ଯାଜପୁରର ୧୩୫ ଜଣ ବରିଷ୍ଠ ନାଗରିକଙ୍କ ରମେଶ୍ୱରମ ଯାତ୍ରା ।

ଯାଜପୁର,୦୬/୦୧(ପିପିଟି): ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ସମ୍ମୁଖରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କର ସବୁଜ ପତାକା ଦେଖାଇ ତୀର୍ଥଯାତ୍ରୀ ବସଗୁଡ଼ିକୁ ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଜିଲ୍ଲାର ବରିଷ୍ଠ ନାଗରିକମାନେ ଜାନୁଆରୀ ୭ ରୁ ୧୨ ତାରିଖ ଅବଧି ମଧ୍ୟରେ ଦକ୍ଷିଣ ଭାରତର ମଦୁରାଇ ଏବଂ ରାମେଶ୍ଵରମ୍ ତୀର୍ଥସ୍ଥଳ ପରିଦର୍ଶନ କରିବେ। ଆଜି ଯାତ୍ରା ଆରମ୍ଭ ପୂର୍ବରୁ ଅଭିଜ୍ଞ ଡାକ୍ତରମାନେ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଥିଲା । ଏହାସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପୋଲିସ ମୁତୟନ ହୋଇଥିଲେ। ସ୍ଵତନ୍ତ୍ର ଭାବେ ନିୟୋଜିତ ଏସ୍କର୍ଟ ଅଧିକାରୀ ଯାତ୍ରୀମାନଙ୍କୁ ସହଯୋଗ କରିଥିଲେ। ଆଜି ୪ ଟି ବସ୍ ଯୋଗେ ଯାତ୍ରୀମାନେ ଯାଜପୁର ସହରରୁ ବାହାରି ବାଲେଶ୍ଵରରେ ପହଞ୍ଚିବେ ଏବଂ ସେଠାରେ ରାତ୍ରିଯାପନ କରିବେ। ୭ ତାରିଖରେ ବାଲେଶ୍ଵର ରେଳ ଷ୍ଟେସନରୁ ଟ୍ରେନରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିବେ। ଏହି ଯୋଜନା ଅଧିନରେ ମୋଟ ୧୩୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ,ପର୍ଯ୍ୟଟନ ଅଧିକାରୀ ତାପସ ସାହୁ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment