ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ;ମୃତକଙ୍କ ପରିବାରକୁ ୫୦ ଲକ୍ଷ ଏବଂ ଗୁରୁତର ମାନଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଦାବି ।

ଭୁବନେଶ୍ୱର,୨୯/୦୬: ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଦ୍ଵାରା ଗଠିତ ପିସିସି ଟିମ୍ ଆଜି ପୁରୀ ଗସ୍ତ କରିଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ,ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ପ୍ରଥମେ ଘଟଣାସ୍ଥଳ ରେ ପହଞ୍ଚି ଜୀଉ ମାନଙ୍କ ଦର୍ଶନ କରିବା ସହିତ ଅଭାବନୀୟ ଦଳା ଚକଟା ସଂକ୍ରାନ୍ତରେ ସବିଶେଷ ଅନୁଧ୍ୟାନ କରିଥିଲେ।ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଦଳା ଚକଟାରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ବାସ୍ଥ୍ୟ ଏବଂ ଚିକିତ୍ସା କଥା ବୁଝିଥିଲେ।ଗୁରୁତର ଭାବେ ଆହତ ହୋଇଥିବା ଓ ସମ୍ପୂର୍ଣ ରୂପେ ଗୋଡ଼ ହାଡ ଦିଖଣ୍ଡ ହୋଇଥିବା ଦୁଇଜଣ ରୋଗୀଙ୍କୁ ମଧ୍ୟ ବିନା ଚିକିତ୍ସାରେ ଦିସଚାର୍ଜ ହୋଇଥିବା କଥା ଶୁଣି ଟିମ୍ ବ୍ୟଥିତ ଓ ଚକିତ ହୋଇଥିଲେ। ଘଟଣାକୁ ଫାଙ୍କି ଦେବା ପାଇଁ ଯେତିକି ସରକାରୀ ଉଦ୍ୟମ ହେଉଛି ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ପାଇଁ ସେତିକି ଦୃଷ୍ଟି ଦିଆଯାଉନାହିଁ। କଂଗ୍ରେସ ଟିମ୍ ମଧ୍ୟ ଗୁଣ୍ଡିଚା ଘର ସାମ୍ନାରେ ଥିବା ଜିଲ୍ଲା କଂଗ୍ରେସ ସେବା ଶିବିର ରେ ପହଞ୍ଚିଥିଲେ।

ମୃତକ ମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସ୍ଵତନ୍ତ୍ର ସହାୟତା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ୨୫ ଲକ୍ଷ ଟଙ୍କା ସ୍ଵତନ୍ତ୍ର ସହାୟତା ଦାବିକୁ ଟିମ୍ ଦୋହରାଇଥିଲା। ସରକାର ସମୁଦାୟ ଘଟଣା ପାଇଁ ସଂପୂର୍ଣ୍ଣ ଦାୟୀ ହୋଇଥିବା ବେଳେ ଧର୍ମକୁ ଆଖିଠାର ମାରିବା ନ୍ୟାୟରେ ମାତ୍ର କେତେକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ମୁଣ୍ଡରେ ପରିଚାଳନା ଦାଇତ୍ୱ ନ୍ୟସ୍ତ ଥିବା ଦୃଷ୍ଟିରୁ ନୈତିକତା ଦୃଷ୍ଟିରୁ ସେମାନେ ଇସ୍ଥଫା ଦିଅନ୍ତୁ ବୋଲି ଟିମ୍ ଦାବି କରିଛି। ମାସକ ଭିତରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଜି ଅପରାହ୍ନରେ ଆଇନ ମନ୍ତ୍ରୀ ଘୋଷଣା କରିଛନ୍ତି।କିଏ ତଦନ୍ତ କରିବେ ଏବଂ କିଭଳି ତଦନ୍ତ କରାଯିବ ସେ ସମ୍ପର୍କରେ କିଛି ନ କହି ସରକାର କି କାର୍ଯ୍ୟାନୁଷ୍ଠାନ ନେବେ – ଟିମ୍ ଏହା ପ୍ରଶ୍ନ କରିଛି। ନୀଳାଦ୍ରି ବିଜେ ପରେ ୧୦ ଦିନ ମଧ୍ୟରେ ଘଟଣାର କାର୍ଯ୍ୟରତ ଜିଲ୍ଲା ଜଜଙ୍କ ଦ୍ଵାରା ତଦନ୍ତ କରାଯାଇ ସୁପାରିଶ ଭିତରେ କାର୍ଯ୍ୟାନୁଷ୍ଠନ ହେଉ ବୋଲି ଦାବି କରିଛନ୍ତି। ପିସିସି ଟିମ୍ ପ୍ରଦେଶ କଂଗେସ ସଭାପତି ଭକ୍ତ ଚରଣ ଦାସଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ପର୍ବ ସୁରୁଖୁରୁରେ ସମାପନ ହେଉ ବୋଲି କାମନା କରିବା ସହ ସମସ୍ତ ସାଢେ଼ ଚାରି କୋଟି ଓଡ଼ିଶା ବାସି ଓ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରିଛନ୍ତି।

ପୁରୀ ଜିଲ୍ଲା ସଂଯୋଜକ ରାଜେଶ ମିଶ୍ର,ଗୋପ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନୀଳମଣି ପ୍ରଧାନ,ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ନଗର କଂଗ୍ରେସ ଦୁଇ ସଭାପତି ଅମରେନ୍ଦ୍ର ପାଇକରାୟ, ବିଶ୍ଵନାଥ ଦାସ,ସ୍ଵାଧୀନ ପଣ୍ଡା,ସିତାଂଶୁ ଦାସ,ବିଶ୍ଵ କେଶନ ହରିଚନ୍ଦନ ମହାପାତ୍ର,ନିରଞ୍ଜନ ବିଶ୍ୱାଳ, ସୁଜିତ୍ ମହାପାତ୍ର,ଚେତନ ମିଶ୍ର,ସୁକାନ୍ତ ପ୍ରଧାନ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ପିସିସି ଟିମ୍ ସହିତ ଉପସ୍ଥିତ ଥିଲେ।

Comments (0)
Add Comment