ଯନ୍ତ୍ରୀକୁ ଆଦର୍ଶ ପଞ୍ଚାୟତ କରିବା ଦିଗରେ ପ୍ରଶାସନର ବଡ଼ ପଦକ୍ଷେପ ।

ମାଲକାନଗିରି,୦୯/୦୫(ପିପିଟି):ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ମିଶନ ଯନ୍ତ୍ରୀ ଅଭିଯାନ ମାଧ୍ୟମରେ ଯନ୍ତ୍ରୀ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିତୋଳିବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଛି। ଏହି କ୍ରମରେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି।

ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଞ୍ଚାୟତର ପ୍ରତିଟି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଶତପ୍ରତିଶତ ସରକାରୀ ଯୋଜନା ପହଞ୍ଚାଇବା। ଜିଲ୍ଲା ପ୍ରଶାସନର ମୁଖ୍ୟ ଭାବେ ଜିଲ୍ଲାପାଳ ଏହି ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ, ଡିଏମଓ ଡ଼ା. ନିହାର ରଞ୍ଜନ ପ୍ରହରାଜ, ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତା କୁମାର, ବ୍ଲକ୍ ଶିକ୍ଷା ଅଧିକାରୀ, ସିଡ଼ିପିଓ, ଯନ୍ତ୍ରୀ ସରପଞ୍ଚ, ସମସ୍ତ ୱାର୍ଡ଼ ସଭ୍ୟ ଏବଂ ବ୍ଲକ୍ ସାଂସଦ ପ୍ରତିନିଧିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସରକାରୀ ସେବାକୁ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚାଇବା ପାଇଁ ଆୟୋଜିତ ଏହି ଶିବିରରେ ମୋଟ ୧୫୪ ଜଣ ହିତାଧିକାରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କୁ ସାମାଜିକ ସୁରକ୍ଷା ଭତ୍ତା (ପେନସନ) ପ୍ରଦାନ କରାଯାଇଥିବା ବେଳେ ୨୪ ଜଣ ଚଳନ ଅକ୍ଷମତା, ୧୩ ଜଣ ବୌଦ୍ଧିକ ଅକ୍ଷମତା, ୧୨ ଜଣ ଦୃଷ୍ଟିହୀନ ଏବଂ ୨୨ ଜଣ ଶ୍ରବଣ ଓ ବାକ୍ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସହାୟତା ଯୋଗାଇ ଦିଆଯାଇଛି।

ପ୍ରତିଟି ମୁହଁରେ ହସ ଏବଂ ସଶକ୍ତିକରଣର ଏହି ପ୍ରୟାସ ଜାରି ରହିବ। ଗୋଟିଏ ବି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।

( ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment