ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ।

ପୋଲସରା,୧୦/୦୩(ପିପିଟି):ଆଜି ପୋଲସରା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ସମ୍ବଳିତ ଦାବି ପତ୍ର ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି। ମହାସଂଘ ପକ୍ଷରୁ ଠିକା ନିଯୁକ୍ତି ବନ୍ଦ କରିବା ସହିତ ସମସ୍ତ ଠିକା ଶିକ୍ଷକଙ୍କୁ ସ୍ଥାୟୀ କରିବା ,ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଏବଂ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବି କରି ଏହି ଦାବି ପତ୍ର ପ୍ରଦାନ କରାଯାଇଛି। ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ଉପରୋକ୍ତ ଦାବି ହାସଲ ଉଦ୍ଦେଶ୍ୟରେ ଗତବର୍ଷ ନଭେମ୍ବର ମାସ ୨୭ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମହାସଂଘ ପକ୍ଷରୁ ପି ଏମ୍ ଜି ଛକରେ ଧାରଣା ଦିଆଯାଇଥିଲା । ଫଳରେ ସରକାର ତତ୍କାଳୀନ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରିଥିଲେ। ଏହା ମଧ୍ୟରେ ଉକ୍ତ କମିଟିର ଦୁଇଥର ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନାହିଁ । ଏଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଉପରୋକ୍ତ ଦାବି ଗୁଡ଼ିକ ପୂରଣ କରିବା ପାଇଁ ଦାବି କରାଯାଇଛି। ଅନ୍ୟଥା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ପୁନର୍ବାର ଚଳିତ ମାସ ୧୫ ତାରିଖ ଠାରୁ ପି ଏମ୍ ଜି ଛକରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ଏହି ଦାବି ପତ୍ର ପ୍ରଦାନ ସମୟରେ ଶିକ୍ଷକ ନେତା ଦିଲୀପ କୁମାର ସେଠୀ ,ସନ୍ୟାସୀ ସାହୁ , କୁଳମଣି ସାହୁ,ଦଣ୍ଡେଶ୍ବର ପାଢ଼ୀ, ବିଷ୍ଣୁ ପ୍ରିୟା ପାତ୍ର,ବସନ୍ତ କୁମାର ମହାରଣା,କେଦାର ବାଡତ୍ୟା, ବଳରାମ ନାୟକ,ତ୍ରିଲୋଚନ ପାତ୍ର ଓ ତୋଫାନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment