***ମୋ ଗାଁ***

ମୁଁ ତ ରହିଲି ବାହାରେ
ଗାଁ ସ୍ଥିତି ଏବେ ପୂର୍ବ ପରି ନାହିଁ
ପଢୁଛି ଘଟଣା ଖବରେ….!!
ମୋ ପିଲା ଦିନ ସ୍ମୃତି ସାଉଁଟିଲେ
ଗାଁ ଥିଲା କେତେ ସୁନ୍ଦର….
ଆମ୍ବ ତାଳ ଗଛ ଦିଶେ ଧାଡ଼ି ଧାଡ଼ି
ଦୂରୁ ଦୃଶ୍ୟ ଶୋଭା ମନୋହର….!!
ମୋ ଗାଁ ପୂରୁବେ ଉଚ୍ଚା ପରବତ
ସୂର୍ଯ୍ୟ ଲୁଚି ଲୁଚି ଏଠି ଉଏଁ ….
ଗ୍ରୀଷ୍ମ ଦିନେ ତାପ ଅସହ୍ୟ ହେଲେ ବି
ଶୀତରେ କିରଣ ମନ ମୋହେ…..!!
ବରଷା ଋତୁରେ ପାହାଡ଼ ଶିଖରେ
ଟିକି ଝରଣା ଟା ଗାଏ ଗୀତ….
ମୋ ଗାଁ ନଈଟା ହୁଏ ଅମାନିଆ
ଶ୍ରାବଣ ସହିତ ହୁଏ ମିତ…..!!
ମୋ ଗାଁ କୁ ଯେବେ ବସନ୍ତ ଛୁଅଁଇ
କୋଇଲି ଟା ଆମ୍ବ ଡାଳେ ବସି….
ବିରହ ସଂଗୀତ ଗାଉଥାଏ ନିତି
ପ୍ରେମର କାହାଣୀ ଘୋଷି ଘୋଷି….!!
ଚାରିଆଡେ ଫୁଟେ ମଲ୍ଲୀ ଯେ ମାଳତୀ
ସୁଗନ୍ଧ ମଳୟ ପ୍ରସରଇ….
ମନରେ ବିଷାଦ ବେଦନା ଯେତିକ
କ୍ଳାନ୍ତ ଅବସାଦ ଦୂର ହୋଇ….!!
ଗାଁ ଶେଷ ମୁଣ୍ଡେ ବୁଢି ଠାକୁରାଣୀ
ବେଲ ଗଛ ମୂଳେ ପୂଜା ପାଇ….
ଗାଁ ସୁଖ ଦୁଃଖ ମନର ଭାବନା
ନିରବରେ ସବୁ ଜାଣିଥାଇ……!!
ପୂନେଇ ଜହ୍ନ ଟା କେଡେ ମନ୍ତ୍ର ମୁଗ୍ଧ
ଶରତେ କି ଶୋଭା ରୂପ ତା’ର….
ଦେଖି ଦେଲେ ବୃଦ୍ଧ ହୃଦୟ କୁମୁଦ
ଅତିତ ଯୌବନ ହୁଏ ସ୍ମର….!!
ମୋ ଗାଁ ମନ୍ଦିରେ ସକାଳ ସନ୍ଧ୍ୟାରେ
ଆରତୀ ବେଳରେ ଘଣ୍ଟ ଘଣ୍ଟା….
ଶଙ୍ଖ ଧ୍ବନି ଦୂରୁ ଆସୁଥାଏ ଭାସି
ଶ୍ରବଣେ ନ ଲାଗେ ପାପ ଛିଟା….!!
ମୋ ଗାଁ ମଣିଷ ଏତିକି ସରଳ
ମମତା ବନ୍ଧନେ ସୁସମ୍ପର୍କ….
ସତ୍ୟ ପଥେ ଚାଲେ ସମଗ୍ର ଜୀବନ
ବରଜେ କୁକର୍ମ ଯାହା ନର୍କ….!!
ସେ ଅତିତ ସ୍ମୃତି ଅଛି ମୁଁ ସାଇତି
ମନେ ପଡେ ଯେବେ ଶୈଶବ….
ସ୍ବର୍ଗ ସମ ଥିବା ଗାଁ ଟି ମୋହର
ନାହିଁ ଆଉ ସେଠି ବୈଭବ….!!
ଗାଁ ଚାଷବାସ ତ୍ୟାଗିଣ ଯୁବକେ
ସହରକୁ ସବୁ ଗଲେ ମାଡି…..
ବେକାରୀ ସମସ୍ୟା ହେଲାଣି ଉତ୍କଟ
ଶୂନଶାନ ଏବେ ଘରବାଡ଼ି….!!
ଅକର୍ମା ଦଳେକ ଗାଁ ରେ ରହିଣ
ରାଜନୀତି କଥା ଭାଳି ଭାଳି….
ପରସ୍ପର ଖାଲି ହୁଅନ୍ତି ବିପଡ
କଥା କଥା କରେ କରି କଳି….!!
ରାଜନୀତି ଠାରୁ ଆଉ କଳୁଷିତ
ରହିଛି ବିଷୟ କୁହ ଖୋଲି….
ବିଷ ମଞ୍ଜି ବୁଣି ମମତାରେ ଫାଟ
ମଣିଷ ପଣିଆ ଗଲେ ଭୁଲି….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment