ମିଳିଲାନି ଅନୁମତି, ବନ୍ଦ ହେଲା ରାବଣ ପୋଡ଼ି ମହୋତ୍ସବ ପୋଡ଼ିବା ପରିବର୍ତ୍ତେ ରାବଣକୁ ପୋତିଲେ ।

ଅମର୍ଦ୍ଦାରୋଡ଼,୦୪/୧୧: ବସ୍ତା ଥାନା, କୁଡିଆ ପଞ୍ଚାୟତ ଅନ୍ତର୍ଗତ ବେଲା ଗ୍ରାମରେ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗ୍ରାମରେ ରାବଣ ପୋଡ଼ି ମହୋତ୍ସବ ହେବାର ଥିଲା। ଏଥ‌ି ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ସମସ୍ତେ ରାବଣ ପୋଡ଼ି ଓ ବାଣଫୁଟାକୁ ପ୍ରତୀକ୍ଷା କରୁଥିଲେ । ମାତ୍ର ପ୍ରଶାସନ ଅନୁମତି ଦେଲାନି । ଫଳରେ ରାବଣକୁ ପୋଡ଼ାଯିବା ବଦଳରେ ପୋତାଗଲା ଓ ହଜାର ହଜାର ଦର୍ଶକ ନିରାଶ ହେଲେ ।ଉକ୍ତ ଗ୍ରାମରେ ୨୦ ବର୍ଷ ହେଲା ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଆଜି ହେବାକୁ ଥ‌ିବା ରାବଣ ପୋଡ଼ି ଉତ୍ସବରେ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥ୍‌ ଭାବେ ନିମନ୍ତ୍ରିତ ହୋଇଥିବାବେଳେ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରିବା ପ୍ରସ୍ତାବକୁ ନେଇ କମିଟି ମଧ୍ୟରେ ମତ ପାର୍ଥକ୍ୟ ଆସିଥିଲା । ତେବେ ଉକ୍ତ କାର୍ଯ୍ୟକ୍ରମ ଲାଗି ପ୍ରଶାସନିକ ଅନୁମତି ନ ଥିବା ଗତକାଲି ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଗତକାଲି,ଶନିବାର ସନ୍ଧ୍ୟାରେ ଗାଁରେ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ତୁରନ୍ତ ଥାନାରେ ଯାଇ ଦେଖା କରିବାକୁ କମିଟି ସଦସ୍ୟଙ୍କୁ କହିଥିଲେ। ତେବେ କାର୍ଯ୍ୟକ୍ରମରେ ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥ‌ିବାରୁ ଏଭଳି ହୋଇଛି ବୋଲି ପୂର୍ବାନୁମାନ କରି କମିଟି ସଦସ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ଜରିଆରେ ଉକ୍ତ ନେତାଙ୍କ ନିକଟକୁ ଯାଇଥିଲେ । ନେତା ଜଣକ ଥାନା ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓ କମିଟି ସଦସ୍ୟ ସେଠାକୁ ଗଲେ ଅନୁମତି ପତ୍ର ମିଳିଯିବ ବୋଲି ଆଶାସୁନା ଦେଇଥିଲେ। ମାତ୍ର ଥାନାରେ ପହଞ୍ଚିବା ବେଳକୁ ଥାନା ଅଧିକାରୀ କୌଣସି ପ୍ରକାରେ ଅନୁମତି ଦେବାକୁ ରାଜି ହୋଇ ନ ଥିଲେ । ବିଧି ଅନୁଯାୟୀ କାର୍ଯ୍ୟକ୍ରମ ପାଇଁ କମିଟି ପ୍ରଶାସନିକ ଅନୁମତି ପାଇ ନାହିଁ କହି ଆଜି ମଧ୍ୟ ପୁଲିସ ଏହାକୁ ବନ୍ଦ କରିବା ନିମନ୍ତେ ଆଯୋଜକଙ୍କୁ ନିର୍ଦ୍ଦେଶ ଦେଇଥ‌ିବା କମିଟିର ସଭାପତି ଅନନ୍ତ ଜେନା, ସମ୍ପାଦକ ଅଭିମନ୍ୟୁ ପାତ୍ର,ଗିରିଶ ଜେନା,ଅବିନାଶ ଜେନା, ପିକୁନ ଜେନା ପ୍ରମୁଖ କହିଛନ୍ତି। କାଳେ ଆଜି ପ୍ରଶାସନ ଠାରୁ ଅନୁମତି ମିଳିଯିବ, କମିଟି ସଦସ୍ୟ ସନ୍ଧ୍ୟା ଯାଏ ଅପେକ୍ଷା କରିଥିଲେ ହେଁ ନିରାଶ ହୋଇଥିଲେ। ଶେଷରେ ବାଧ୍ୟ ହୋଇ କମିଟି ସଦସ୍ୟ ଆଜି ରାତି ସାଢ଼େ ୮ଟାବେଳେ ରାବଣକୁ ପୋଡ଼ିବା ପରିବର୍ତ୍ତେ ଜେସିବିରେ ମାଟି ତାଡ଼ି ପୋତିଥିଲେ। ଏସବୁ ଘଟଣାକୁ ନେଇ ବିଧାୟିକା ନ ଆସିବାରୁ ସ୍ଥାନୀୟ ସରପଞ୍ଚ ଗୌରାଙ୍ଗ ଚରଣ ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ଦେଖ‌ିବାକୁ ଆଜି ସନ୍ଧ୍ୟାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ଗ୍ରାମରେ ଛୋଟ ମେଳା ବସି ଶହେରୁ ଅଧିକ ଦୋକାନୀ ପସରା ମେଲିଥିଲେ। ମାତ୍ର କାର୍ଯ୍ୟକ୍ରମ ବାତିଲ ହେବାରୁ ସମସ୍ତେ ନିରାଶ ହେଲେ। ଅନ୍ୟ ପକ୍ଷରେ ପ୍ରଶାସନର ବିନା ଅନୁମତିରେ ବର୍ଷ ବର୍ଷ ଧରି ଗାଁରେ ରାବଣ ପୋଡ଼ି ଉତ୍ସବ ହୋଇଆସୁଥିବାବେଳେ ଚଳିତ ବର୍ଷ ଅଙ୍କୁଶକୁ ନେଇ ବହୁ ସଚେତନ ନାଗରିକ ଅସନ୍ତୋଷ ପ୍ରକାଶ କରିଛନ୍ତି।

Comments (0)
Add Comment