ମୁଖ୍ୟମନ୍ତ୍ରୀଙ୍କ ଦ୍ବାର ନନ୍ଦନକାନନ ଠାରେ ନିର୍ମିତ ବହୁତଳ କାର ପାର୍କିଂ ଉଦ୍‌ଘାଟିତ।

ଭୁବନେଶ୍ବର,୨୭/୦୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନ ଠାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି। ନନ୍ଦନକାନନକୁ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଟ୍ରାଫିକ୍‌ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି।

ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ। ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି। ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି।

ଏହା ଦ୍ୱାରା ନନ୍ଦନକାନନ ମୁଖ୍ୟ ରାସ୍ତାରେ ଯାନବାହନ ଭିଡ଼ କମିବା ସହ ଟ୍ରାଫିକ୍‌ ସମସ୍ୟାର ସମାଧାନ ହୋଇପାରିବ। ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି ଏବଂ ଏଥି ପାଇଁ ଏକ ୨୦ ବର୍ଷିଆ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି।

Comments (0)
Add Comment