ମା ବିରଜାଙ୍କର ରଥଯାତ୍ରା ଏବଂ ଦଶହରା ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

ଯାଜପୁର,୦୯/୦୯(ପିପିଟି): ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯାଜପୁର ସଦର ମହକୁମାରେ ମା’ ବିରଜାଙ୍କ ରଥଯାତ୍ରା ଏବଂ ଦଶହରା ପର୍ବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ), ଯୁଧିଷ୍ଠିର ନାୟକ ଆଗାମୀ ଦଶହରା ପୂଜା ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଯାଜପୁର ସହରର ସଂକୀର୍ଣ୍ଣ ରାସ୍ତାକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ଛକ,ସୋରୁମ ମାନଙ୍କ ସାମ୍ନାରେ ଟ୍ରାଫିକ ବ୍ୟବସ୍ଥା କଢ଼ା କଢ଼ି ଭାବେ ନିୟନ୍ତ୍ରଣ କରିବା ସହିତ ଅଧ‌ିକ ସଂଖ୍ୟକ ପୁଲିସ ମୁତୟନ ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ମା’ ବିରଜାଙ୍କ ରଥଟଣା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ପ୍ରଦତ୍ତ କାର୍ଯ୍ୟସାରଣୀ ମୁତାବକ ସମ୍ପନ୍ନ ହେବ ବୋଲି ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଜଣାଇଥିଲେ । ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ମା ବିରଜାଙ୍କ ରଥ ଯାତ୍ରା ଓ ଦୁର୍ଗାପୂଜା ଯେପରି ସୁଚାରୁରୂପେ ପାଳନ କରାଯିବ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହିତ ଅଧିକ ପୋଲିସ ଫୋର୍ସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରଥଟଣା ପୂର୍ବରୁ ମନ୍ଦିର ଚତୁଃପାର୍ଶ୍ଵର ରାସ୍ତାକୁ ମରାମତି ପାଇଁ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଅନୁରୋଧ କରାଗଲା । ମନ୍ଦିର ନିକଟରେ ଏକ ପାଣି ଟ୍ୟାଙ୍କରର ବ୍ୟବସ୍ଥା କରିବା ପାଇଁ ଜନ ସ୍ବାସ୍ଥ୍ୟ ବିଭାଗକୁ ଦାୟିତ୍ଵ ଦିଆଗଲା । ଦୂର୍ଗା ପୂଜାର ଅବ୍ୟବହିତ ପୂର୍ବରୁ ସମସ୍ତ ମଣ୍ଡପଗୁଡିକୁ ତନଖି କରି କମିଟିର ଦରଖାସ୍ତକୁ ବିଚାରକୁ ନେଇ ଯଥାଶୀଘ୍ର ମଣ୍ଡପ ଗୁଡିକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ବିଭାଗୀୟ କର୍ମକର୍ତ୍ତା କୁ ନିର୍ଦ୍ଦେଶ ଦିଆଗଲା । ସହର ର ଗ୍ରାମ୍ୟ ରାସ୍ତାରେ ଝୁଲି ରହିଥିବା ଏଲ. ଟି. ଲାଇନ ତାର ଗୁଡିକର ମରାମତି ଓ ବିପଦପୂର୍ଣ୍ଣ ବିଦ୍ୟୁତ ଖୁଣ୍ଟ ଗୁଡିକର ଅପସାରଣ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ । ପୂଜା ତଥା ଭସାଣି ସମୟରେ ଡି. ଜେ. ବ୍ୟବାହାରକୁ ସଂପୂର୍ଣରୂପେ ବନ୍ଦ କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଗଲା। ଡ଼ାକବାଜି ଯନ୍ତ୍ର ବଜାଇବା ନିମନ୍ତେ ୭ ଦିନ ଆଗରୁ ଅନୁମତି ନେବାକୁ ଏବଂ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ ଟା ସୁଦ୍ଧା ଶେଷ କରିବାକୁ ନିଷ୍ପତି ନିଆଗଲା । ଏହି ବୈଠକରେ ଉପସ୍ଥିତ ରହି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ କହିଲେ ମାନ୍ୟବ‌ର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ୬୫ ଡେସିବେଲ ରୁ ଅଧ‌ିକ ସାଉଣ୍ଡ ରେ ବାଦ୍ୟଯନ୍ତ୍ର ନ ବଜେଇବାକୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରିଥିଲେ । ରାତ୍ର ୧୦ ଘଟିକା ପରେ ଜାକବାଜି ଯନ୍ତ୍ରର ବ୍ୟବାହାର କୁ ସଂପୂର୍ଣ ରୂପେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଗଲା । ପୂଜା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଏବଂ ରାସ୍ତାରେ ପାଇପ ଲାଇନ ଲିକେଜକୁ ସଂପୂର୍ଣ୍ଣ ବନ୍ଦ କରିବା ଓ ମନ୍ଦିର ପରିସର ରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରିବାକୁ ଜନ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଗଲା । ଅଧ‌ିକ ଜନସମାଗମ ହେତୁ ଆଲୋକ ଓ ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ପାଇଁ ନିର୍ବାହୀ ଅଧିକାରୀ ପୌରପାଳିକା, ଯାଜପୁରଙ୍କୁ ଅନୁରୋଧ କରାଗଲା । ଦଶହରା ସମୟରେ ମା’ ଙ୍କ ମନ୍ଦିର ନିକଟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀଙ୍କୁ ଅନୁରୋଧ କରାଗଲା । ଦୂର୍ଗା ପୂଜା ପୂର୍ବରୁ ସହରର ମୁଖ୍ୟ ରାସ୍ତା ମରାମତି କରିବାକୁ ରାସ୍ତା ଓ ଗୃହ ନିର୍ମାଣ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମକର୍ତ୍ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଦଶହରା ଏବଂ ଭସାଣି ଦିନ ସମସ୍ତ ମଦ ଦୋକାନ ଗୁଡିକ ବନ୍ଦ ରଖିବାକୁ ନିଷ୍ପତି ନିଆଗଲା । ସମସ୍ତ ପୂଜା ମଣ୍ଡପ ଗୁଡିକୁ ତଦାରଖ କରି କୌଣସି ଅଘଟଣର ତତ୍କାଳ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଗ୍ନିଶମ ବିଭାଗକୁ ଅନୁରୋଧ କରାଗଲା । ପୂର୍ବ ବର୍ଷ ଭଳି ଦେବୀ ବିସର୍ଜନ ପାଇଁ ବୈତରଣୀ ନଦୀର ନିର୍ଦ୍ଧାରିତ ସ୍ଥାନରେ ଏକ ଅସ୍ଥାୟୀ ପୋଖରୀ ଖୋଳିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଗଲା । ପ୍ରଦୂଷଣ ସମ୍ବନ୍ଧୀୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ନିର୍ବାହୀ ଅଧିକାରୀ ଯାଜପୁର ପୌରପାଳିକାଙ୍କୁ ନିର୍ଦ୍ଦେଶ ଦିଆଗଲା । ବୈଠକରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତି ଗୁଡିକୁ ଯଥାସମ୍ଭବ ବାସ୍ତବ ରୂପ ଦେଇ ଚଳିତ ବର୍ଷ ଦୂର୍ଗା ପୂଜାକୁ ନିର୍ବିଘ୍ନ ରେ ସଂପୂର୍ଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କ ସହ‌ଯୋଗ କାମନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ସହକାରୀ ଜିଲ୍ଲାପାଳ,ସାଧାରଣ ଓ ବିବିଧ ବିଭାଗ, ଅଧିକ୍ଷଣ ଯନ୍ତ୍ରୀ,ରାସ୍ତା ଓ ଗୃହନିର୍ମାଣ ବିଭାଗ, ଟି.ପି.ଏନ୍.ଓ.ଡି.ଏଲ ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଭିନ୍ନ ପୂଜା କମିଟିର ବରିଷ୍ଠ ସଦସ୍ୟ,ମା’ ବିରଜାଙ୍କ ମୁଖ୍ୟ ସେବାୟ, ମେଢ଼ କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

 

Comments (0)
Add Comment