ପୋଲସରା,୧୪/୦୬(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ଥାନା କସିପଡା ଗ୍ରାମଠାରେ ଏକ ନୂତନ ପୋଲିସ ଫାଣ୍ଡି ସ୍ଥାପନ ହୋଇଯାଇଛି । ଏଥିରେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ (ଶ୍ରମ,ନିଯୁକ୍ତି ଓ ରାଜ୍ୟ ବିମା ବିଭାଗ ଓଡିଶା ସରକାର)ଉଦଘାଟକ ଭାବେ ଯୋଗଦେଇ ବିଧିବଦ୍ଧ ଭାବେ ସହାୟତା କେନ୍ଦ୍ରର ଉଦ୍ଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସତ୍ୟବ୍ରତ ଭୋଇ, ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ, ବ୍ରହ୍ମପୁର, ଯୋଗଦେଇ ସହଯୋଗ କରିଥିଲେ । ସମ୍ମାନିତ ଅତିଥିଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଓ ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ପୁରୁଷୋତ୍ତମପୁର,ପ୍ରମୁଖ ପୋଲିସ ଅଧିକାରୀଗଣ ଯୋଗଦେଇଥିଲେ । ଏହା ପୂର୍ବରୁ ମନ୍ତ୍ରୀ ଶ୍ରୀ ସାହୁ ମା ସିଂହାସନୀଙ୍କ ପୀଠରେ ଏକ କାର୍ଯ୍ୟାଳୟ ଗୃହକୁ ଓ ପଚାଶ ହଜାର ଲିଟର କ୍ଷମତା ବିଶିଷ୍ଠ ପିଇବା ପାଣିର ଉତ୍ତଳ ଜଳଭଣ୍ଡାର ର ଉଦ୍ଘାଟନ କରିଥିଲେ। ଅତିଥିମାନଙ୍କୁ ମନ୍ଦିର ପରିଚାଳନା କମିଟି ଓ ପାଣ୍ଡ୍ରିପଡା ପଞ୍ଚାୟତ ବାସିଙ୍କଦ୍ଵାରା ସ୍ୱାଗତ ଏବଂ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ସମ୍ବଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଉକ୍ତପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ,କସିପଡା ଗ୍ରାମବାସୀ ବୃନ୍ଦ , ପୂର୍ବତନ ନଗରପାଳ ପ୍ରଫୁଲ ପ୍ରଧାନ, ବ୍ଲକଅଧ୍ୟକ୍ଷା କଳ୍ପନା ପ୍ରଧାନ, ପୋଲସରା ଏନ୍ ଏ ସି ନଗରପାଳ ସଂଯୁକ୍ତା ବେହେରା ଓ ଉପନଗରପାଳ ସନ୍ତୋଷ କୁମାର ବେହେରାଙ୍କ ସମେତ ବହୁ ସଂଖ୍ୟାରେ ସର୍ବସାଧାରଣଙ୍କ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟି ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବଂ ପୋଲିସ ଷ୍ଟାଫ ଓ କର୍ମଚାରୀମାନଙ୍କ ସହଯୋଗରେ କରାଯାଇଥିଲା ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )