ଯବାନ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ: ୨ ହାର୍ଡକୋର ମାଓବାଦୀ ମୃତ ।

ମାଲକାନଗିରି,୧୮/୦୧(ପିପିଟି): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାବ-ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ଯୋଗୁଁ ୨ ହାର୍ଡକୋର ମାଓବାଦୀଙ୍କ ମୃତ ହୋଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏସ.ଏଲ.ଆର ବନ୍ଧୁକ, ଏଲ.ଏମ.ଜି ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରିଛି ପୋଲିସ । ବିଜାପୁର ଜିଲ୍ଲାର କରି ଜଙ୍ଗଲରେ ଆଜି ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଥିଲା । ପରେ ଡିଆରଜି ଓ ତେଲେଙ୍ଗାନାର ଗ୍ରେହାଉଣ୍ଡସ ଯବାନ ମିଳିତ ଭାବେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କ ଉପରକୁ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ପରେ ଯବାନ ମାନେ ପାଲଟା ଆକ୍ରମଣ କରିଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ୨ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।ଏଥିରେ ଆତୁର ନାଗରାମ ମହାଦେବପୁର ଏରିଆ କମିଟିର ଡି.ଭି.ସି.ଏମ ପଦରେ ଥିବା ମାଓ ନେତା ସୁନାଧରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମାଓ ନେତା ଚିହ୍ନଟ ହୋଇ ପାରି ନାହିଁ । ଘଟଣା ପରେ ମାଓବାଦୀ ମାନେ ସୁକୁମା ଓ ଦାନ୍ତେବାଡା ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ବେଳେ ସୁରକ୍ଷା କର୍ମୀ ମାନେ ବର୍ତ୍ତମାନ ମଧ୍ୟ ଅପରେସନ ଜାରି ରହିଥିବା ନେଇ ବିଶେଷ ସୂତ୍ରରୁ ପ୍ରକାଶ । ଘଟଣାସ୍ଥଳରେ ଅପରେସନ ଜାରି ରହିଥିବା ବେଳେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢିଥିବାର ଅନୁମାନ କରାଯାଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment