ମୋଦି ସରକାର ର ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ରାଜ୍ୟବ୍ୟାପୀ ହରତାଳ ସମ୍ପୂର୍ଣ ସଫଳ ହୋଇଛି : ଫରୱାର୍ଡ଼ ବ୍ଲକ ।

ଭୁବନେଶ୍ୱର,୦୯/୦୭(ପିପିଟି): ଶ୍ରମିକ ସଂଗଠନମାନଙ୍କ ଦେଶବ୍ୟାପୀ ହରତାଳ ଡାକରାରେ ସାମିଲ ହୋଇ ଶତାଧିକ ଫରୱାର୍ଡ ବ୍ଲକର କର୍ମୀ ଗିରଫ ହୋଇଛନ୍ତି । ଦେଶର ଦଶ କୋଟି ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଆହୁତ ସାଧାରଣ ଧର୍ମଘଟକୁ ସମର୍ଥନ ଜଣାଇ ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ’ ଆଜି ହରତାଳ ରେ ସାମିଲ ହୋଇଥିଲେ । ସକାଳୁ ଫରୱାର୍ଡ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହପାତ୍ର ନେତୃତ୍ୱରେ ଫରୱାର୍ଡ ଓ ଏହାର ଶ୍ରମିକ ସଂଗଠନ ‘ଟିୟୁସିସି’ ର ସାଥୀମାନେ ଭୁବନେଶ୍ୱର ରେଳଷ୍ଟେସନକୁ ଯାଇ ସେଠାରେ ପ୍ରତିବାଦ କରିବା ସହ ଭୁବନେଶ୍ୱର- ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ସମେତ ଅନ୍ୟାନ୍ୟ ଯାତ୍ରୀ ଓ ମାଲ ପରିବହନ କରୁଥିବା ରେଳ ଗାଡ଼ିଗୁଡ଼ିକ ଅଟକାଇଥିଲେ । ପରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ସିଟି ବସଷ୍ଟାଣ୍ଡରେ ପିକେଟିଙ୍ଗ କରିବା ଫଳରେ ସିଟି ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ଫରୱାର୍ଡ ବ୍ଲକ ପକ୍ଷରୁ ଅଶୋକ ନଗର ଓ ମାଷ୍ଟର କ୍ୟାଣ୍ଟିନ ଛକରେ ପିକେଟିଙ୍ଗ କରାଯାଇଥିଲା । ଏହା ପରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହିତ ମିଳିତ ଭାବରେ ଏକ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ମାଷ୍ଟର କ୍ୟାଣ୍ଟିନ୍ ଦେଇ ମହାତ୍ମା ଗାନ୍ଧୀ ମାର୍ଗ ଦେଇ ସଚିବାଳୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା। ଫଳରେ ପୋଲିସ ସହିତ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେଇଥିଲା। ପୋଲିସ ଘଟଣାସ୍ଥଳରୁ ଆନ୍ଦୋନକାରୀଙ୍କୁ ଗିରଫ କରିଥିଲା । ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ରଙ୍କ ସମେତ ଫରୱାର୍ଡ ବ୍ଲକର ରାଜ୍ୟ ନେତ୍ରୀ ଲକ୍ଷ୍ମୀ ଦୋରା,ମୀରାମ୍ବିକା ସାହୁ,ଛାତ୍ରୀ ନେତ୍ରୀ ରିଙ୍କି ଆଜାଦ, ଶ୍ରମିକ ନେତା ବିଜୟ ସାହୁ, ଆଲୋକ କୁମାର ମହାପାତ୍ର,ବିଶ୍ୱଜିତ୍ ପଣ୍ଡା, ଅମ୍ବିକା ପ୍ରସାଦ ପଣ୍ଡା,ପ୍ରଦୋଷ ଦତ୍ତ ପୁହାଣ,ଅକ୍ଷୟ ମଲ୍ଲିକ,ରାଜୁ ମାଡକାମୀ, ଇଜ୍ଜନ ବଜ,ଅଭିରାମ ପାଙ୍ଗି ପ୍ରମୁଖ ପୋଲିସ କର୍ଡନ ଭାଙ୍ଗି ଗିରଫ ହୋଇଥିଲେ । ଆଜି ସାରା ରାଜ୍ୟରେ ଏହି ହରତାଳ ସଫଳ ହୋଇଛି । ଡବଲ ଇଂଜିନ ସରକାର ର ଜନ ବିରୋଧୀ ନୀତିରେ ଅତିଷ୍ଠ ସାଧାରଣ ଜନତାଙ୍କ ଆକ୍ରୋଶର ପ୍ରତିଫଳନ ଦେଖିବାକୁ ମିଳିଛି । ଏହି ସାଧାରଣ ଧର୍ମଘଟ ର ସଫଳତା ପାଇଁ ଫରୱାର୍ଡ଼ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments (0)
Add Comment