ମାଲକାନଗିରି, ୩୧/୦୧(ପିପିଟି):ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମାଲ୍ୟବନ୍ତ ମହୋତ୍ସବକୁ ଆନନ୍ଦ ଉଲ୍ଲାସର ସହ ଶାନ୍ତି ଶୃଙ୍ଖଳାର ରକ୍ଷା କରି ଉପଭୋଗ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ଵାନ କରିଛନ୍ତି । ଜିଲ୍ଲା ପ୍ରଶାସନର ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ୫୦୦ ପୁଲିସ ଓ ବିଏସଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ସମସ୍ତ ଗତିବିଧି ଉପରେ ନଜର ରଖିବା ପାଇଁ ଡିଏନକେ ଖେଳ ପଡିଆ ସହ ସହର ସାରା ସିସିଟିଭି ଖଞ୍ଜା ଯାଇଛି। ୨୯ ଜାନୁଆରୀରୁ ଫେବୃଆରୀ ୬ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ମଦ ବିକ୍ରିକୁ ନିଷେଧ କରାଯାଇଛି। ମହୋତ୍ସବର ପ୍ରଥମ ଦିନ ବଲିଉଡ୍ କଳାକାର ତ୍ରିଶା ଚାଟାର୍ଜୀ, ଦ୍ଵିତୀୟ ସଂଧ୍ୟାରେ ଦିପ୍ତିରେଖା ପାଢ଼ୀ, ତୃତୀୟ ସଂଧ୍ୟାରେ କୁଲଦୀପ ପଟ୍ଟନାୟକ ଓ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶାଶ୍ବତ ଯୋଶୀ, ଚତୁର୍ଥ ସଂଧ୍ୟା ରେ ମଣ୍ଟୁ ଛୁରିଆ ଓ ଉଦଯାପନୀ ସନ୍ଧ୍ୟାରେ ସୁପ୍ରସିଦ୍ଧ କଣ୍ଠ ଶିଳ୍ପୀ ୟାସର୍ ଦେଶାଇ ଓ ଓଲିଉଡ୍ କଳାକାର ସହିନି ମିଶ୍ର କଳା ପରିବେଷଣ କରିବେ। ସ୍ଥାନୀୟ କଳାକାର ସଂଧ୍ୟା ୫ ଟାରୁ ୭ ଟା ପର୍ଯ୍ୟନ୍ତ କଳା ପରିବେଷଣ କରିବେ। ପ୍ରତ୍ୟେକ ରାତ୍ର ଅହରହ ଦେଶୀଆ ନାଟକ ପରିବେଷଣ ହେବ। ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳାରେ ୧୨୦ ଟି ଷ୍ଟଲ୍ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଦିଆଯାଇଛି। ବିଭିନ୍ନ ବିଭାଗକୁ ୨୦, ୩୦ ଖାଦ୍ୟ, ବିକ୍ରିବଟା ପାଇଁ ୫୫ ଓ ୧୫ ଟି ଷ୍ଟଲ୍ କୁ ଦେୟମୁକ୍ତ କରାଯାଇଛି। ପରିମଳ ନିମନ୍ତେ ୨୨ ଜଣ ସ୍ୱଚ୍ଛ କର୍ମୀଙ୍କୁ ନିୟୋଜିତ କରାଯାଇଛି । ମାଲ୍ୟବନ୍ତ ମଞ୍ଚକୁ ସହିଦ୍ ତାମ୍ମା ଦୋରା ରଙ୍ଗ ମଞ୍ଚ ନାମରେ ନାମିତ କରାଯାଇଛି। ବସିବା ନିମନ୍ତେ ୩୦୦୦ ଚେୟାର ବ୍ୟବସ୍ଥା କରାଯାଇଛି। ମହୋତ୍ସବ ସକାଳ ୯ ଟାରେ ଏକ ବିଶାଳ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ଡିଏନକେ ପଡିଆ ପର୍ଯ୍ୟନ୍ତ ଆୟୋଜନ ହେବ। ପାର୍କିଂ ପାଇଁ ମଧ୍ଯ ପୌର ପରିଷଦ ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ମହୋତ୍ସବ ପଡିଆରେ ଗହଳି ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ପ୍ରବେଶ ଓ ବାହାରକୁ ଯିବା ପାଇଁ ରାସ୍ତା ବ୍ୟବସ୍ଥା କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ମହୋତ୍ସବ ନିମନ୍ତେ ଆବଶ୍ୟକ ଥିବା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)