୫୨-ଯାଜପୁର ନିର୍ବାଚନମଣ୍ଡଳୀରେ ମୋଟ ୨,୩୦,୧୬୩ ଜଣ, ୫୩-କୋରେଇ ନିର୍ବାଚନମଣ୍ଡଳୀରେ ମୋଟ ୧,୯୫,୪୧୧ ଜଣ ଏବଂ ୫୪-ସୁକିନ୍ଦା ନିର୍ବାଚନମଣ୍ଡଳୀରେ ମୋଟ ୧,୯୩,୯୪୦ ଜଣ ଭୋଟର ଙ୍କ ନାମ ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି। ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ଜିଲ୍ଲାରେ ୭,୫୧,୩୯୩ ଜଣ ପୁରୁଷ, ୬,୯୨,୧୯୪ ଜଣ ମହିଳା ଏବଂ ୫୮ ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି।

ବୟସ ବର୍ଗ ଅନୁସାରେ, ଜିଲ୍ଲାରେ ୧୮ରୁ ୨୯ ବର୍ଷ ବୟସର ୨,୯୦,୬୧୮ ଜଣ, ୩୦ରୁ ୫୯ ବର୍ଷ ବୟସର ୮,୮୦,୮୪୭ ଜଣ , ୬୦ରୁ ୯୯ ବର୍ଷ ବୟସର ୨,୭୨,୦୪୦ ଜଣ ଏବଂ ୧୪୦ ଜଣ ଶତାୟୁ ଭୋଟର ଚୂଡ଼ାନ୍ତ ତାଲିକାରେ ସାମିଲ ଅଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅମ୍ବର କୁମାର କର ୪୮-ବିଂଝାରପୁର (ଏସ୍‌ସି) ନିର୍ବାଚନମଣ୍ଡଳୀରେ ଥିବା ୧୨୦ ବର୍ଷ ବୟସ୍କ ଭୋଟରଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉପଦେଶ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଯଥା ୪୮-ବିଞ୍ଝାରପୁର (ଏସ୍‌ସି) – ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର, ୪୯-ବରୀ – ଶ୍ରୀମତୀ ପଲ୍ଲବୀ ରାଣୀ ରାଜ, ଅତିରିକ୍ତ ଉପଜିଲ୍ଲାପାଳ, ୫୦-ବଡ଼ଚଣା – ଶ୍ରୀ ଶିବାନନ୍ଦ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ୫୧-ଧର୍ମଶାଳା – ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ୫୨-ଯାଜପୁର – ଶ୍ରୀ ତାପସ ରଞ୍ଜନ ଦେହୁରୀ, ଉପଜିଲ୍ଲାପାଳ, ୫୩-କୋରେଇ – ଶ୍ରୀ ଦେବୀପ୍ରସାଦ ମହାନ୍ତି, ମୁଖ୍ୟ ଉନ୍ନୟନ ତଥା ନର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ୫୪-ସୁକିନ୍ଦା – ଶ୍ରୀ ସପନ କୁମାର ନନ୍ଦ, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର, ଡେପୁଟି କଲେକ୍ଟର ଅଶୋକ କୁମାର ଦେହୁରୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଭୋଟରଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ନିଜର ନାମ ଓ ଭୋଟର ବିବରଣୀ ଯାଞ୍ଚ କରିନେବାକୁ ଅନୁରୋଧ କରାଯାଇଛି। ଭୋଟର ତାଲିକାରେ କୌଣସି ତ୍ରୁଟି କିମ୍ବା ସଂଶୋଧନର ଆବଶ୍ୟକତା ଥିଲେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ ଆବେଦନ କରାଯାଇପାରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକା ସମ୍ପର୍କରେ ସଚେତନ ରହିବା ସହ ନିଜର ଭୋଟର ବିବରଣୀ ଯାଞ୍ଚ କରିନେବାକୁ ଆହ୍ୱାନ କରାଯାଇଛି।

Comments (0)
Add Comment