ଯାଜପୁରରେ କରୋନା ଟୀକା କରଣ ଆରମ୍ଭ ।

ଯାଜପୁର,୧୬/୦୧(ପିପିଟି); ଯାଜପୁର ଜିଲ୍ଲାର ୫ଟି କେନ୍ଦ୍ର ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଡଚଣା, ଯାଜପୁର ରୋଡ, ଦଶରଥପୁର ଓ ମଧୁବନ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଶନିବାରଠାରୁ ପ୍ରଥମ ପର୍ଯ୍ୟାୟ ଠିକାକରଣ ଆରମ୍ଭ ହୋଇଛି । ପୂର୍ବାହ୍ନ ୧୦ଟା ୩୦ମିନିଟ ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ଟୀକାକରଣ ସମ୍ପର୍କରେ ଉଦ୍ବୋଧନ ଦେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଟୀକା ନେଇଥିବା ବ୍ୟକ୍ତି ବିଶେଷ ମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଉପସ୍ଥିତିରେ ସିଡିଏମଓ ଡାକ୍ତର ସୁଧାଂଶୁ ଶେଖର ବଳ ଟୀକାକରଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପରେ ସଫେଇ କର୍ମଚାରୀ ହୃଷିକେଶ ଗୋଛାୟତଙ୍କୁ ସର୍ବପ୍ରଥମ ବ୍ୟକ୍ତି ଭାବେ ଜିଲ୍ଲାରେ ଟୀକାକରଣ କରାଯାଇଥିଲା । ପରେ ପରେ ସିଡିଏମଓ ଡାକ୍ତର ବଳ, ଏଡିଏମଓ ଡାକ୍ତର ଅନୁପ କୁମାର ନାଥ ଶର୍ମାଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ, ସଫେଇ କର୍ମଚାରୀ ଓ ଆଶା କର୍ମୀମାନଙ୍କୁ ଟୀକାକରଣ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ରାଠୋର ଜିଲ୍ଲାରେ ଟୀକାକରଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୮୬୨ଜଣଙ୍କୁ ଟୀକାକରଣର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ଶନିବାର ଜିଲ୍ଲାର ୫ଟି ସ୍ଥାନରେ ୧୦୦ ଜଣ ଲେଖାଙ୍କୁ ମୋଟ୍ ୫ଶହ ଜଣଙ୍କୁ ଟୀକାକରଣ ବ୍ୟବସ୍ଥା କରାଯାଇଛି । ଏହି ଟୀକାକରଣ ପାଇଁ ପୂର୍ବରୁ ୨ରୁ ୩ଥର ଡ୍ରାଏରନ କରାଯାଇ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷିତ କରାଯାଇଛି । କୋଭିଡ ସମୟରେ ଯେପରି ଲୋକମାନେ ପ୍ରଶାସନକୁ ସହଯୋଗ କରିଥିଲେ, ଅନୁରୂପ ଭାବେ ଟୀକାକରଣରେ ମଧ୍ୟ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ସିଡିଏମଓ ଡାକ୍ତର ବଳ ସୂଚନା ଦେଇ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୭୬୫୦ଟୀକା ମିଳିଥିବା ବେଳେ ଟୀକାକରଣ ଆରମ୍ଭ ହୋଇଛି ଓ ଅବଶିଷ୍ଟ ଟୀକା ଖୁବ ଶୀଘ୍ର ପହଂଚିବ ବୋଲି କହିଥିଲେ । କୋଭିଡ଼ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ଟୀକାକରଣ ପାଇଁ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ପଞ୍ଜିକୃତ କରାଯାଇ ଯାଇଥିଲା । ସେମାନଙ୍କର ଡ଼ାଟା ବେସ୍ ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଟୀକା ନେଇଥିବା ବ୍ୟକ୍ତି ମାନଙ୍କୁ ପୁନଶ୍ଚ ୨୮ଦିନ ପରେ ଦ୍ୱିତୀୟ ଡ଼ୋଜ୍ ଟୀକା ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ ଯୋଗ ଦେଇଥିଲେ । ପ୍ରଥମ ଟୀକା ନେଇଥିବା ଶ୍ରୀ ଗୋଛାୟତ ନିଜ ପ୍ରତିକ୍ରୀୟାରେ ପ୍ରଥମରୁ ସାମାନ୍ୟ ଭୟ ଲାଗୁଥିଲେ ମଧ୍ୟ ଟୀକା ନେବା ପରେ ଖୁସି ଲାଗୁଛି ଓ କୈାଣସି ପାର୍ଶ୍ବ ପ୍ରତିକ୍ରୀୟା ଜଣାଯାଇ ନାହିଁ ବୋଲି କହିଥିଲେ । ଟୀକାକରଣ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ମାନଙ୍କୁ ଟୀକା ନେବାର ଅଧ ଘାଣ୍ଟା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ବିଶ୍ରାମ କକ୍ଷରେ ରଖାଯାଇଥିଲା । ଟୀକା କରଣରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଜିଲ୍ଲାରେ ଶୃଙ୍ଖଳିତ ଭାବେ ସମସ୍ତ କେନ୍ଦ୍ରରେ ଟୀକାକରଣ ଚାଲିଥିଲା ବୋଲି ସିଡ଼ିଏମ୍ଓ ଡ଼ାକ୍ତର ବଳ ସୂଚନା ଦେଇଥିଲେ ।

Comments (0)
Add Comment