ମା’ ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କଲେ ଘୋଷଣା ।

ଭୁବନେଶ୍ବର,୦୮/୦୫: ମା’ ତାରାତାରିଣୀଙ୍କ ପୀଠ ଦର୍ଶନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ରାଜ୍ୟ ସରକାର ମାଁ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ ୮ କୋଟି ଟଙ୍କା ଦେଇଛନ୍ତି । ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ଗୋଟିଏ ସ୍ଵୟଂଚାଳିତ ରନ୍ଧାଯନ୍ତ୍ର ପ୍ରତିଷ୍ଠା (ପାହାଡ ଉପରେ), ୯୯୯ ପଥର ପାହାଚର ମରାମତି ଓ ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍‌ପାଇଁ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଏହା ସହିତ ଭକ୍ତ, ଯାତ୍ରୀମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ତଥା ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭବ ଉପଲବ୍ଧ କରାଇବା ମହତ୍ତ୍ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ପୁଣି ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ସିଂହଦ୍ଵାର ସାମନାରେ ବହୁତଳ ବିଶିଷ୍ଟ ଧର୍ମଶାଳା, ବଣଭୋଜି ସ୍ଥଳ, ରାସ୍ତାଘାଟ ଉନ୍ନତିକରଣ ଯଥା ନବ ନିର୍ମିତ ପୋଲ ଠାରୁ ମୁଖ୍ୟରାସ୍ତା ଓ ଘାଟ ରୋଡ ପାର୍ଶ୍ଵରେ ସୁରକ୍ଷା ପ୍ରାଚୀର, ଆଲୋକୀକରଣ, ସାଇନ୍ ବୋର୍ଡ, ମନ୍ଦିର ଚତୁର୍ଦ୍ଦିଗରେ ୫ ଗୋଟି ଗୁମୁଟ, ମନ୍ଦିର ଉତ୍ତରପାର୍ଶ୍ଵ ଉନ୍ନତିକରଣ, ଋଷିକୂଲ୍ୟା ନଦୀ ପଠାରେ ହେବାକୁଥିବା ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟକ୍ରମ ୨୫ କୋଟି ଟଙ୍କା ବ୍ୟୟରେ କରାଯିବ । ଏହା ସହିତ ମନ୍ଦିର ସମେତ ଅନ୍ୟାନ୍ୟ କୋଠାବାଡି ରକ୍ଷଣାବେକ୍ଷଣ ନିମନ୍ତେ ୫ କୋଟି ଟଙ୍କା ସ୍ଥାୟୀଜମା ଆକାରରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚାନଥାଉଯେ, ମା’ ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ସମୁଦାୟ ୬୮ କୋଟି ଟଙ୍କାର ଅର୍ଥ ମଞ୍ଜୁର ହୋଇଛି।ଉକ୍ତ କାର୍ଯ୍ୟକ୍ରମରେ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ, ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment