ଯାଜପୁର କାଳୀପୂଜା : ମା ଓ ଭକ୍ତ ମଧ୍ୟରେ କରୋନା ବାଧକ ।

ଯାଜପୁର,୧୬/୧୧(ପିପିଟି): ପୁରା ଯାଜପୁର ସହର ଆଲୋକମୟ, ପୂଜା ଭିଡରେ ଦିନ ରାତି ଏକ ହୋଇଥାନ୍ତା । ଘରକୁ କୁଣିଆ ଆସିଥାନ୍ତେ । ବିଭିନ୍ନ ପୂଜା କମିଟିରେ ସପ୍ତାହ ଧରି ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥାନ୍ତା । ପୁଣି ପାଦେ ପାଦେ ଚାଲିଲେ ବଡ଼ ବଡ଼ ତୋରଣ ପ୍ରତିଯୋଗିତା । ଆଉ ଶେଷରେ ୨ ଦିନ ଧରି ଭାଷଣି ଉତ୍ସବ । ହେଲେ ଏ ବର୍ଷ କିନ୍ତୁ ଏ ସବୁ ଦେଖିବାକୁ ମିଳୁନି । ଏମିତି ଚାଟ, ଠୁଙ୍କାପୁରୀ, ମିନା ବଜାର, ମଥୁରା କେକ ଖାଇବାର ବି ଲୋକେ ମଜା ଉଠାଇ ପାରିଲେ ନାହିଁ । ପୂଜା ବୁଲା ସହ ସେଲ୍ଫି ଉଠାଇବାର ମଜା ବି ଫିକା ପଡିଲା । କରୋନା ପାଇଁ ସବୁ ଖାଁ ଖାଁ । ସବୁଠାରୁ ବଡ କଥା ହେଉଛି ମା ଓ ଭକ୍ତଙ୍କ ମଧ୍ୟରେ ଯେମିତି ପାଚେରୀ ହୋଇ ଛିଡା ହୋଇଛି ଅଦୃଶ୍ୟ ଭୁତାଣୁ ।ଯାଜପୁର ଗଣପର୍ବ ପାଲଟିଥିବା କାଳୀପୂଜାରେ ସେପରି ପାଳନ କରାଯାଉନି । ଚଳିତ ବର୍ଷ କୋରୋନା ଜନିକ କଟକଣା ପାଇଁ ସଂପୁର୍ଣ୍ଣ ନିରାଡମ୍ବରରେ ପାଳିତ ହେଉଛି କାଳୀପୂଜା । ନା ସାଜସଜ୍ଜା ହୋଇଛି ନା କୌଣସି ସାସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ବିଭିନ୍ନ ପୂଜା କମିଟିରେ । କେବଳ ପରମ୍ପରା ରକ୍ଷା ପାଇଁ ପ୍ରତ୍ୟେକ ପୂଜା ମଣ୍ଡପରେ ମା କାଳୀ ଓ ଲକ୍ଷ୍ମୀନାରାୟଣଙ୍କ ପୂଜା ପାଇଛନ୍ତି । ଚଳିତ ବର୍ଷ ସହରରେ ୪୬ଟି ମେଢ଼ ହୋଇଛି । ଦୀପାବଳୀ ଠାରୁ ଯାଜପୁର ସହରରେ ଆରମ୍ଭ ହୁଏ କାଳୀପୂଜା । ସାରା ରାଜ୍ୟରେ କାଳୀପୂଜା ପାଇଁ ଯାଜପୁରର ରହିଛି ସ୍ୱତନ୍ତ୍ର ପରିଚୟ । ସୁନ୍ଦର ଆଲୋକମାଳା ଓ ସୁଦୃଶ୍ୟ ତୋରଣ ସାଂଗକୁ ରଙ୍ଗୀନ ପୂଜା ମଣ୍ଡପରେ ପୂଜା ପାଆନ୍ତି ମା କାଳୀ ଓ ଲକ୍ଷ୍ମୀନାରାୟଣ । କିନ୍ତୁ ଚଳିତ ବର୍ଷ ସଂପୁର୍ଣ୍ଣ ନିରାଡମ୍ବରରେ ପୂଜାର୍ଚ୍ଚନା ହେଉଛି । କୋରୋନା ଜନିତ କଟକଣା ପାଇଁ ପିଂକା ପଡିଛି ପୂଜାର ମାହୋଲ । ସରକାରଙ୍କ ନିୟମ ଅନୁଯାୟୀ ମାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ୪ ଫୁଟ ଭିତରେ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । କୌଣସି ପ୍ରକାର ସାଜସଜ୍ଜା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି । ଯାହାକୁ ଅକ୍ଷର ଅକ୍ଷର ପାଳନ କରୁଛନ୍ତି ପୂଜା କମିଟିମାନେ । କୌଣସି ପ୍ରକାର ସାଜସଜା ନଥିବାରୁ କେବଳ ମୂର୍ତିକୁ ଆକର୍ଷଣୀୟ କରାଯାଇଛି । ଅନେକ ପୂଜା କମିଟିରେ କୃତ୍ରିମ ରଙ୍ଗ ବଦଳରେ ପ୍ରାକୃତିକ ରଂଗ ବ୍ୟବହାର କରି ମା ଙ୍କୁ ସଜେଇ ଦିଆଯାଇଛି । ପ୍ରତିବର୍ଷ ପୂଜା ଦେଖିବାକୁ ଜିଲ୍ଲା ତଥା ଜିଲା ବାହାରୁ ହଜାର ହଜାର ଲୋକଙ୍କ ଭିଡ ଜମେ । ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ଯୋଗୁଁ ଏସବୁ କାର୍ଯ୍ୟକ୍ରମରେ ଲାଗିଛି ବ୍ରେକ । ଯେଉଁଥି ପାଇଁ ଦର୍ଶକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନାହିଁ ଉତ୍ସାହ । ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟେକ ପୂଜା କମିଟି ସଦସ୍ୟଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ ଗୋଟିଏ ଦିନରେ ଭସାଣ ଉତ୍ସବ କରିବାକୁ ନିଷ୍ପତି ହୋଇଛି ।

Comments (0)
Add Comment