ମିଟର ରିଡିଂ କର୍ମଚାରୀଙ୍କ ପ୍ରତି ଅବିଚାର, ନିରବ ପ୍ରତିବାଦ କରିବାକୁ ଚେତାବନୀ ।

କୋଦଳା,୧୭/୧୨(ପିପିଟି); କୋଦଳା ସାଉଥକୋ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ ମିଟର ରିଡିଂ କର୍ମଚାରୀଙ୍କ ପ୍ରତି ଅବିଚାର ଅଭିଯୋଗ । ଏଭଳି ଏକ ଅଭିଯୋଗ ଆସିଛି କୋଦଳା ସାଉଥକୋ ୟୁଟିଲିଟିର ମିଟର ରିଡିଙ୍ଗ କର୍ମକର୍ତ୍ତାଙ୍କ ନିକଟରୁ ।ଏହାର ପ୍ରତିବାଦ କରି ସହକାରୀ ଯନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ସମସ୍ତ ମିଟର ରିଡିଂ କର୍ମଚାରୀ। ଅଭିଯୋଗ ଅନୁସାରେ ପୁରୁଷୋତ୍ତମପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜଣେ ଠିକାଦାର ତଥା ଏଜେନ୍ସିଙ୍କୁ ଦୟା ଦେଖାଇ ପୁରୁଣା ନିୟମକୁ ବଦଳାଇ ନୂତନ ଭାବେ ଏକ ନିୟମ ଜାରି କରିଛନ୍ତି। ପୂର୍ବରୁ ଜଣେ ମିଟର ରିଡିଂ କର୍ମଚାରୀ ୩୫୦୦ ଉପଭୋକ୍ତାଙ୍କ ମିଟର ରିଡିଂ କରିବାକୁ ଅନୁମତି ଦିଆଯାଇଥିଲା।ଯାହାଫଳରେ ମିଟର ରିଡିଂ କର୍ମଚାରୀ ମାନେ ମାସିକ ଆନୁମାନିକ ୮/୧୦ ହଜାର ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ନିୟମକୁ କାଣ୍ଟଛାଣ୍ଟ କରି ଏକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଦାୟିତ୍ବ ଦେଇଛନ୍ତି। ଜଣେ ମିଟର ରିଡିଂ କର୍ମଚାରୀ ୩୫୦୦ ବଦଳରେ କେବଳ ୧୭୦୦ ବିଦ୍ଯୁତ ଉପଭୋକ୍ତାଙ୍କ ମିଟର ରିଡିଂ କରିବାକୁ ଯାଇପାରିବେ । ଯାହା ଫଳରେ କି ସେହି ଅନୁପାତରେ ମିଟର ରିଡିଂ କର୍ମଚାରୀ ମାନେ ମାସିକ ମାତ୍ର ୫ ହଜାର ଟଙ୍କାରୁ ଅଧିକ ପାଇ ପାରିବେ ନାହିଁ ବୋଲି କହିବା ସହିତ ଆମ ପେଟକୁ ନାତ ମାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କର୍ମଚାରୀ। ସାଉଥକୋ ପୁରୁଷୋତ୍ତମପୁର ନିର୍ବାହୀ ଯନ୍ତ୍ରୀ କାହା ସ୍ବାର୍ଥରେ ଏବଂ କାହିଁକି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସମସ୍ତ ମିଟର ରିଡିଂ କର୍ମଚାରୀ ପ୍ରଶ୍ନ କରିବା ସହ ବ୍ରହ୍ମପୁର ଉପରିଷ୍ଠ ଅଧିକାରୀଙ୍କ ନିକଟକୁ ଏନେଇ ଅଭିଯୋଗ ପତ୍ର ଲେଖିଛନ୍ତି। ବର୍ତ୍ତମାନ ଅନ୍ୟ ଡିଭିଜନ ମାନଙ୍କରେ କୌଣସି ନିୟମ ପରିବର୍ତ୍ତନ ହୋଇ ନଥିବା ବେଳେ ଏଠି କାହିଁକି ଆମ ପେଟକୁ ନାତ ମାରୁଛନ୍ତି ବୋଲି କ୍ଷୋଭର ସହିତ କହିଛନ୍ତି କର୍ମଚାରୀ । ବର୍ତ୍ତମାନ ସ୍ଥିତିରେ ଦରଦାମ ବୃଦ୍ଧି ପାଉଥିବା ବେଳେ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି କରିବା ବଦଳରେ ଦରମା କମାଯିବା ଭଳି ମାରଣ ନୀତିକୁ ବିରୋଧ କରି କାର୍ଯ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ କରାଯିବ ବୋଲି କହିଛନ୍ତି ସମସ୍ତ ମିଟର ରିଡିଂ କର୍ମଚାରୀ।

Comments (0)
Add Comment