ବୋଲଗଡ,୦୩/୦୭ (ପିପିଟି): ରାଜ୍ୟରେ ମୌସୁମୀର ଲୁଚକାଳି ଖେଳ ଯୋଗୁଁ ସଠିକ୍ ବୃଷ୍ଟି ପାତ ନହେବା ଫଳରେ ବୋଲଗଡ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ଚାଷ କାର୍ଯ୍ୟର ଅନୁକୂଳ ଆରମ୍ଭ ଅକ୍ଷୟ ତୃତୀୟା ପରଠାରୁ କୃଷକ ମାନେ ଚାଷ ଜମିରେ ଧାନ ବୁଣିଥିଲେ ମଧ୍ୟ ଆବଶକୀୟ ବୃଷ୍ଟି ପାତ ନହେବା ଫଳରେ ବୋଲଗଡ ବ୍ଲକ ଅଞ୍ଚଳରେ ଗଜା ମରୁଡି ଆଶଙ୍କା ଦେଖା ଦେଇଛି। ଧାରା ଶ୍ରାବଣ ମାସ ପ୍ରବେଶ କରିଥିଲେ ମଧ୍ୟ ନିର୍ଦ୍ଧାରିତ ବର୍ଷା ଋତୁ ଅନୁସାରେ ଧାନ ବୁଣା ଶେଷ ସହିତ ତଳି ପକା କାର୍ଯ୍ୟ ଏବଂ ବେଉଷଣ କାର୍ଯ୍ୟ ଆରମ୍ଭ ହେବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ସଠିକ୍ ବୃଷ୍ଟି ପାତ ନହେବା ଫଳରେ ଚାଷ ଜମିରେ ପାଣି ନହେବା ଯୋଗୁଁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବିଳମ୍ବ ହେବାରେ ଲାଗିଛି। କୃଷକମାନେ ମୌସୁମୀ ବର୍ଷାକୁ ଚାତକ ଭଳି ଚାହିଁ ବସିଅଛନ୍ତି।କୃଷକ ମାନେ ଚାଷଜମିରେ ଧାନ ବୁଣି ଗଛ ନହେବାରୁ ପୁନର୍ବାର ଧାନ ବୁଣି ଅର୍ଥ ଖର୍ଚ୍ଚ କରି ମୁଣ୍ଡରେ ହାତ ଦେଇ ବସିଛନ୍ତି।ବୋଲଗଡ ବ୍ଲକ ଅଞ୍ଚଳରେ କୌଣସି କଳକାରଖାନା ଓ ବଡ ବ୍ୟବସାୟ ପ୍ରତିଷ୍ଠାନ ନଥିବା ଯୋଗୁଁ ବେକାର ଯୁବକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଛି। ବୋଲଗଡ ବ୍ଲକ ଅଞ୍ଚଳର ଗ୍ରାମୀଣ ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ଗୁଡ଼ିକୁ ସରକାରୀ ଆନ୍ତରିକତା ଅଭାବରୁ ବିଭିନ୍ନ ଶିଳ୍ପ ବୁଡ଼ିବାକୁ ବସିଥିବା ବେଳେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସହିତ ଜନ ସାଧାରଣ ମାନେ କୃଷି ଉପରେ ନିର୍ଭର କରି ପରିବାର ପୋଷଣ କରୁଅଛନ୍ତି। ବୋଲଗଡ଼ ବ୍ଲକ ଅଞ୍ଚଳରେ ନଦୀ ନାଳ ନଥିବା ବେଳେ ଚାଷ ଜମିରେ ଜଳ ସେଚନ ବ୍ୟବସ୍ଥା ନଥିବା ଯୋଗୁଁ କୃଷକ ମାନେ ବାରମ୍ବାର ମରୁଡିର ସାମ୍ନା କରୁଅଛନ୍ତି । ଏହି ଅଞ୍ଚଳର କୃଷକ ମାନେ ବାରମ୍ବାର ମରୁଡି ସାମ୍ନା କରିବା ଫଳରେ ଚାଷ କାର୍ଯ୍ୟ ଛାଡ଼ି ବାହାର ରାଜ୍ୟକୁ ଦାଦନ ଯିବାର ଦେଖିବାକୁ ମିଳୁଛି।ବୋଲଗଡ ବ୍ଲକ ଅଞ୍ଚଳରେ ଚାଷ ଜମିକୁ ଜଳ ସେଚନ ପାଇଁ ଜନ ସାଧାରଣ ମାନଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)