ଯାଜପୁର ଜିଲ୍ଲାରେ ନୂତନ ଓଡ଼ିଶା ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପାଇଁ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ।

ଯାଜପୁର,୨୧/୧୧(ପିପିଟି): ଯାଜପୁର ଜିଲ୍ଲାରେ ବିଭିନ୍ନ ଅଗ୍ରଣୀ ବେସରକାରୀ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଗୁଡ଼ିକ ମାଧ୍ୟମରେ ଯୁବକ ଯୁବତୀ ମାନଙ୍କୁ ନୂତନ ଓଡ଼ିଶା ଯୋଜନା ଅନ୍ତର୍ଭୁକ୍ତ ଦକ୍ଷତା ବିକାଶ ସହିତ ନିଯୁକ୍ତି ପ୍ରଦାନ ନିମନ୍ତେ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ବିଭିନ୍ନ ସଦସ୍ୟ ମାନଙ୍କ ମାଧ୍ୟମରେ ଉପଯୁକ୍ତ ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥା ଗୁଡ଼ିକର ଚୟନ ସହିତ ଜିଲ୍ଲାରେ କାର୍ଯ୍ୟ କାରୀ ହଉଥିବା ବିଭିନ୍ନ ଦକ୍ଷତା ବିକାଶ ତାଲିମ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ଆବେଦନ କରିଥିବା ସମସ୍ତ ତାଲିମ ପ୍ରଦାନକାରୀ ସଂସ୍ଥା ଉପସ୍ଥିତ ରହି ପି. ପି. ଟି. ମାଧ୍ୟମରେ ସେମାନଙ୍କର ପ୍ରସ୍ତାବିତ ତାଲିମ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ବୈଠକ ରେ ଚୟନ ହୋଇଥିବା ଦକ୍ଷତା ତାଲିମ ପ୍ରଦାନକାରୀ ସଂସ୍ଥା ମାନଙ୍କ ମଧ୍ୟ ରେ ଏ. ଏସ୍. ଡି. ଏଜୁକେଶନ ପ୍ରାଇଭେଟ୍ ଲିମିଟେଡ, ଡିଷ୍ଟିଲ ଏଜୁକେଶନ ଏଣ୍ଡ ଟକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ, ସେଫ୍ ଏଜୁକେଟ୍ ଲଣିଂ ପ୍ରାଇଭେଟ୍ ଲିମିଟେଡ, ସ୍କିଲ୍ କନେକ୍ଟ ସର୍ଭିସ୍ ଏଲ୍ ଏଲ୍ ପି, ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ଅନୁଷ୍ଠାନ ଏବଂ ଜନ ଶିକ୍ଷଣ ସଂସ୍ଥାନ ଇତ୍ୟାଦି ଅନ୍ତର୍ଭୁକ୍ତ ଅଟନ୍ତି। ଚୟନ ହୋଇଥିବା ସମସ୍ତ ଦକ୍ଷତା ବିକାଶ ତାଲିମ ପ୍ରଦାନକାରୀ ସଂସ୍ଥା ଗୁଡିକୁ ଜିଲ୍ଲାପାଳ ଉଚ୍ଚମାନର ତାଲିମ ସହିତ ଶତ ପ୍ରତିଶତ ନିଯୁକ୍ତି ପ୍ରଦାନ ପାଇଁ ସର୍ତ୍ତ ମୂଳକ ଅନୁମତି ପ୍ରଦାନ କରିଥିଲେ । ଏହି ବୈଠକରେ ଯାଜପୁର ଟାଉନ ଏବଂ ରଗଡ଼ି ସ୍ଥିତ ଦୁଇ କାରାଗାରର କୈଦି ମାନଙ୍କ ସମେତ ଭିନ୍ନକ୍ଷମ ମାନଙ୍କୁ ସ୍ଵତ୍ତନ୍ତ୍ର ତାଲିମ ପ୍ରଦାନ ନିମନ୍ତେ ନିଷ୍ପତି ନିଆଯାଇଅଛି। ଯାଜପୁର ଜିଲ୍ଲାରେ ନଗଡା ଅନ୍ତର୍ଭୁକ୍ତ ବିରହୋର ଏବଂ ଜୁଆଙ୍ଗ ସମ୍ପ୍ରଦାୟର ଯୁବକ ଯୁବତୀ ମାନଙ୍କୁ ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ କରାଇବା ଉଦ୍ଦେଶ୍ୟ ରେ ଭୁବନେଶ୍ୱର ସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ର ଏବଂ ଯାଜପୁର ସ୍ଥିତ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ଓ ରଗଡ଼ି ସ୍ଥିତ ବହୁବୃତ୍ତି ବୈଷୟିକ ଶିକ୍ଷାନୁଷ୍ଠାନ ପରିଦର୍ଶନ କରାଇବା ପାଇଁ ନିଷ୍ପତି ନିଆଯାଇଅଛି। ଜିଲ୍ଲାର ସମସ୍ତ ଘରୋଇ ଶିଳ୍ପ ତାଲିମ୍ ଅନୁଷ୍ଠାନ ଗୁଡିକରେ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ସହିତ ଶିକ୍ଷା ପରବର୍ତ୍ତୀ ନିଯୁକ୍ତି ସୁଯୋଗ ସୃଷ୍ଟି କରାଇବା ପାଇଁ ଗୁରୁତ୍ବ ଦିଆଯାଇଥିଲା । ଜିଲ୍ଲାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ଆନୁକୁଲ୍ୟରେ ଏବଂ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ ଗୁଡ଼ିକର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଶିଳ୍ପ ତାଲିମ୍ ଅନୁଷ୍ଠାନ ଗୁଡିକରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ରୁ ଅଧିକ ସଂଖ୍ୟାରେ ଶିକ୍ଷାନବିଶ ଭାବେ ସ୍ଥାନୀୟ ଶିଳ୍ପ ସଂସ୍ଥା ଗୁଡିକରେ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଏହି ବୈଠକ ରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଉଭୟ ଜେଲ୍ ସୁପରିଟେଡେଣ୍ଟ, ଡି ଏମ ଏଫ୍ ଏବଂ ଓମ୍ବାଡିସ ର ଦକ୍ଷତା ବିକାଶ କର୍ମଚାରୀ,ମିଶନ ଆଶ୍ରା ର ସୁପରିଟେଡେଣ୍ଟ,ନିର୍ଦ୍ଦେଶକ ଏସବି ଆରସେଟି ଏବଂ ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଓରମାସ୍ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗଦେଇଥିଲେ। ଏହି ବୈଠକକୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ ଏବଂ ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତୀ, ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ କର୍ମଚାରୀ ରାକେଶ କୁମାର ନାୟକ ପରିଚାଳନା କରୁଥିବା ବେଳେ ଉକ୍ତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Comments (0)
Add Comment