ପୁରୀ,୧୧/୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ନବନିର୍ମିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ପୁରୀ ଜ଼ିଲ୍ଲା ପାଇଁ ଏକ ଐତିହାସିକ ଦିବସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି।
ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନେ ମେଡିକାଲ ପାଠ ପଢିବା ସହିତ ପୁରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କଲେଜରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୧୦୦ଟି ଏମବିବିଏସ ଆସନ ରହିଛି। ବର୍ତ୍ତମାନ ସାରା ରାଜ୍ୟରେ ୮ଟି ସରକାରୀ ମେଡିକାଲ କଲେଜର ସମୁଦାୟ ଏମବିବିଏସ ଆସନ ସଂଖ୍ୟା ୧୨୫୦କୁ ବୃଦ୍ଧି ପାଇଛି।
କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଭବିଷ୍ୟତରେ ଭଲ ଡାକ୍ତର ହୋଇ ନିଷ୍ଠାପର ଭାବେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ।