ଯାଜପୁରରେ ୭୧୦ ଏଡସ ରୋଗୀ ଚିହ୍ନଟ ।

ଯାଜପୁର,୦୩/୧୨(ପିପିଟି): ରାଜ୍ୟରେ ୬୩ ହଜାର ୪୩୭ ଏଡସ ରୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୪୨ ହଜାର ୫୦୨ ଏବଂ ମହିଳା ୨୦ ହଜାର ୯୧୫ । ଗତ ୨୧ ବର୍ଷରେ ଯାଜପୁର ଜିଲ୍ଲାରେ ୮୨୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି। ଅବଶିଷ୍ଟ ୭୧୦ ଜଣ ଓଡିଶା ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ଦ୍ବାରା ଚିକିତ୍ସିତ ହେଉଛନ୍ତି I ଜିଲ୍ଲାରେ ଥ‌ିବା ଏଡସ ରୋଗୀ ମାନଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଓ ପରାମର୍ଶ ପ୍ରଦାନ ପାଇଁ ଜିଲ୍ଲା ଶାଖା ତରଫରୁ ନିଷ୍ଠାର ସହ ଉଦ୍ୟମ କରାଯାଉ ଥିବାର ବିଶ୍ବ ଏଡସ ଦିବସରେ ମତ ପ୍ରକାଶ ପାଇଛି ।

ବିଶ୍ବ ଏଡସ ଦିବସ ଯାଜପୁର ଜିଲ୍ଲା ସଦର ମହକୁମାରେ ପାଳିତ ହୋଇଛି। ପ୍ରାରମ୍ଭରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା କୁସୁମା ଠାରୁ ଆରମ୍ଭ କରି ଗାନ୍ଧୀଛକ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାକୁ ସିଡିଏମଓ ପିଏଚଓ ଡକ୍ଟର ଶୀବାଶିଷ ମହାରଣା, ଡାକ୍ତର ଏଡି ପିଏଚଓ ଦେବରାଜ ହାଁସଦା, ଡିପିଏମ ବନ ବିହାର ମିଶ୍ର ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବିରଜା ନସିଂ କଲେଜର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ସଚେତନତାର ବାର୍ତାର ସ୍ମେଗାନ ଦେଇଥିଲେ । ଏହାପରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିମାନେ ଯୋଗଦେଇ ସଠିକ ମାର୍ଗରେ ଏଡସ ମହାମାରୀର ନିୟନ୍ତ୍ରଣ ସହ ଅଧିକ ସଚେତନତା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୁପରଭାଇଜର ଅଶୋକ କୁମାର ନାୟକ ଓ ମାନସ ରଂଜନ ସାମଲ ପରିଚାଳନା କରିଥିଲେ । ଏ ଏମ ଏସ ସେଲରେ ମଧୁସୂଦନ ସାଥୁଆ, ଦେବେନ୍ଦ ନାଥ ସାଇଁ ଓ ପ୍ରଶାନ୍ତ ସାହୁ ଓ ଏନ.ଆଇ.ଏସ.ଡବଲ୍ୟୁ ର ସମସ୍ତ କର୍ମକର୍ତା ଓ ସଲତା ନନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରର ମିଳିଥିବା ସୂଚନା ଅନୁସାରେ ଗତ ୨୦୦୩ ମସିହାରୁ ଅକ୍ଟୋବର ୨୦୨୪ ମସିହା ମଧ୍ୟରେ ଯାଜପୁର ଜିଲ୍ଲାର ଯାଜପୁର ବ୍ଳକରେ ୧୩୧, ବିଂଝାରପୁରରେ ୯୨. ଦଶରଥପୁରରେ ୧୧୧, କାରେଇ ୬୧, ଦାନଗଦୀ ୬୬, ସୁକିନ୍ଦାରେ ୮୯, ରସୁଲପୁରରେ ୬୩, ବରୀରେ ୯୧, ଧର୍ମଶାଳାରେ ୬୬, ବଡଚଣାରେ ୫୪ ଜଣ ଏଡସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଯାଜପୁରରେ ୧୧ ଜଣ, ବିଂଝାରପୁର ୧୪ ଜଣ, ଦଶରଥପୁର ୨୨, କୋରେଇ ୧୦ ଜଣ, ଦାନଗଦୀରେ ୯ ଜଣ,ସୁକିନ୍ଦା ରେ ୧୪ ଜଣ, ରସୁଲପୁରରେ ୭ ଜଣ, ବରୀରେ ୧୩ ଜଣ, ଧର୍ମଶାଳାରେ ୧୦ ଜଣ, ବଡଚଣାରେ ୪ ଜଣ ଏଡସ ଆକ୍ରାନ୍ତଙ୍କ ଇତି ମଧ୍ୟରେ ମୃତ୍ୟୁ ହୋଇଛି । କେବଳ ସଚେତନତା ହିଁ ଏଡସ ପରି ରୋଗକୁ ରୋକିପାରିବ । ସେଥ‌ିପାଇଁ ଏଡସ ସଚେତନତା ପାଇଁ ସରକାରଙ୍କ ବିଭିନ୍ନ ପାଣ୍ଠିରୁ ଅଧିକ ଅର୍ଥ ବ୍ୟୟ ବରାଦ ସହ ଏ କ୍ଷେତ୍ରରେ କାଯ୍ୟରତ କର୍ମଚାରୀଙ୍କୁ ସରକାର ଅଧିକ ଉତ୍ସାହିତ କରିବା ପାଇଁ ଜିଲ୍ଲାର ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Comments (0)
Add Comment