*** ମୋ ଗାଁ ***

ମୋ ଗାଁ ମାଟି ଚନ୍ଦନ ଠୁ ବଳି
ଅଙ୍ଗେ ଅଙ୍ଗେ ବୋଳି ହୋଇ
ଶୈଶବ ମୋହର ବିତିଛି ତା କୋଳେ
ତାକୁ ପାଶୋରିବି ନାହିଁ….!!
ଝର ଝର ଝରେ ପାହାଡି ଝରଣା
ପବିତ୍ର କି ଗଙ୍ଗା ଜଳ….
ସୁଦ୍ଧ ସ୍ନାନ କଲେ ଭରି ଦିଏ ମନେ
ଆନନ୍ଦ ଉଲ୍ଲାସ ବଳ….!!
ମୋ ଗାଁ ସୁନ୍ଦର ଆମ୍ବ ନାରିକେଳ
ମଲ୍ଲି ମାଳତୀର ବାସ….
ତଡାଗେ ସରାଗେ ନାଚେ କୁମୁଦିନୀ
ଜହ୍ନ ସାଥେ ପ୍ରୀତି ହସ….!!
ଧାଡ଼ି ଧାଡି ନଡ଼ା ଛପର କୁଟୀର
ପଲ୍ଲୀ ଜୀବନର ଚିତ୍ର….
ଚାଳିଆ ଉପରେ ମାଡି ମାଡି ଯାଏ
ଲାଉ ଡଙ୍କ ଫୁଲ ପତ୍ର….!!
ଗାଈ ବାଛୁରୀ ର ମମତା ମଧୁର
ସୁନ୍ଦର ତା ପ୍ରତି ଛବି….
ହମ୍ବା ରଡି ଛାଡି ବାଛୁରୀ ନାଚଇ
କି ବର୍ଣ୍ଣି ପାରିବ କବି….!!
ଗୋମୟକୁ ନେଇ ଘରର ଘରଣୀ
ଘର ଲିପା ପୋଛା କରେ….
ଅରୁଆ ଚାଉଳ ବାଟି ଝୋଟି କାଟି
ଚାରୁ ଚିତ୍ରପଟ କରେ….!!
ଗାଁ ର ମଣିଷ ନିରିହ ସରଳ
ପାପ ତାପ ଶୂନ୍ୟ ମନ…..
ବଡ ସାନ ଉଚ୍ଚ ନୀଚ୍ଚ ମଣେ ନାହିଁ
ସଭିଏଁ ଆପଣା ଜନ….!!
ସ୍ବାର୍ଥ ଶୂନ୍ୟ ଏଠି ପୂଣ୍ୟର ପାହାଡ
ପରସ୍ପର ସ୍ନେହ ଶ୍ରଦ୍ଧା….
ଜଣଙ୍କ ନେତ୍ରରେ ଅଶ୍ରୁ ନିଗିଡିଲେ
ପଚାରନ୍ତି ଅସୁବିଧା….!!
ଅଭାବ ଏଠାରେ ଆକାଶ ଭରତି
ତଥାପି ଶୋଚନା ନାହିଁ….
ଗାଁ ର ମମତା ମିଳିବ କେଉଁଠି
ଏଇତ ସରଗ ଭୂଇଁ….!!
ମୋ ଗାଁ ରେ ଚାଲେ କେତେ ଓଷା ବ୍ରତ
ମଧୁମୟ ମୋର ଗାଁ….
ପ୍ରୀତି ପିୟୁଷର ଅମୃତ କଣ୍ଠରେ
କଳକଣ୍ଠ ଜପେ ନାଁ….!!
ମୋ ଗାଁ ମନ୍ଦିରରେ ଜଗନ୍ନାଥ ସ୍ଵାମୀ
ଶୁଣନ୍ତି ସକଳ ଦୁଃଖ….
ବିପଦ ଆପଦେ ହର ହର ଦେବ
ହରନ୍ତି ସନ୍ତାପ ଶୋକ…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment