ବୟସ ଷାଠିଏ ପାର । ଆଠ ବର୍ଷ ତଳୁ ବ୍ଲଡ ସୁଗାର । ନିତି ଦିନ ବଟିକା ଗିଳା ଆଉ ସକାଳ ହେଉ କି ସଂଧ୍ୟା ରେ ଅଧଘଣ୍ଟାଏ ଚାଲିବା। ଠିକ୍ ସମୟରେ ଜଳ ଖିଆ ଖାଇବା । ଦିନରେ ଉଷୁନା ଭାତ, ରାତିରେ ଦି ଖଣ୍ଡ ରୁଟି ଖାଇବା,ତେଲ ମସଲା କମ, ଆଳୁ ,ଚିନି, ମିଠା ଖାଇବା ଉପରେ କଟକଣା,ଏ ସବୁ ଡାକ୍ତରଙ୍କ ସତର୍କ ବାଣୀ ମାନି ଚଳିବା। ସୁଗାର ରୋଗୀ ପାଇଁ ସବୁ ଲକ୍ଷ୍ମଣ ରେଖା। ବାର୍ଦ୍ଧକ୍ୟ ଗ୍ରାସ କରିବା ସହିତ
ସୁଗାର ରୋଗ ଆକ୍ରାନ୍ତ କଲେ ଜୀବନ ଦୁର୍ବିସହ। ଜୀବନରେ
ପ୍ରତିଦିନ ଜଟିଳ ସମସ୍ୟାକୁ ନେଇ ମାନସିକ ଓ ଶାରିରୀକ ଯନ୍ତ୍ରଣା ଦିଏ ଏହି ମଧୁମେହ ରୋଗ । କେତେବେଳେ କ’ଣ ହେବ କହିବା କଷ୍ଟ। ଆଜି କାଲି ପ୍ରାୟ ୫୦ ପ୍ରତିଶତ ଲୋକଙ୍କୁ
ମଧୁମେହ। ପୂର୍ବରୁ ଏ ସବୁ ରୋଗ କ୍ଵଚିତ ଥିଲା। ଏ ରୋଗ
କାହିଁକି ହୁଏ,କାରଣ ଅସ୍ପଷ୍ଟ। କେବଳ ଜୀବନ ଚର୍ଯ୍ଯାକୁ ଖାପଖୁଆଇ ଚାଲିବା କଥା। ମୁଁ ବେଳେ ବେଳେ ବିବ୍ରତ ହୁଏ
ଯେ ,କାହାର ହୃଦ୍ ଘାତ,ଆଉ କାହାର କିଡନୀ ଫେଲ୍ ରେ
ଅକାଳ ବିୟୋଗ ହେଲାଣି। କାହାର ପାଦରେ ଘା ହୋଇ
ଗୋଡ କଟା ଗଲାଣି । କାହାର ଆଖିକୁ ଦିଶୁନି । କାହାର କୋଲେଷ୍ଟ୍ରାଲ ବୃଦ୍ଧି,ଛାତି ଯନ୍ତ୍ରଣା। କାହାର ହାଇ ବ୍ଲଡ଼ ପ୍ରେସର।
ଏମିତି ରୋଗରେ ବଞ୍ଚିବା କଷ୍ଟ। ଏହାର ସ୍ଥାୟୀ ସମାଧାନ କିଛି ନାହିଁ କି ସ୍ଥାୟୀ ଚିକିତ୍ସା କିଛି ନାହିଁ। ବହୁତ ମଧୁମେହ ରୋଗୀ
ମୃତ୍ୟୁ କୁ ଆପଣେଇ ନେଲେଣି। ଏହି ରୋଗରେ ବେଶୀ ଫାଦା ନିଅନ୍ତି ଡାକ୍ତର ଓ ପ୍ଯାଥୋଲ୍ଯାବ୍ ମାଲିକ । ଡାକ୍ତର ବି ସହିତ ନାନା ପରୀକ୍ଷା। ସବୁ ଅର୍ଥ ଔଷଧ କିଣା, ଡାକ୍ତର ଓ ରୋଗ ପରୀକ୍ଷାରେ ଖର୍ଚ୍ଚ। ଯୋଉ ମାନଙ୍କ ର ଆର୍ଥିକ ସ୍ବଛଳତା ଅଛି ଅସୁବିଧା ନାହିଁ,ଗରିବ ବିଚରା ଅର୍ଥ ଅଭାବରୁ ମଲା । ସରକାର
