ବ୍ରହ୍ମପୁର, ୧୩/୦୨(ପିପିଟି); ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ଦାବିନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ କ୍ଷେତ୍ର ହିଞ୍ଜିଳିକାଟୁର ବିଜୁ ପଟ୍ଟନାୟକ ଛକ ଓ ବାଚସ୍ପତିଙ୍କ ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡିର କୁକୁଡାଖଣ୍ଡି ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଦଶମ ପଥପ୍ରାନ୍ତ ସଭା, ପୋଷ୍ଟକାର୍ଡ -ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ରରେ ଏହି ଜ୍ୱଳନ୍ତ ପ୍ରସଙ୍ଗ ନେଇ ଆନ୍ଦୋଳନର ସ୍ୱର ଉଠିବାରୁ ବହୁ ହିଞ୍ଜିଳି ବାସୀ ଏହି ନ୍ୟାଯ୍ୟ ଦାବି ପ୍ରତି ସମର୍ଥନ ଜଣାଇଛନ୍ତି ଓ ସ୍ୱତଃପ୍ରବୃତ ଭାବେ ଆସି ଦସ୍ତଖତ ପ୍ରଦାନ କରିଛନ୍ତି l ଆସନ୍ତା ଅପ୍ରେଲ ୦୧ ତାରିଖରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିବସରେ ଗଞ୍ଜାମ ଜିଲ୍ଲା ପ୍ରତି ବିମାନ ବନ୍ଦର ସ୍ଥାପନର ଘୋଷଣା ହେବାକୁ ସମସ୍ତ ବୁଦ୍ଧିଜୀବୀ,ସମାଜସେବୀ ଦାବି କରିଛନ୍ତି । ଉଡାଣ ଯୋଜନା ଅନୁଯାୟୀ ସମଗ୍ର ଭାରତ ବର୍ଷରେ ୧୦୦ ଟି ବିମାନ ବନ୍ଦର ମଞ୍ଜୁରୀ ପାଇଥିବା ବେଳେ ସେଥିମଧ୍ୟରୁ ୦୯ ଟି ଓଡିଶା ପାଇଁ ମଞ୍ଜୁରୀ ମିଳିଛି । କିନ୍ତୁ କ୍ଷୋଭର ବିଷୟ ହେଲା ସର୍ବବୃହତ ଜିଲ୍ଲା ଗଞ୍ଜାମ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ଶୁଭଦୃଷ୍ଟି ପକାଇନାହାନ୍ତି । ଗଞ୍ଜାମ ଜିଲ୍ଲା ପ୍ରତି ଏହିପରି ବୈମାତୃକ ମନୋଭାବ ବିରୁଦ୍ଧରେ ସମଗ୍ର ଜିଲ୍ଲା ବ୍ୟାପି ଆନ୍ଦୋଳନକୁ ତେଜୀୟାନ କରାଯିବ ବୋଲି ଆଜିର ସଭାରେ ମତ ପ୍ରକାଶ ପାଇଛି । ବିମାନ ବନ୍ଦର ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ରାଜେନ୍ଦ୍ର ପଣ୍ଡା, ସହଆବାହକ ଅବନୀ ଗୟା, ସମାଜସେବୀ ବି. ସି. ବେହେରା, ଟି. ରାମେଶ୍ୱର ପାତ୍ର, ଲବ ଜେନା,ରାକେଶ କୁମାର ରଥ, ଗୌରହରି ପୃଷ୍ଟି, ଡ଼ଃ ବିଜୟ ପାଣିଗ୍ରାହୀ, ସୁଷମା ପଣ୍ଡା,ବି. ସ୍ୱରାଜ ସୁବୁଦ୍ଧି, ପ୍ରଦୀପ କୁମାର ସାହୁ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଡ଼ଃ. ଶିବ ପ୍ରସାଦ ମିଶ୍ର, ବିଶ୍ୱଦେବ, ରମେଶ ଚନ୍ଦ୍ର ବେହେରା,ଏସ. କେଶବ ଲିଙ୍ଗମ, ଗଗନ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥଲେ । ଶେଷରେ ହିଞ୍ଜିଳିକାଟୁ ଡାକଘରୁ ହିଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଦୁଇ ହଜାର ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି ।