ଯାଜପୁର ଜିଲ୍ଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ଯାଜପୁର,୨୧/୦୬(ପିପିଟି): ଆଜି ଏକାଦଶତମ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ଯାଜପୁର ଜିଲ୍ଲା ସଦର ମହକୁମା ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ” ଏକ ପୃଥିବୀ ଏକ ସ୍ବାସ୍ଥ୍ୟ” ପାଇଁ ଯୋଗ ଟିଏ ଥିମ୍ ଆଧାରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା କହିଲେ ଆଜି ସମଗ୍ର ବିଶ୍ବରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହା ଭାରତର ଐତିହ୍ୟ ଓ ପରମ୍ପରା ସହିତ ଜଡ଼ିତ। ବହୁ ପୁରାତନରୁ ଏହି ଯୋଗ ପ୍ରଥା ଚାଲି ଆସୁଛି କିନ୍ତୁ ବାବା ରାମଦେବଙ୍କ ପତାଞ୍ଜଳୀ ଯୋଗ ଆସିଲା ପରେ କେବଳ ଭାରତ ବର୍ଷରେ ନୁହେଁ ସମଗ୍ର ବିଶ୍ବରେ ଯୋଗ ପରିଚିତ ହୋଇପାରିଛି। ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ଆନ୍ତର୍ଜାତୀୟ ସ୍ତରରେ ଆଣିବାକୁ ଶତ ଚେଷ୍ଟା କରିଛନ୍ତି। ରୋଗ ହେଲେ ଯୋଗ କରିବା ପ୍ରକ୍ରିୟା ବନ୍ଦ କରି ରୋଗ ନ ହେବା ପାଇଁ ଯୋଗ କରିବା ଆବଶ୍ୟକ ବୋଲି କହିଥିଲେ। ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିଜ ପାଇଁ ଦିନକୁ ଅଧ ଘଣ୍ଟା ସମୟ ଦିଅନ୍ତୁ। ଯୋଗ କରନ୍ତୁ,ନିଜକୁ ରୋଗ ଠାରୁ ଦୁରେଇ ରଖନ୍ତୁ ଏବଂ ସର୍ବଦା ସୁସ୍ଥ ରୁହନ୍ତୁ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପିଲାମାନଙ୍କୁ ଯୋଗ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ଅନ୍ତର୍ଜାତୀୟ ଯୋଗ ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଲେ ବିଶ୍ଵ ପାଇଁ ଯୋଗ ହେଉଛି ଏକ ଉପହାର। ଯୋଗକୁ କିପରି ସମସ୍ତଙ୍କ ପାଖରେ ପହଞ୍ଚାଇବା ଦୈନଦିନ ଜୀବନରେ ସମସ୍ତେ କିପରି ଯୋଗ କରିବା ଅଭ୍ୟାସ କରିବେ ଏହାର ବାର୍ତ୍ତା ଦେବା ପାଇଁ ଆଜି ସମଗ୍ର ଦେଶରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ସମସ୍ତଙ୍କର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ନିୟମିତ ଯୋଗ ଅଭ୍ୟାସ କରିବାକୁ ଭୁଲି ଯାଆନ୍ତି କିନ୍ତୁ ଆମକୁ ନିଜ ସ୍ବାସ୍ଥ୍ୟ ପାଇଁ, ନିଜ ମାନସିକ ଶାନ୍ତି ପାଇଁ ସେହି ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ନିୟମିତ କିଛି ସମୟ କାଢି ଯୋଗ ଅଭ୍ୟାସ ଏବଂ ବ୍ୟାୟାମ କରିବାକୁ ହେବ ଯାହାଦ୍ଵାରା ଆମେ ନିଜକୁ ସ୍ବାସ୍ଥ୍ୟ ରଖି ପାରିବା ବୋଲି କହିଥିଲେ। ଏହି ଦିବସ ଅବସରରେ ପୌର ପରିଷଦ ଅଧ୍ୟକ୍ଷା ରଞ୍ଜୁଲତା ହୋତା ଯୋଗଦେଇ ସମସ୍ତଙ୍କୁ ନିୟମିତ ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସବୁଦିନେ ଯୋଗ ଅଭ୍ୟାସ କରି ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ସାମୂହିକ ଶପଥ ପାଠ କରାଯାଇଥିଲା। ପତଞ୍ଜଳି ଯୋଗ ଶିକ୍ଷକ ସୁବାଷ ଚନ୍ଦ୍ର ତ୍ରିପାଠୀ,ମନ୍ମଥ କୁମାର ସାମଲ,କିରଣ କୁମାର ମଲ୍ଲିକ, ଗୋପୀନାଥ ସେଠୀ, ଆନନ୍ଦ ଚନ୍ଦ୍ର ସାହୁ ଉପସ୍ଥିତ ରହି ଯୋଗ ଶିକ୍ଷା ଦେଇଥିଲେ । ଏହି ସାମୁହିକ ଯୋଗାଭ୍ୟାସରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ବିଦ୍ୟାଳୟ ଏବଂ କଲେଜର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଯୁଧିଷ୍ଠିର ନାୟକ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ବ୍ୟକ୍ତ କରି ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments (0)
Add Comment