ମାଲକାନଗିରି,୨୯/୦୮(ପିପିଟି): ଆଜି ମାଲକାନଗିରି ସଦର ମହକୁମାରେ ଥିବା ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ଯାଳୟ, ସରକାରୀ ଉଚ୍ଚ ବିଦ୍ଯାଳୟ ମାଲକାନଗିରି, ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ ଆଦି ତିନି ଗୋଟି ଅନୁଷ୍ଠାନରେ ଓଟିଇଟି ପରୀକ୍ଷା ୮୭୭ ଜଣ ପ୍ରାର୍ଥି ଦେଇଥିବା ବେଳେ ପରୀକ୍ଷା ଦେବା ପୂର୍ବରୁ ପ୍ରଶ୍ନ ପତ୍ର ବାହାରେ ଲିକ୍ ହୋଇ ଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି । ଯେଉଁମାନେ ପ୍ରଶ୍ନର ଉତ୍ତର ଫର୍ଦ୍ଦ ପାଇବା ପାଇଁ ଆବଶ୍ଯକ କରୁଥିଲେ କୁଆଡେ ୫ ହଜାର ଟଙ୍କାରେ ବିକ୍ରି ହୋଇଥିବା ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଥାଉକି ଯେଉଁ ଶିକ୍ଷକମାନେ ଓଟିଇଟି ପରୀକ୍ଷା ନଦେଇ ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଛନ୍ତି,ସେମାନଙ୍କୁ ଓଡିଶା ଶିକ୍ଷା ବିଭାଗ ଓଟିଇଟି ପରୀକ୍ଷା ଦେଉ ଉତ୍ତୀର୍ଣ୍ଣ ହେବା ପାଇଁ ଏହାଥିଲା ଶେଷ ସୁଯୋଗ । ଏଣୁ ନିଜ ନିଜର ଚାକିରୀ ବଞ୍ଚାଇବା ଲାଗି ଶିକ୍ଷକମାନେ ପ୍ରୟାସ ଜାରି ରଖିଥିବା ବେଳେ ଜାଣିଶୁଣି ଅର୍ଥର ପ୍ରଲୋଭନରେ ପ୍ରଶ୍ନ ପତ୍ର ଲିକ୍ କରାଯାଇ ଉତ୍ତର ଫର୍ଦ୍ଦକୁ ୫ ହଜାର ଦରରେ ବିକ୍ରି କରାଯାଇଥିବା ଚର୍ଚ୍ଚା ହେଉଛି । ଆଜି ସକାଳ ୮.୦୦ ଘଟିକା ଠାରୁ ୧୦.୩୦ ପର୍ଯ୍ଯନ୍ତ ପ୍ରଥମ ପର୍ଯ୍ଯାୟ ପରୀକ୍ଷା କରାଯାଇଥିଲା । ଓଟିଇଟି ପରୀକ୍ଷା ଲାଗି ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନ ପତ୍ରଗୁଡିକ ଗତ ୨୭ ତାରିଖ ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟରେ ରଖିଥିବା ବେଳେ ଆଜି ଏଠାରୁ ୩ଟି ପରୀକ୍ଷା କେନ୍ଦ୍ରକୁ ସକାଳ ୮.୦୦ ଘଟିକା ପୂର୍ବରୁ ନିଆ ଯାଇଥିଲା । ତେବେ ପରୀକ୍ଷା ଦେବା ସମୟରେ ପ୍ରଶ୍ନ ପତ୍ର ବାହାରେ ପ୍ରଘଟ ହୋଇଥିଲା । ଏ ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ କୁମାର ଜେନା ଜାଣିନଥିବା ପ୍ରକାଶ କରିଥିବା ବେଳେ ପରୀକ୍ଷା କେନ୍ଦ୍ରରେ କପିଚେକ୍ କରାଯାଇଥିବା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଚିରା ଚରିତ ଢଙ୍ଗରେ କହି ତଦନ୍ତ ପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଅନ୍ଯ ପକ୍ଷରେ ଏହ ପ୍ରଶ୍ନ ପତ୍ର କିପରି ଏବଂ କାହା ନିର୍ଦ୍ଦେଶରେ ପ୍ରଘଟ ହେଲା ଉଚ୍ଚ ସ୍ତରୀୟ ତଦନ୍ତ ହେବା
ଆବଶ୍ଯକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ପ୍ରକୃତରେ ଏହା କଟକ, ଭୁବନେଶ୍ବରରୁ ଲିକ୍ ହୋଇଛ କି ମାଲକାନଗିରିରୁ ଲିକ୍ ହୋଇଛ ତଦନ୍ତ ସାପେକ୍ଷ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନପାୟକ, ମାଲକାନଗିରି)