***ମାଲ୍ଯବନ୍ତରେ ବର୍ଷା***

ଆସିଲାଣି ଧରି ମାଲ୍ଯବନ୍ତ ଗିରି
କଳାଧଳା ମେଘ ମାଳା….
ଆଷାଢ଼ ପ୍ରବେଶ ହେବାରୁ ଅବଶ୍ଯ
ଅମ୍ବରେ ବଉଦ ମେଳା….!!
ସନ୍ଧ୍ଯା ଆଗତେ ସନ୍ଧ୍ୟା ଆକାଶେ
ନୀଡେ ଗମେ ବକ ମାଳା….
ବିଚିତ୍ର କି ଶୋଭା କଳା ଧଳା ଆଭା
ପ୍ରକୃତିର ଲୀଳାଖେଳା….!!
ବରଷଇ ବାରି ଝର ଝର କରି
ବିଜୁଳି ଝଟକ ମାରି….
ବଜ୍ର ନିନାଦରେ କମ୍ପିତ ହୃଦୟ
ସଙ୍କିତ ଯେ ପଥଚାରୀ…!!
ମଉସୁମୀ ଛୁଇଁ ମାଲ୍ଯବନ୍ତ ଭୂଇଁ
ଆସଇ ଶୀତଳ ବାତ….
ଗ୍ରୀଷମ ବିଷମ କରିବାରୁ କ୍ଳେଶ
ଉତ୍ତାପେ ଘର୍ମ ବହୁତ….!!
ବରଷିଲା ମେଘ ହୋଇ ଅନୁରାଗ
ମୟୂର ମନ ଉଚ୍ଛନ୍ନ…..
କେକୀ ପୁଛ ଟେକି ନାଚେ ଡାକି ଡାକି
ପିକ ହୋଇଲେ ମଉନ…!!
ବେଙ୍ଗ ବେଙ୍ଗୁଲୀର ମନ ଛନ ଛନ
ଡେଇଁ ଡେଇଁ ନୃତ୍ୟ ରଚି….
ଭାସିଆସୁଥାଇ ସୁମଧୁର ସ୍ବର
କର୍ଣ୍ଣ କୁ ଲାଗଇ ରୁଚି….!!
ବରଷାରେ ସ୍ଵଳ୍ପ ଭିଜିବାକୁ ଆଶା
ଆବାଳ ବୃଦ୍ଧ ବନିତା….
ଦିଏ କି ପ୍ରମୋଦ ପୁଷ୍ପ ବାରିପାତ
ଅନୁଭବି ଜାଣେ କଥା….!!
ପ୍ରଥମ ବାରିଦ ଅପାର ଆନନ୍ଦ
ଅନୁରାଗ ଆଣେ ମନେ….
ପ୍ରିୟସୀ ପ୍ରେମର ଗତ ସ୍ମୃତି ଗିର
ଭାସି ଆସଇ ନୟନେ…!!
ତରୁଣ ହୃଦୟ ବାରି ସ୍ପରଶରେ
ମନ୍ମଥ ବେଦନା ମାରେ….
ବିରହ ବିଦଗ୍ଧ ଅନଳ ପରିକା
ଅସହ୍ୟ ଯନ୍ତ୍ରଣା କରେ….!!
ଏ ବରଷା ପାତେ କାମନା ବାସନା
ପ୍ରତି ପଲକରେ ଜାଗେ….
ନବୀନ ବୟସୀ ବାଳା ସାଥେ ସଙ୍ଗ
ହେବା ପାଇଁ ଅନୁରାଗେ…!!
ରଜନୀରେ ପାଶେ ନଥିଲେ ପ୍ରେୟସୀ
ମରୁ ମରିଚିକା ସମ…..
ଲାଗଇ ବିଷାଦ ନଥାଏ ଆନନ୍ଦ
ମନରେ ନଥାଏ ସଂଯମ…..!!
ବରଷାର ନୀର ପାନୀୟେ ଆତୁର
ରୁକ୍ଷ ଧରଣୀର ବକ୍ଷ……
ତୃଷା ନିବାରିଣ ସକଳ ପାଦପ
ନିଜକୁ ମଣନ୍ତି ମୋକ୍ଷ….!!
ଅଙ୍କୁରିତ ହେବ କାନନେ କାନନେ
ପକ୍ବ ଫଳ ଝଡ଼ା ମଞ୍ଜି…..
ନୂତନ ବୃକ୍ଷର ଜନମ ହୋଇବ
ବିହୀନ ନୀର ଦେଲା ଖଞ୍ଜି….!!
ଶୁଷ୍କ ବନାନୀର ଉଦ୍ଭିଦ ଯେତେକ
ପଲ୍ଲବିବେ ଜଳ ପାଇ….
ସୁପ୍ତ ତୃଣ ରାଜି ଉଠିବେ ଗରଜି
ଶ୍ଯାମଳ ବର୍ଣ୍ଣ କୁ ବହି….!!
କାଷ୍ଠ ଶୁଷ୍କ ପତ୍ର ଫମ୍ଫି ମାରି ଛତୁ
ରୂପକୁ ଧାରଣ କରି……
ଅରଣ୍ୟ କୋଳରୁ ବନ ଗିରିବାସୀ
ଆଣିବେ ସରାଗେ ତୋଳି….!!
ସୁସ୍ବାଦୁ ଅଟଇ ପ୍ରାକୃତିକ ଛତୁ
ବର୍ଷାରେ ପ୍ରକୃତି ଦାନ…..
ନାନା ଜାତି ଶାଗ ଉତ୍ପନ୍ନ ହୁଅଇ
କରେ ଯେ ପୁଷ୍ଟି ବର୍ଦ୍ଧନ…..!!
ବରଷା ଦିନରେ ବାଉଁଶ କରଡ଼ି
ଖାଇବାକୁ ଇଛା ବେଶି…..
ପାହାଡ କୋଳରୁ ସାଉଁଟି ଆଣନ୍ତି
ଆଗ୍ରହରେ ବନବାସୀ…..!!
ଏହି ମାଲ୍ଯବନ୍ତ ପାହାଡ ପାର୍ଶ୍ବରେ
ଶ୍ରୀରାମ ଜାନକୀ ମାତ….
ଭାଇ ଲକ୍ଷ୍ମଣଙ୍କ ସହିତ ରହିଲେ
ବର୍ଷା ଚତୁର୍ମାସ ସେତ….!!
ପୂଣ୍ୟ ମାଲ୍ଯବନ୍ତ କାଷ୍ଠ ଯେ ପାଷାଣ
ମାଟି ଧୂଳି ବାଲି ରେଣୁ…..
ନିର୍ଝର ନିମ୍ନଗା ଯେତେ ଜଳଧାରା
ପାଦ ପଡି ପୂତ ଯେଣୁ….!!
ମଉସୁମୀ ଏବେ ହୋଇ ଆନମନା
ମାଲ୍ଯବନ୍ତ ଚୁଡା ଛୁଇଁ…
ବରଷଇ ବାରି ଶ୍ରୀକୋଦଣ୍ଡଧାରୀ
ଅନ୍ତରେ ସୁମରି ଧ୍ଯାୟି…!!
କାଳେ ଶ୍ରୀରାମଙ୍କୁ କରିବ ଦର୍ଶନ
ମେଘ ଆସେ ତରତର…..
କଳାଧଳା ମେଘ ଗଗନେ ସମ୍ଭୁତ
ଦିଶଇ କି ମନୋହର…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Comments (0)
Add Comment