ଗରିବ ଓ ମଧ୍ୟବିତ୍ତ ଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ କାର୍ଡ ଖଣ୍ଡେ ଖଣ୍ଡେ
ଧରେଇଛନ୍ତି। ହେଲେ ପ୍ରତି ମାସରେ ବ୍ୟୟବହୁଳ ମଧୁମେହ ରୋଗୀଙ୍କ ପାଇଁ ଏହି ଏହି ସ୍ବାସ୍ଥ୍ୟ ଯୋଜନା କାର୍ଡର ଉପଯୋଗୀତା ନାହିଁ। ଏଥି ପାଇଁ ସରକାର କିଛି ପଦକ୍ଷେପ ନେଲେ ହୁଏ ବହୁ ସଂଖ୍ୟକ ମଧୁମେହ ରୋଗୀଙ୍କ ଅକାଳ ମୃତ୍ୟୁକୁ ରୋକି ହୋଇ ପାରନ୍ତା। ଯେମିତି ସରକାର ଯକ୍ଷ୍ମା, କୁଷ୍ଠ , ବସନ୍ତ , ହଇଜା ତଥା ମ୍ୟାଲେରିଆ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଥଲେ, ବର୍ତ୍ତମାନ ର ମହାମାରୀ ରୋଗ ହେଲା ମଧୁମେହ ବା ସୁଗାର ରୋଗ । ପ୍ରତ୍ୟେକ ଜିଲ୍ଲା ସ୍ତରରେ ମଧୁମେହ ରୋଗୀ ଚିହ୍ନଟ କରି, ସେମାନଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ କାର୍ଡ ର ବ୍ୟବସ୍ଥା କରି ଉତ୍ତମ ଚିକିତ୍ସା ଯୋଗାଇ ଦେବା ସରକାରଙ୍କ ର ମୈ।ଳିକ କର୍ତ୍ତବ୍ୟ ହେବା ଆବଶ୍ୟକ। ଫଳରେ ବହୁ ରୋଗୀଙ୍କର ପ୍ରାଣ ରକ୍ଷା ହୋଇ ପାରନ୍ତା। ଏ ସଂପର୍କରେ କୈାଣସି ଅନୁଷ୍ଠାନ ହେଉ କି ରାଜନୈତିକ ଦଳ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାର ନଜିର ନାହିଁ। ନିର୍ବାଚନ
ବେଳେ ଅନେକ ଯୋଜନା ଘୋଷଣା ହୁଏ। ହେଲେ ଏ ଯୋଜନା ଟା କିନ୍ତୁ କୌଣସି ଦଳର ଏଜେଣ୍ଡାରେ ନାହିଁ।
ମୁଁ ଗତ କାଲି ଜଣେ ବନ୍ଧୁ ଘରକୁ ଯାଇଥିଲି ମୋ ପୁଅ ର ବିବାହ
ନିମନ୍ତ୍ରଣ ପତ୍ର ଦେବା ପାଇଁ। ତାଙ୍କ ଘରେ ପହଞ୍ଚି ଦେଖିଲି ବନ୍ଧୁଙ୍କ ସ୍ବାସ୍ଥ୍ୟ ଅତି ଖରାପ। ହୃଷ୍ଟ ପୁଷ୍ଟ ଚେହେରାଟା ଶୁଖି ଶୁଖି
କଳା କାଠ ପାଲଟି ଯାଇଛି। ସେ ଜଣେ କମ୍ୟୁନିଷ୍ଟ ଲିଡର। ଗରିବ, ଖଟିଖିଆ, ମେହନତି ମଣିଷ ଓ ଚାଷୀ ପାଇଁ ଜୀବନ ତମାମ ଆନ୍ଦୋଳନ କରି କରି ପରିଣତ
ବୟସରେ ଉପନିତ। ଅନ୍ଯ ପାଇଁ ସଂଗ୍ରାମ କରି ନିଜ ପାଇଁ ହାରି ଯାଇଥିବା ମଣିଷ ପାଖରେ କପର୍ଦକ ଶୂନ୍ୟ,ସେ ପୁଣି ମଧୁ ମେହ
ରୋଗରେ ଭୀଷଣ ଭାବରେ ଆକ୍ରାନ୍ତ। ଏବେ କିଡନୀ କାର୍ଯ୍ୟ କରୁ ନି । ସପ୍ତାହ କୁ ୨ ଥର ଡାଇଲୁଟ ଚାଲିଛି ,ସେ କେତେବେଳେ ଆଖି ବୁଜି ଦେବ କହିବା ଅସମ୍ଭବ। ତାଙ୍କର ଏମିତି ବିପଦରେ କାହାର ସହାୟତା ନଥିବା ଦୁଃଖ ଓ ପରିଚିତର ବିଷୟ। ଆଉ ଜଣେ ସାଙ୍ଗ ଦୀର୍ଘ ଦିନ ହେଲା ମଧୁମେହରେ ପୀଡ଼ିତ। ଆଜି ଫେସବୁକ ରେ ଦେଖିଲି ଓ ଚାକିରୀରୁ ଅବସର ନ ନେବା ପୂର୍ବରୁ ସ୍ବର୍ଗାୟନ । ସ୍ତ୍ରୀ ମଥାରୁ
ସିନ୍ଦୂର ଗାଏବ । ବୁଢା ନ ହେବା ପୂର୍ବରୁ ଯମ ପାଞ୍ଜି ପୋଛି ଦେଉଛି। ଆଉ ଜଣେ ପରିବା ବିକାଳୀ,ବୟସ ପଚାଶ ଡେଇଁ ନି । ମଧୁମେହ ରୋଗରେ ମୃତ୍ଯୁ। ସକାଳେ ପରିବାର ବଜାର ବନ୍ଦ। କ’ଣ ପାଇଁ ପରିବା ଦୋକାନ ବନ୍ଦ। ଉତ୍ତର ପାଇଲେ – ଜଣେ ପରିବା ବିକାଳୀ ମଧୁମେହ ରୋଗରେ ଅକାଳ ବିୟୋଗ।
ଏ ରୋଗ ଏତେ ଭୟଙ୍କର ଯେ କେତେବେଳେ କାହା ଜୀବନ ଯିବ କହିବା ଅସମ୍ଭବ। ମୋ ମା’ ବି ବୃଦ୍ଧା ସମୟରେ ମଧୁମେହରେ ମଲା। ଆଗରୁ ତା’ର ରକ୍ତ ଶର୍କରା ଠିକ୍ ଥିଲା। ମାତ୍ର ଖରା ଦିନେ କୋଲଡ୍ରିଙ୍କ ପିଇ ପିଇ ମଧୁମେହ ହେଲା । କୋଲଡ୍ରିଙ୍କ ଯେ ଏତେ ଖରାପ ପାନୀୟ, ମୁଁ ହୃଦ୍ ବୋଧ କରିଛି। ମୁଁ ଆଗେ କୋଲଡ୍ରିଙ୍କ ଗୁଡାଏ ପିଇଛି।ଏବେ ସେ ସବୁରୁ ବହୁ ଦୂରରେ। ଆମେ ଆଧୁନିକ ର ଦ୍ୱାହି ଦେଇ କୋଲଡ୍ରିଙ୍କ ଭଳି ବିଷକୁ ଅତିଥି ଘରକୁ ଆସିଲେ ଦେଉଛୁ। ଅତିଥିମାନେ ମଧ୍ୟ ଅତି ଆନନ୍ଦିତ ହୋଇ ଢକ୍ ଢକ୍ ପାନ କରୁଛନ୍ତି। ସେମାନେ ବାରଣ କରୁ ନାହାନ୍ତି କି ଆମେ ମଧ୍ୟ ଉକ୍ତ
କୋଲଡ୍ରିଙ୍କ ବା ମୃଦୁ ପାନୀୟ ବିଷୟ ରେ ଅଜ୍ଞ। ଏଣୁ ଶ୍ରଦ୍ଧାରେ ଯାହା ଦେଉଛୁ,ତାହା ନିହାତି ଜହର । ଆମେ ଆମ ଜେଜେ ଅମଳର କଥାକୁ ଭୁଲି ଯାଇଛୁ । ସେମାନେ ଅତିଥିଙ୍କୁ ଲେମ୍ବୁ,ପଇଡ ପାଣି,ଆଖୁରସ ,ଚହ୍ଲା ପାଣି ପିଇବାକୁ ଦେଉଥିଲେ
। ଆମେ ସବୁ ଭୁଲି ଗଲୁ ଆଉ କୋଲଡ୍ରିଙ୍କ ଦେଇ ରୋଗକୁ ଆମନ୍ତ୍ରଣ କରୁଛୁ।
ଆମ ଜୀବନ ଶୈଳୀକୁ ପରିବର୍ତ୍ତନ ଓ ପରି ମାର୍ଜିତ କରିବାକୁ ହେବ । ବଜାରରେ ପନିପରିବା ଠାରୁ ଖାଦ୍ୟ ଶସ୍ୟ ଯାହା ବି ବିକ୍ରି ହେଉଛି, ସବୁଥିରେ ରାସାୟନିକ ସର ଓ କୀଟନାଶକ ଔଷଧ। ଯାହା ବି ଖାଉଛେ , ସେଥିରେ ପୁଳା ପୁଳା ବିଷ। ଏଣୁ ଆମକୁ ନାନା ରୋଗ କବଳିତ କରୁଛି। ସୁଷମା ଖାଦ୍ୟ ବୋଲି କିଛି ନାହିଁ। ଏଣୁ ମଣିଷର ଆୟୁଷ ଧୀରେ ଧୀରେ ହ୍ରାସ ପାଉଛି।
ପୂର୍ବ ପରି ଆଉ ଗୋବର ଖତ କୃଷି କ୍ଷେତ୍ରରେ ପ୍ରୟୋଗ ହେଉ ନାହିଁ। କୃଷି ବିଭାଗ ଏଥି ପାଇଁ ଆଗେଇ ଆସିବା ଦରକାର। ସରକାର ମଧ୍ୟ ଏ ଦିଗରେ ପ୍ରୋତ୍ସାହନ କରିବା ଉଚିତ। କଥାରେ ଅଛି – ସ୍ବାସ୍ଥ୍ୟ ହିଁ ସମ୍ପଦ। ପ୍ରାଣ ଗଲେ ଆଉ ଫେରିବ ନି। ଦୁନିଆରେ ସବୁ ମିଳିବ, କିନ୍ତୁ ଜୀବନ ମିଳିବ ନାହିଁ।
ବିଜ୍ଞାନ କ୍ଷେତ୍ରରେ ଆମେ ଆଗେଇଛେ ସତ, ମାତ୍ର ଆଜି ମଧ୍ୟ ଅନେକ ରୋଗ ବୈଜ୍ଞାନିକମାନଙ୍କୁ ଚାଲେଞ୍ଜ କରିଛି। ଆମେ
ରୋଗକୁ ମୁକାବିଲା କରିପାରି ନୁ । ଯେମିତି କୋରନା ଭୂତାଣୁ ସମଗ୍ର ପୃଥିବୀକୁ ଚାଲେଞ୍ଜ କଲା। ଆମେ ଆତଙ୍କରେ ଥିଲୁ । ନିରୁପାୟ ହେଲୁ। ଲକ୍ଷ ଲକ୍ଷ ଲୋକ ପୋକ ମାଛି ପରି ମଲେ। ବିଜ୍ଞାନ ବିଫଳତା ହେଲା । କେବଳ ସତର୍କତା ହିଁ ଏକମାତ୍ର ପଦକ୍ଷେପ ବୋଲି କୁହାଗଲା।
ପୂର୍ବରୁ ମଧୁମେହ ରୋଗ ଯେଉଁମାନଙ୍କୁ ଥିଲା କୋରଣା ଭୂତାଣୁ
ସେମାନେ ଙ୍କୁ ସହଜରେ ଆକ୍ରାନ୍ତ କଲା, ସେମାନେ ଚଞ୍ଚଳ ଆଖି ବୁଜିଲେ ଚିରଦିନ ପାଇଁ। କାରଣ ସେମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ନଥିଲା। ସେମାନେ ଯଥା ଶୀଘ୍ର ମଲେ ।
