ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫ଟି ଗ୍ରୀଡ ସବଷ୍ଟେସନ ଉଦଘାଟିତ ।

ଭୁବନେଶ୍ବର,୧୬/୦୧:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଉଦ୍‌ଘାଟନ କରିଛନ୍ତି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା, ସୁବର୍ଣ୍ଣପୁରର ବୀରମହାରାଜପୁର ଓ କଟକ ଜିଲ୍ଲାର ଗୋଡିସାହି ଓ ବହୁଗ୍ରାମରେ ହୋଇଥିବା ଗ୍ରୀଡ ସବ୍‌ଷ୍ଟେସନ ଦ୍ୱାରା ୨ ଲକ୍ଷ ଲୋକ ଉପକାର ପାଇବେ।

୨୫୪ କୋଟିରେ ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ପ୍ରସ୍ତୁତ ହୋଇଛି। ଜନସାଧାରଣଙ୍କ ଜୀବନଧାରଣମାନରେ ଉନ୍ନତି ପାଇଁ ଉତ୍ତମ ବିଦ୍ୟୁତଶକ୍ତିର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ ଓ ଆବଣ୍ଟନ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ କ୍ଷେତ୍ରରେ ଏକ ଦୃଢ ଭିତ୍ତିଭୂମିର ବିକାଶ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ୧୮୫ଟି ଏକ୍ସଟ୍ରା ହାଇଭୋଲ୍ଟାଜ ଗ୍ରୀଡ ସବ ଷ୍ଟେସନ ଥିବାବେଳେ ୧୬,୦୦୦ ସର୍କିଟ କିଲୋମିଟର ନେଟୱାର୍କ ରହିଛି। କାର୍ଯ୍ୟକ୍ରମରେ ଯୋଗ ଦେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଓଡିଶା ବିଦ୍ୟୁତ ଶକ୍ତିରେ ଏକ ବଳକା ରାଜ୍ୟ ହୋଇପାରିଛି । ଓଡିଶାର ଶକ୍ତି ବିତରଣ ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଫଳ ହେଉଛି ବୋଲି ସେ ମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ପ୍ରମୁଖ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ରାଜ୍ୟରେ ବିଦ୍ୟୁତ ଶକ୍ତିର ବିକାଶ ଓ ଶିଳ୍ପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

Comments (0)
Add Comment