ମାଲକାନଗିରି,୦୫/୦୪(ପିପିଟି):ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅନ୍ତର୍ଗତ ବାରିବାଞ୍ଛା ତଥା ଇସମାଇଲ ନଗର ନାମରେ ନାମିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି ଅଭିଯାନରେ ପ୍ରାୟ ୨୨ ଏକରରୁ ଅଧିକ ଜଙ୍ଗଲ ଜମିକୁ ଜବର ଦଖଲମୁକ୍ତ କରାଯାଇ ପ୍ରଶାସନ ନିଜ ଅଧୀନରେ ନେଇଛି।ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ସକାଳ ୯ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ଚାଲିଥିଲା। ଏହି କାର୍ଯ୍ୟରେ ନିୟୋଜିତ ୪ ଟି ଜେସିବି, ଗୋଟିଏ ୨୧୦ ଏକ୍ସାଭେଟର, ହାଇଡ୍ରା ମେସିନ୍
ମାଧ୍ୟମରେ ବେଆଇନ ଭାବେ ନିର୍ମିତ ଏକ ୩ ମହଲା ବିଶିଷ୍ଟ ଘର, ଆୟୁର୍ବେଦିକ କ୍ଲିନିକ, ଗୋଦାମ ଗୃହ ଏବଂ ଦୁଇଟି ଷ୍ଟୋର ରୁମ୍କୁ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଦୂର୍ଯ୍ୟୋଧନ ଭୋଇଙ୍କ ଉପସ୍ଥିତିରେ ଭଙ୍ଗା ଯାଇଛି। ସେଥିସହିତ ୧୧ଟି ପୋଖରୀକୁ ମଧ୍ୟ ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେଇଛି।
ଏହି ଜମିକୁ ଜବରଦଖଲ କରିଥିବା ତିନି ଭାଇ ମହମ୍ମଦ ମାସୁମ୍ ଖାନ୍, ମହମ୍ମଦ ହସନ୍ ଖାନ୍ ଓ ମହମ୍ମଦ ଜମାଲ ଖାନ୍ ଙ୍କ ବିରୋଧରେ ପ୍ରଶାସନ କଡ଼ା ପଦକ୍ଷେପ ନେଇ ସମସ୍ତ ଜବର ଦଖଲରେ ଥିବା ସମ୍ପତ୍ତିକୁ ଜବତ କରାଗଲା।
ଅନ୍ୟପକ୍ଷରେ, ଏହି ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ତିନିଟି ପିଟିସନ ଡବ୍ଲୁପିସି ୧୪୮୬୭/୨୦୨୨, ୧୪୮୬୮/୨୦୨୨, ୧୪୮୭୦/୨୦୨୨ କୁ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ। ମାନ୍ୟବର ବିଚାରପତି ଡଃ ସଞ୍ଜୀବ କୁମାର ପାଣିଗ୍ରାହୀ ନିଜ ରାୟରେ କହିଥିଲେ ଯେ, ସରକାରୀ କିମ୍ବା ଜଙ୍ଗଲ ଜମି ଉପରେ ଦୀର୍ଘଦିନ ଧରି ଦଖଲ ରଖିବା ମାତ୍ରେ ମାଲିକାନା ଅଧିକାର ସ୍ଥାପିତ ହେବ ନାହିଁ।
ସୂଚନା ଯୋଗ୍ୟ, ଆବେଦନକାରୀମାନେ ଜୟପୁର ସଂସ୍ଥାନ ରାଜା ବିକ୍ରମ ଦେବ ଙ୍କ ପ୍ରଦତ୍ତ ୧୯୨୦ ମସିହାର ତାମ୍ରଫଳକ ସମ୍ବନ୍ଧୀୟ ଦାବି କରିଥିଲେ ମଧ୍ୟ ସେଥିପାଇଁ ଅଦାଲତ ରେ କୌଣସି ପ୍ରମାଣ ପ୍ରଦାନ କରିପାରି ନଥିଲେ। ସେମାନେ ଭୂମିହୀନ ନୁହନ୍ତି ବୋଲି ଯାଞ୍ଚରେ ପ୍ରକାଶ ପାଇଥିବା ସହ, ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ୧୩ ଡିସେମ୍ୱର ୨୦୦୫ ପୂର୍ବରୁ ଅନ୍ୟ ପାରମ୍ପରିକ ବନବାସୀ ପାଇଁ ଆବଶ୍ୟକ ତିନି ପିଢ଼ିର ପ୍ରମାଣ ଦେବାରେ ମଧ୍ୟ ବିଫଳ ହୋଇଥିଲେ।
ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ଜମିକୁ ଗ୍ରାମ୍ୟ ଜଙ୍ଗଲ ଶ୍ରେଣୀରେ ଥିବା ବୋଲି ସ୍ପଷ୍ଟ କରି କାହାକୁ ମଧ୍ୟ ଏହା ଲିଜ୍ ଦିଆଯିବ ନାହିଁ ବୋଲି କହିଥିଲେ।ଏହି ଅଭିଯାନରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ପୋଲିସ୍ ଏସଡିପିଓ ଦିବ୍ୟଜ୍ୟୋତି ଦଳେଇ ଙ୍କ ସହ କାଲିମେଳା ଆଇଆଇସି ଅର୍ଜୁନ କହଁର ଙ୍କ ସମେତ ୧୦୦ ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ମୋଟୁ ତହସିଲଦାର ଅର୍ଜୁନ ପ୍ରଧାନଙ୍କ ସମେତ ମାଜିଷ୍ଟ୍ରେଟ୍ ଭାବରେ ଡେପୁଟି କଲେକ୍ଟର ଲିପିନା ଦାସ, ସ୍ଵୟଂ ରାଉତ, ସହାୟକ ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀ, ହର ମହାପାତ୍ର, କାଲିମେଳା ତହସିଲଦାର ସତ୍ୟ ନାରାୟଣ ରାଜଗୁରୁ ଉପସ୍ଥିତ ଥିଲେ। ମେଡିକାଲ ଟିମ୍ ସହ ଅଗ୍ନିଶମ ଅଧିକାରୀ କମଲ ଗୌଡ, ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରା ଓ ଟିପିଏସଓଡିଏଲ୍ କର୍ମଚାରୀ ଉପସ୍ଥିତ ଥିଲେ।ସରକାରୀ ସମ୍ପତ୍ତିର ସୁରକ୍ଷା ଏବଂ ଆଇନର ଶାସନ ପ୍ରତିଷ୍ଠା ଦିଗରେ ମାଲକାନଗିରି ପ୍ରଶାସନର ଏହି ପଦକ୍ଷେପ ଏକ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ବୋଲି ସର୍ବ ସାଧାରଣରେ କୁହାଯାଉଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)