ମୁଦୁଲିପଡ଼ାରେ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ପାଇଁ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ ।

ମାଲକାନଗିରି, ୨୧/୦୮(ପିପିଟି):ମାଲକାନଗିରି ଜିଲ୍ଲାର ଦୁର୍ଗମ ବଣ୍ଡା ଅଞ୍ଚଳର ମହିଳାମାନଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଆଜି ମୁଦୁଲିପଡ଼ା ସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜନଜାତୀୟ ଦକ୍ଷତା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ୍ ରାଜଶିର୍କେ ଏହି ତାଲିମ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ୨୦ ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପ ବିଷୟରେ ଦକ୍ଷତା ବିକାଶ ତାଲିମ ଆରମ୍ଭ କରାଯାଇଛି।ଏହି ସ୍ୱତନ୍ତ୍ର ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଜନ ଶିକ୍ଷା ସଂସ୍ଥାନ, ମାଲକାନଗିରି ଦ୍ୱାରା ପରିଚାଳନା କରାଯାଉଛି। ତାଲିମ ମାଧ୍ୟମରେ ବଣ୍ଡା ମହିଳାମାନଙ୍କୁ ଆଧୁନିକ ଗହଣା ତିଆରି ସମ୍ପର୍କିତ କୌଶଳ ପ୍ରଦାନ କରାଯାଇ ସେମାନଙ୍କର ରୋଜଗାର ସୁଯୋଗ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରାଯିବ।
କାର୍ଯ୍ୟକ୍ରମରେ ଜିଲ୍ଲାପାଳ କହିଛନ୍ତି, ବଣ୍ଡା ଜନଜାତିଙ୍କ ପାରମ୍ପରିକ ଅଳଙ୍କାର ଓ କଳା ସଂସ୍କୃତିର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ଜନଜାତୀୟ ଦକ୍ଷତା କେନ୍ଦ୍ର ମାଧ୍ୟମରେ ସେମାନଙ୍କର ଏହି ପାରମ୍ପରିକ କୌଶଳକୁ ଆଧୁନିକ ଗହଣା ଶିଳ୍ପର ରୂପ ଦିଆଯିବ, ଯାହା ଦ୍ୱାରା ବଣ୍ଡା ମହିଳାମାନେ ନିଜ ଘର ପାଖରେ ରହି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସେମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ।ଓଡ଼ିଶାର ଅନ୍ୟତମ ପ୍ରମୁଖ ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ମହିଳାମାନେ ନିଜ ହାତ ତିଆରି ପାରମ୍ପରିକ ମାଳି ଏବଂ ଗହଣା ବ୍ୟବହାର ପାଇଁ ସ୍ୱତନ୍ତ୍ର ପରିଚିତି ବଜାୟ ରଖିଛନ୍ତି। ଏହି ନୂତନ ଦକ୍ଷତା କେନ୍ଦ୍ର ସେମାନଙ୍କର ନିଜସ୍ୱ କଳାକୁ ବୃହତ୍ତ ବଜାର ସହ ଯୋଡ଼ିବାରେ ଏକ ପ୍ରମୁଖ ସେତୁ ସାଜିବ। କେବଳ ପାରମ୍ପରିକ କୃଷି ଓ ବନଜାତ ଦ୍ରବ୍ୟ ସଂଗ୍ରହ ଉପରେ ନିର୍ଭର ନକରି ମହିଳାମାନେ ଏବେ ସ୍ୱୟଂ ସକ୍ଷମ ହୋଇ ନିୟମିତ ଆୟ କରିପାରିବେ। ଆଧୁନିକ ବଜାରର ଚାହିଦା ଅନୁଯାୟୀ ପ୍ରସ୍ତୁତ ଗହଣା ସେମାନଙ୍କ ଆର୍ଥିକ ସଶକ୍ତିକରଣକୁ ସୁଦୃଢ଼ କରିବା ସହ ସେମାନଙ୍କର ପାରମ୍ପରିକ ଜ୍ଞାନକୌଶଳ ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ସହାୟକ ହେବ।

ଜିଲ୍ଲା ଦକ୍ଷତା ବିକାଶ ଏବଂ ନିୟୋଜନ ଅଧିକାରୀ ଗୁପ୍ତ ମାଢ଼ି ଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ, କନିଷ୍ଠ ନିଯୁକ୍ତି ଅଧିକାରୀ ରାଜେଶ କୁମାର ନାୟକ, ନିର୍ଦ୍ଦେଶକ, ଜନ ଶିକ୍ଷା ସଂସ୍ଥାନ ସୁଶାନ୍ତ କୁମାର ସାହୁ ଏବଂ ପ୍ରକଳ୍ପ ମୁଖ୍ୟ , ବଣ୍ଡା ଉନ୍ନୟନ ସଂସ୍ଥାଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment