ଯାଜପୁର ଜିଲ୍ଲାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ଏବଂ ଶ୍ରମିକ ମାନଙ୍କୁ ସହାୟତା ବଣ୍ଟନ ସମାରୋହ ।

ବ୍ୟାସନଗର,୦୧/୦୫(ପିପିଟି):ଯାଜପୁର ଜିଲ୍ଲାରେ ଶ୍ରମିକ ମାନଙ୍କ ପାଇଁ ଜିଲ୍ଳାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ସହିତ ଶ୍ରମିକମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମ ଆୟୁକ୍ତ ଶିବ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ରବିନ୍ଦ୍ର ନାରାୟଣ ବେହେରା,ବଡଚଣା ବିଧାୟକ ଅମର କୁମାର ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ଅତିଥି ଭାବେ ଯୋଗ ଦେଇ ମଇ ଦିବସରେ ଶ୍ରମିକ ମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହିତ ଶ୍ରମିକ ମାନଙ୍କ ଦେଶ ପାଇଁ ଅବଦାନ ଏବଂ ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଜିଲ୍ଲାରେ କାର୍ଯ୍ୟ କରୁଥିବା ଦୁଇ ବୋର୍ଡ ଯଥା ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ ଏବଂ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଶ୍ରମିକ ମାନଙ୍କୁ ଆଜିର କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଥିବା ବିଭିନ୍ନ ସହାୟତା ବାବଦରେ ସୂଚନା ଦେଇଥିଲେ । ମଞ୍ଚ ପରିଚାଳନା ସହକାରୀ ଶ୍ରମ ଅଧିକାରୀ ସଞ୍ଜିତ କୁମାର ଦେଓ କରିଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟତମ ସହକାରୀ ଶ୍ରମ ଅଧିକାରୀ ସୁନନ୍ଦା ବିଶ୍ଵାଳ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ଯଥା ସୌମ୍ୟ ସୁନ୍ଦର ରାଉତରାୟ, ସୌମ୍ୟ ରଞ୍ଜନ ବେହେରା,ସ୍ମୃତି ରଞ୍ଜନ ପଣ୍ଡା,ରଚନା ସେଠୀଙ୍କ ସହିତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ସୁରଖୁରରେ ସମାପନ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ଯାଣ ବୋର୍ଡ ଅଧୀନରେ ୧୫୦ ଜଣ ଆବେଦନକାରୀଙ୍କୁ ନୂତନ କାର୍ଡ, ୨୮୪ ଜଣ ଆବେଦନକାରୀଙ୍କୁ ସର୍ବମୋଟ ୧ କୋଟି ୪୬ ଲକ୍ଷ ୧୮ ହଜାର ଟଙ୍କାର ଅର୍ଥ ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିଲା, ଯେଉଁଥିରେ ୯୦ ଜଣଙ୍କୁ ବିବାହ କାଳୀନ ସହାୟତା ବାବଦରେ ୪୪,୨୫,୦୦୦ /- ଟଙ୍କା, ୩୩ ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ ୮୮,୦୦,୦୦୦ /- ଟଙ୍କା, ୩୩ ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦରେ ୧,୬୫,୦୦୦/- ଟଙ୍କା, ଜଣେ ହିତାଧିକାରୀଙ୍କୁ ପ୍ରସୂତୀକାଳୀନ ସହାୟତା ବାବଦରେ ୧୦,୦୦୦ /- ଟଙ୍କା ଏବଂ ୧୨୭ ଜଣ ହିତାଧିକାରୀଙ୍କ ପିଲା ପଢିବା ପାଇଁ ଶିକ୍ଷା ସହାୟତା ବାବଦରେ ୧୨,୧୮,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ଓଡ଼ିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୫୦ ଜଣ ଆବେଦନକାରୀଙ୍କୁ ନୂତନ କାର୍ଡ ପ୍ରଦାନ କରାଯିବା ସହିତ ୧୦ ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦରେ ୧୯,୦୦,୦୦୦ /- ଟଙ୍କା ପ୍ରଦାନ କରାଯାଇଥିଲା ।

Comments (0)
Add Comment