ଯାଜପୁର ଜିଲ୍ଲାପାଳଙ୍କ ନଗଡ଼ା ଗସ୍ତ,ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ଅନୁଧ୍ୟାନ ।

ଯାଜପୁର,୦୧/୧୦(ପିପିଟି); ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ବୁଧବାର ଦିନ ବହୁ ଚର୍ଚ୍ଚିତ ନଗଡ଼ା ପ୍ରଥମ ଥର ଗସ୍ତ କରିବା ସହ ବିଭନ୍ନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଫେରିଥିବା ଜଣାପଡ଼ିଛି । ଜିଲ୍ଲାପାଳ ଦିନ ୧୧ ଟା ସମୟରେ ସୁକିନ୍ଦା ବିଡ଼ିଓ ବିଶ୍ୱଜିତ ଦାସଙ୍କ ସହ ଉପର ନଗଡ଼ାରେ ପହଁଚି ନୂତନ ଭାବେ ନିର୍ମାଣ ହୋଇଥିବା ଅଙ୍ଗନୱାଡ଼ୀ ଗୃହ ପରିଦର୍ଶନ କରିଥିଲେ । ପରେ ସେଠାରେ ନିର୍ମାଣ ହୋଇଥିବା ପାଇଖାନା ଗୃହକୁ ନିଜେ ଖୋଲି ଦେଖିଥିଲେ । ପରେ ଉପର ନଗଡ଼ା ସାହି ଭିତରୁ ବୋହି ଆସିଥିବା ଡ଼୍ରେନ ପାଣି ସିଧା ସଳଖ ଅଙ୍ଗନୱାଡ଼ୀ ଗୃହ ଚାରି ପଟେ ଜମା ହେଉଥିବା ଦେଖି ବିଡ଼ିଓ ବିଶ୍ୱଜିତଙ୍କୁ ପାଣିର ନିଷ୍କାସନ ବିସୟରେ ପଚାରିଥିଲେ । ତେବେ ବର୍ଷା ଦିନ ରହିଥିବାରୁ ଏହାର କାର୍ଯ୍ୟ ହୋଇପାରିନାହିଁ ବୋଲି ଉତ୍ତର ବିଡ଼ିଓ ଦେଇଥିଲେ । ସେପରି ଉପର ନଗଡ଼ାରେ ନିଯୁକ୍ତ ହୋଇଥିବା ଅଙ୍ଗନୱାଡିକୁ ପିଲାମାନଙ୍କୁ ପ୍ରତିଦିନ ମିଳୁଥିବା ଖାଦ୍ୟ ସମ୍ବନ୍ଧରେ ପଚାରିଥିଲେ । ମଧ୍ୟାହ୍ନ ଭୋଜନରେ କଣ କଣ ମିଳୁଛି କେତେ ଦିନ ଅଣ୍ଡା ଦିଆଯାଉଛି ପରି ପ୍ରଶ୍ନପଚାରୀ ବୁଝିଥିଲେ । ପରେ ପରେ ମଝୀ ନଗଡ଼ା ଗସ୍ତ କରି ତିନି ନଗଡ଼ାରେ ରହୁଥିବା ପ୍ରତିପରିବାରକୁ ପକ୍କା ଘର ମିଳିଛି କି ନାହିଁ ସେ ସମ୍ବନ୍ଧରେ ବିଡ଼ିଓ ଶ୍ରୀ ଦାସଙ୍କୁ ତଥ୍ୟ ପଚାରିଥିଲେ । ମଝି ନଗଡ଼ାକୁ ବୋହି ଆସୁଥିବା ଝରଣା କେଉଁ ଠାରୁ ଆସୁଛି ,ବୋହି ଆସୁଥିବା ପାଣିର ବ୍ୟବହାର କଣ କରାଯାଉଛି । ସେନେଇ ପଚାରିବା ସହ ପରିବାର ପରିବାର ବୁଲି ଦେଖିଥିଲେ । ବିଡିଓ ଶ୍ରୀ ଦାସ ପାହାଡ଼ ଉପରୁ ବୋହି ଆସୁଥିବା ପାଣିକୁ ଦୁଇରୁ ତିନି ଟି ଚେକ ଡ଼୍ୟାମ କରି ପାଇପ ଯୋଗେ ପାଣି କୁ ଯୋଗଣ କରାଯାଉଛି ବୋଲି କହିବା ସହ ଚାଷ କରୁଥିବା ଜମିରେ ପାଣି ମଡ଼ାଉଛନ୍ତି ବୋଲି ପ୍ରକାଶ କରିଥିଲେ । ନଗଡ଼ା ଜୁଆଙ୍ଗ କରିଥିବା ଅମୃତ ଭଣ୍ଡା ,ମକା,ବାଜରା,ଝୁଡ଼ଙ୍ଗ ,ବାଇଗଣ ପ୍ରଭୁତି ଦେଖି ଜିଲ୍ଲାପାଳ ଖୁସି ହେବା ସହ ଅନ୍ୟାନ୍ୟ ଅସୁବିଧା ସମ୍ବନ୍ଧରେ କିଛି ଜୁଆଙ୍ଗ ମାନଙ୍କୁ ପଚାରିବୁଝିଥିଲେ । ପରେ ପରେ ସ୍କୁଲ ଗୃହ ପରିଦର୍ଶନ କରି ଫେରିଯାଇଥିଲେ । ସେପରି ରାସ୍ତାରେ ଆସୁଥିବା ସମୟରେ କୁମୁଡ଼ିବାହାଳୀ ଗ୍ରାମର ଲୋକ ମାନେ ଜିଲ୍ଲାପାଳଙ୍କୁ ଭେଟି ପାନୀୟ ଜଳ ଓ ଚାଷ ପାଇଁ ଏକ ପୋଖରୀ ଖୋଳି ଦେବାକୁ ଅନୁରୋଧ କରିଥିଲେ ।

Comments (0)
Add Comment