ଓଡ଼ିଶା ସରକାର ୨୪ ବର୍ଷ ଶାସନ ଭିତରେ ପ୍ରଥମେ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନାରେ ଗୋଟିଏ ସ୍ବାସ୍ଥ୍ୟ କାର୍ଡ ଯୋଗାଲେ । ସାମ୍ବାଦିକମାନେ ଭାରି ଖୁସି ହେଲେ। ୨ ଲକ୍ଷ ରୁ ୫ ଲକ୍ଷ ହେଲା । ସେଥିରେ ବାପା ମା’ଙ୍କର ଚିକିତ୍ସା ନାହିଁ। ଧନ୍ଯ ବିଚାର ସରକାରଙ୍କର । ଏଠାରୁ ସରକାରୀ ସ୍ତରରେ ବାପା ମା’ଙ୍କର ଅବହେଳା ଆରମ୍ଭ। ଯଦି ଆର୍ଥିକ ସ୍ବଛଳତା ନଥିବା ସାମ୍ବାଦିକଙ୍କୁ ମାଗଣା ଚିିିକିତ୍ସା ପାଇଁ ସ୍ବାସ୍ଥ୍ୟ କାର୍ଡ ଦେଲ, ବାପା ମାଙ୍କୁ କିପରି ବାଦ୍ ଦେଲ ? ମୋହନ ସରକାର ମଧ୍ୟ ଏଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ଗତାନୁଗତିକ ରୀତିରେ ଚାଲିଛି। ଯେଉଁ ସାମ୍ବାଦିକ ମାନେ ଜୀବନ ସାରା ଖଟି ଖଟି କିଛି ସରକାରୀ ସହାୟତା ମିଳିଲା ନାହିଁ, ଅତନ୍ତଃ ପକ୍ଷେ ସେମାନଙ୍କ
ବୟସ ୬୦ ହେଲା ପରେ ପେଟ ପୋଷିବା ପାଇଁ ଭତ୍ତା ର ବ୍ୟବସ୍ଥା କରିବା କଥା। ନବୀନ ସରକାରଙ୍କ ସମୟରେ ସାମ୍ବାଦିକ ସଂଘଗୁଡିକ ଦାବି କରି କରି ବିଫଳ ହେଲେ। ତେବେ
ମୋହନ ସରକାର ଏ ଦିଗରେ ଚିନ୍ତା କରିବେ ବୋଲି ଆଶା ଓ ବିଶ୍ବାସ ଅଛି।
ଆଉ ମଧୁମେହ ଚିକିତ୍ସା ପାଇଁ ଯଦି ସ୍ବତନ୍ତ୍ର ସ୍ବାସ୍ଥ୍ୟ କାର୍ଡର ବ୍ୟବସ୍ଥା ମୋହନ ସରକାର କରନ୍ତେ,ବହୁ ଗରିବ, ମଧ୍ୟ ବିତ୍ତ ରୋଗୀ ଉପକୃତ ହୋଇ ପାରନ୍ତେ । ଯାହା ସ୍ବାସ୍ଥ୍ୟ କାର୍ଡ ଅଛି,ଏକ ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନାମାରେ ଆରୋଗ୍ୟ ଓଡିଶା ସମ୍ଭବପର ହୋଇ ପାରନ୍ତା।
(କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋହନ:୯୪୩୭୭୭୯୪୪୭
ମୋହନ ସରକାର ଯୋଜନା